ବସକୁ ପଛପଟୁ ପିଟିଲା ଟ୍ରକ : ୩ ମୃତ, ୧୧ ଗୁରୁତର
ଖୋର୍ଦ୍ଧା : ମା’ ତାରିଣୀଙ୍କୁ ଦର୍ଶନ କରିବା ହେଲା ଶେଷ ଯାତ୍ରା । ଦର୍ଶନ ସାରି ଫେରୁଥିବା ବେଳେ ବସକୁ ପଛପଟୁ ଧକ୍କା ଦେଲା ଅଜଣା ଟ୍ରକ । ଘଟଣାସ୍ଥଳରେ ୩ ମୃତ, ୧୧ ଗୁରୁତର । ଏଭଳି ଦୁଃଖଦନୀୟ ଘଟଣା ଘଟିଛି ଖୋର୍ଦ୍ଧା ୧୬ ନଂ ଜାତୀୟ ରାଜପଥର ବାଲୁଗାଁ ଓଭର ବ୍ରିଜ ନିକଟରେ । ଏକ ବସ ଦୁର୍ଘଟଣାଗସ୍ତ ହୋଇଥିବା ବେଳେ ଏଥିରେ ଥିବା ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହେବା ସହ ୧୧ ରୁ ଉର୍ଦ୍ଧ୍ବ ଗୁରୁତର ହୋଇଥିବା ସୂଚନା ମିଳିଛି । ସମସ୍ତ ମୃତକ ବ୍ରହ୍ମପୁର ଗୋପାଳପୁରର ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ବସଟି ଯାତ୍ରୀଙ୍କୁ ଧରି କେଉଁଝର ତାରିଣୀ ଦର୍ଶନ ସାରି ନିଜ ଗାଁ ବ୍ରହ୍ମପୁର ଗୋପାଳପୁରକୁ ଫେରୁଥିଲା । ଏହି ସମୟରେ ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥରେ ବସଟି ଛିଆ ହୋଇଥିବା ବେଳେ ଏକ ଟ୍ରକ ଧକ୍କା ଦେଇଥିଲା । ଏନେଇ ଖବର ପାଇ ବାଲୁଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ବାଲୁଗାଁ ମେଡିକାଲକୁ ପଠଇଛନ୍ତି। ତେବେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ମଧ୍ୟ ବ୍ରହ୍ମପୁର ବଡ଼ ମେଡିକାଲ ପଠାଯାଇଛି। ଏହି ଘଟଣା ନେଇ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।