ରାଜ୍ୟରେ ଆଉ ଦୁଇ ଏଚ୍୩ଏନ୍୨ ଆକ୍ରାନ୍ତ ଚିହ୍ନଟ, ୬୧ରେ ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା
![](https://thetruths.in/wp-content/uploads/2023/03/H3N2-Virus-1024x614.jpg)
ଭୁବନେଶ୍ୱର : ରାଜ୍ୟରେ ଆଉ ଦୁଇ ଏଚ୩ଏନ୨ ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୬୧ରେ ପହଞ୍ଚିଛି। ତେବେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନେକ ସୁସ୍ଥ ହୋଇସାରିଛନ୍ତି।
ଏନେଇ ଆରଏମ୍ଆରସି ନିର୍ଦ୍ଦେଶିକା ଡା. ସଂଘମିତ୍ରା ପତି କହିଛନ୍ତି ଯେ ଏହା ଯଦିଓ କୋଭିଡ ଭଳି ଲକ୍ଷଣଯୁକ୍ତ ତେବେ ଏହାକୁ ନେଇ ଚିନ୍ତା ବା ଆତଙ୍କିତ ହେବା ଉଚିତ ନୁହେଁ। ବିଭିନ୍ନ ସରକାରୀ ଡାକ୍ତରଖାନାରୁ ଆସୁଥିବା ନମୁନାର ପରୀକ୍ଷା ଆରଏମ୍ଆରସିରେ କରାଯାଉଛି। ବର୍ତ୍ତମାନ ରାଜ୍ୟରେ ଏହି ଗ୍ରାଫ ତଳମୁହାଁ ହୋଇଥିବା ଜଣାପଡୁଛି। ତାପମାତ୍ରା ବୃଦ୍ଧି ସହିତ ସଂକ୍ରମଣ ହ୍ରାସ ପାଇବ।
ସେହିପରି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଏହି ଭୂତାଣୁରେ ଆକ୍ରାନ୍ତ ହେଲେ ୯୫% ଲୋକ ୭ରୁ ୮ ଦିନ ମଧ୍ୟରେ ସୁସ୍ଥ ହୋଇଯାଆନ୍ତି। ପିଲାମାନେ ବିଦ୍ୟାଳୟରେ ମିଳିମିଶି ରହୁଥିବାରୁ ଜଣଙ୍କୁ ହେଲେ ଅନ୍ୟ ଜଣଙ୍କୁ ଶୀଘ୍ର ଆକ୍ରାନ୍ତ କରିବାରେ ସମ୍ଭାବନା ରହିଛି। ଯାହାର ଲକ୍ଷଣ ଦେଖାଯିବ ତାଙ୍କୁ ତୁରନ୍ତ ପରୀକ୍ଷା କରିବାକୁ କୁହାଯାଇଛି। ରାଜଧାନୀ ଚିକିତ୍ସାଳୟର ନିର୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ, ଓଡ଼ିଶାରେ ସଂକ୍ରମଣ ଅଧିକ ନାହିଁ। ତେବେ ଆଗକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ହୋଇଛି। ଶିଶୁ ବିଭାଗ ଡାକ୍ତରମାନଙ୍କ ସହିତ ଏନେଇ ଏକ ବୈଠକ ହୋଇଛି। କିଭଳି ଭାବରେ ଏହି ଭୂତାଣୁ ମୁକାବିଲା କରାଯିବ ସେନେଇ ଆଲୋଚନା କରାଯାଇଛି।
ସୂଚନା ଯେ, ରାଜ୍ୟରେ ଦିନକୁ ଦିନ ଥଣ୍ଡା, କାଶ, ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ଏଚ୩ଏନ୍୨ ଭୂତାଣୁ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟିଛି। ତେଣୁ କରୋନା ସଂକ୍ରମଣ ବୃଦ୍ଧି ଉପରେ ନଜର ରଖିବା ପାଇଁ ପରୀକ୍ଷା, ନିରୀକ୍ଷଣ, ଚିକିତ୍ସା, ଟିକାକରଣ ଓ କରୋନା ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି। ହାତ ଧୋଇବା ଓ କରୋନା ନିୟମ ପାଳନ ପାଇଁ ଲୋକଙ୍କୁ ସଚେତନ କରାଯାଉଛି। ଔଷଧ, ଅମ୍ଳଜାନ୍ ଓ ଅନ୍ୟ ଆବଶ୍ୟକ ସାମଗ୍ରୀର ମହଜୁୁଦ ଉପରେ ନିରନ୍ତର ନଜର ରଖିବା ସହ ଆଇସିୟୁ ପ୍ରସ୍ତୁତ ରଖିବାକୁ ସମସ୍ତ ମେଡିକାଲ କଲେଜ ହସ୍ପିଟାଲ ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି ।