ଦୁଇ ସପ୍ତାହ ପରେ ଶ୍ରୀଲଙ୍କାରୁ ଉଠିଲା ଜରୁରୀ ପରିସ୍ଥିତି
![](https://thetruths.in/wp-content/uploads/2022/05/Sri-Lanka.jpg)
କଲମ୍ବୋ : ଘୋର ଆର୍ଥିକ ସଂକଟରେ ପଡ଼ିଥିବା ଶ୍ରୀଲଙ୍କାରେ ଲାଗୁ ଜରୁରୀ ପରିସ୍ଥିତି ଦୁଇ ସପ୍ତାହ ପରେ ପ୍ରତ୍ୟାହାର କରିନିଆଯାଇଛି । ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆସିବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଶ୍ରୀଲଙ୍କା ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ଆର୍ଥିକ ସଂକଟକୁ ନେଇ ହିଂସା ଆରମ୍ଭ ହେବା ପରେ ଗତ ୬ ତାରିଖ ମଧ୍ୟରାତ୍ରିଠାରୁ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ । ଏହା ସତ୍ତ୍ବେ ବି ଦେଶରେ ହିଂସା କମିନଥିଲା । ପରେ ୯ତାରିଖରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ବାଧ୍ୟହୋଇ ଇସ୍ତଫା ଦେଇଥିଲେ । କିନ୍ତୁ ମହିନ୍ଦାଙ୍କ ସମର୍ଥକ ଓ ବିକ୍ଷୋଭକାରୀମାନଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ସ୍ଥିତି ଆହୁରି ବିଗିଡ଼ି ଯାଇଥିଲା । ଏହି ହିଂସା ଫଳରେ ୯ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୨୦୦ରୁ ଅଧିକ ଆହତ ହୋଇଥିଲେ । ପରେ ରାଷ୍ଟ୍ରପତି ଗୋଟାବାୟା ରାନିଲ ବିକ୍ରମସିଂହେଙ୍କୁ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଥିଲେ । ରାନିଲ ଆସିବା ପରେ ଦେଶର ସ୍ଥିତି ସୁଧାରିବାକୁ ସେ କେତେକ ପଦକ୍ଷେପ ନେବା ସହ ପଡ଼ୋଶୀ ଭାରତର ସହାୟତା ମାଗିଛନ୍ତି । ତେବେ ଶ୍ରୀଲଙ୍କାର ଅର୍ଥନୀତିକୁ ରାତାରାତି ସୁଧାରିବାକୁ ତାଙ୍କ ପାଖରେ କୌଣସି ଉପାୟ ନାହିଁ ବୋଲି ରାନିଲ କହିଛନ୍ତି । ଶ୍ରୀଲଙ୍କାରେ ଏବେ ମୁଦ୍ରାସ୍ପୀତି ହାର ୪୦ ପ୍ରତିଶତ ଆଡ଼କୁ ଗତି କରିଥିବାବେଳେ ଖାଦ୍ୟସାମଗ୍ରୀ, ଇନ୍ଧନ ଓ ଔଷଧର ଗୁରୁତର ଅଭାବ ଦେଖାଦେଇଛି । ପୁଣି ଆମଦାନୀ କରିବାକୁ ସରକାରଙ୍କ ପାଖରେ ଯଥେଷ୍ଟ ପରିମାଣରେ ବିଦେଶୀ ମୁଦ୍ରା ନାହିଁ ।
ସୂଚନା ଯେ, ଶ୍ରୀଲଙ୍କାରେ ଦେଖା ଦେଇଥିବା ଆର୍ଥିକ ସଂକଟ ପାଇଁ ରାଜପକ୍ଷେ ପରିବାର ଦୋଷୀ ଥିବା ଏଠାକର ଲୋକେ ଭାବୁଛନ୍ତି। ଏହି କାରଣରୁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଦେଶର ଜନାତା ରାସ୍ତାକୁ ଓହ୍ଲାଇବା ସହ ହିଂସା ଘଟାଇଥିଲେ। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଗୋଟବାୟା ରାଜପକ୍ଷେ ଦେଶରେ ଏମରଜେନ୍ସି ଲାଗୁ କରିବା ପାଇଁ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ଇସ୍ତଫା ପରେ ଦଶରେ ସରକାର ସମର୍ଥକ ଏବଂ ସରକାର ବିରୋଧୀ ପ୍ରଦର୍ଶନକାରୀ ମଧ୍ୟରେ ସଂଘର୍ଷରେ ୯ ଜଣଙ୍କ ଜୀବନ ଯାଇଥିଲା। ଏଥିରେ ୨୦୦ରୁ ଅଧିକ ଲୋକେ ଆହାତ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ୧୯୪୮ରେ ବ୍ରିଟେନଠାରୁ ସ୍ୱାଧୀନତା ପାଇବା ପରେ ଶ୍ରୀଲଙ୍କା ନିଜର ସବୁଠୁ ଖରାପ ଆର୍ଥିକ ସଂକଟର ସାମନା କରୁଛି। ଦେଶ ବିଦେଶୀ ମୁଦ୍ରାର ଅଭାବ ଯୋଗୁଁ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତା କିଛି ଦିନରେ ଶ୍ରୀଲଙ୍କାରେ ମୁଦ୍ରାସ୍ପୀତି ହାର ୪୦ ପ୍ରତିଶତରେ ପହଞ୍ଚିଯିବ। ଖାଇବା, ଇନ୍ଧନ ଏବଂ ଔଷଧର ଅଭାବ ସହ ବିଜୁଳି ସଂକଟ ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି।