ଓଡ଼ିଶା ହାଇକୋର୍ଟରେ ଶପଥ ନେଲେ ୨ ବିଚାରପତି, ମୋଟ ସଂଖ୍ୟା ୨୨
![](https://thetruths.in/wp-content/uploads/2022/06/Two-newly-appointed-Judges-of-Orissa-High-Court-sworn.jpg)
କଟକ : ଓଡ଼ିଶା ହାଇକୋର୍ଟରେ ଶପଥ ନେଲେ ୨ ନବ ନିଯୁକ୍ତି ବିଚାରପତି । ଶପଥ ଗ୍ରହଣ ସମାରୋହ ହାଇକୋର୍ଟର ସମ୍ମିଳନୀ ହଲରେ ଅନୁଷ୍ଠିତ ହୋଇଥିଲା। ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଆଇନଜୀବୀ ସଞ୍ଜୟ ମିଶ୍ର ଶୁକ୍ରବାର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ଉଭୟଙ୍କୁ ଶପଥପାଠ କରାଇଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଏସ ମୁରଲୀଧର । ଏହି ଦୁଇ ବିଚାରପତି ଓଡିଶା ହାଇକୋର୍ଟରେ ଯୋଗ ଦେବା ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି ।
ସୁପ୍ରିମକୋର୍ଟ କଲେଜିୟମର ସୁପାରିଶ ପରେ ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ତ୍ରିପୁରା ହାଇକୋର୍ଟରୁ ଓଡ଼ିଶା ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଆଇନଜୀବୀ ସଞ୍ଜୟ କୁମାର ମିଶ୍ରଙ୍କୁ ଗତ ୩ ତାରିଖରେ ରାଷ୍ଟ୍ରପତିଙ୍କ ଦ୍ୱାରା ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା । ପୂର୍ବରୁ ସଞ୍ଜୟଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ ସୁପ୍ରିମକୋର୍ଟ କଲେଜିୟମ ।
ସୂଚନା ଯେ, ଜଷ୍ଟିସ ଶୁଭାଶିଷ ତାଳପତ୍ର ୧୯୬୧, ଅକ୍ଟୋବର ୪ରେ ତ୍ରିପୁରାର ଉଦୟପୁରଠାରେ ଜନ୍ମଗ୍ରହଣ କରିଥିଲେ। ୨୦୧୧, ନଭେମ୍ବର ୧୫ରେ ସେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ଶପଥଗ୍ରହଣ କରିଥିଲେ। ୨୦୧୩, ସେପ୍ଟେମ୍ବର ୧୩ରେ ସେ ତ୍ରିପୁରା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୨୦୧୮, ନଭେମ୍ବର ୨ରୁ ୧୩ ତାରିଖ ଓ ୨୦୧୯, ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସେ ତ୍ରିପୁରା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ।
ଓଡିଶା ହାଇକୋର୍ଟ ବିଚାରପତି ଭାବେ ଯୋଗ ଦେଇଥିବା ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ବୁର୍ଲାରେ ଜନ୍ମ ଗ୍ରହଣ କରିଥିବାବେଳେ ତାଙ୍କ ଘର ଢେଙ୍କାନାଳ ଜିଲା ମୁକ୍ତାଦେଇପୁର ଗାଁରେ ବୋଲି ଜଣାପଡିଛି । ତାଳଚେର ଥାର୍ମଲ ହାଇସ୍କୁଲରୁ ୧୯୮୩ରେ ମାଟ୍ରିକ, ୧୯୮୭ରେ ଅନୁଗୁଳ କଲେଜରୁ ବିକମ ପାସ୍ କରିବା ପରେ ୧୯୯୦ରେ ଏମ. ଏସ କଲେଜରୁ ଏଲ. ଏଲ. ବି ପାସ କରିଥିଲେ । ସଂଜୟ କୁମାର ମିଶ୍ର ୧୯୯୦ରେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ । ସେ ହାଇକୋର୍ଟରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା ପରିଚାଳନା କରି ଜଣେ ଦକ୍ଷ ଆଇନଜୀବୀ ଭାବେ ସୁନାମ ଅର୍ଜନ କରିଛନ୍ତି ।