ଆଜି ନବଯୌବନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୁରତୀ

ପୁରୀ : ଅଣସର ଘରେ ଗୁପ୍ତ ନୀତି ପରେ ଜ୍ବରରେ ପଡ଼ିଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ସୁସ୍ଥ ହେବାପରେ ଖଡ଼ି ଲାଗି ସହ ଗୁରୁବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପନ୍ନ ହୋଇଛି। ବନକଲାଗି ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଛନ୍ତି। ଏଥିପାଇଁ ୧୫ ଦିନର ଅଣସର ଶେଷ କରି ଶୁକ୍ରବାର ଶ୍ରୀଜିଉ ଅଣସର ପିଣ୍ଡିରୁ ନବଯୌବନ ବେଶରେ ଦର୍ଶନ ଦେବେ। ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଥିବାରୁ ବିନା ଭକ୍ତରେ ନବଯୌବନ ବେଶ ଅନୁଷ୍ଠିତ ହେବ। ଏଣୁ ଚଳିତବର୍ଷ ବି ସଅଳ ନୀତିକାନ୍ତି ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସେହି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି।
ଜ୍ୱରରୁ ସୁସ୍ଥ ହୋଇଛନ୍ତି ମହାପ୍ରଭୁ ଦାରୁବ୍ରହ୍ମ । ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ଗତକାଲି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଦିବ୍ୟ ପ୍ରଲେପ ଲାଗି ପରେ ଦତ୍ତମହାପାତ୍ର ଶ୍ରୀଅଙ୍ଗରେ ଖଡି ଲାଗି ନୀତି କରିଛନ୍ତି । ଏଥିପାଇଁ ୩ଟି ପର୍ଯ୍ୟାୟରେ ଦତ୍ତମହାପାତ୍ର ଅଣସର ପିଣ୍ଡିରେ ବିଜେ ଶ୍ରୀବିଗ୍ରହଙ୍କ ସେବା କରିଛନ୍ତି । ପ୍ରଥମ ସେବାରେ ଖଡ଼ି ଲାଗି ପରେ ଠାକୁରଙ୍କ ଶ୍ରୀମୁଖରେ ରେଖା ଅଙ୍କନ କରାଯାଇଥିଲା । ଶେଷରେ ଦତ୍ତମହାପାତ୍ର ବିଳମ୍ବିତ ରାତିରେ ସେବକ ଶ୍ରୀମୁଖ ସିଙ୍ଗାର କରିଥିଲେ । ଦତ୍ତମହାପାତ୍ର ସେବକ ପ୍ରଭୁଙ୍କୁ ଖଡି ଲାଗି ଗୋପନ ସେବାରେ ଧଳା ରଙ୍ଗରେ କର୍ପୂର, କସ୍ତୁରୀ, ଚନ୍ଦନ ଆଦି ସାମଗ୍ରୀରେ ପ୍ରସ୍ତୁତି ସ୍ୱତନ୍ତ୍ର ଆବରଣର ପ୍ରଲେପ ଦେଇଥିଲେ । ଖଡ଼ି ଲାଗି ସେବା ପରେ ଦତ୍ତମହାପାତ୍ର ସେବକ ମହାପ୍ରଭୁଙ୍କ ସ୍ୱରୂପ ଫେରିଥିବା ନେଇ ଗଜପତି ମହାରାଜାଙ୍କୁ ଭେଟିଥିଲେ । ଏହି ବିଧିକୁ ଶ୍ରୀନଅରକୁ ଖଡ଼ିପ୍ରସାଦ ବିଜେର ନାମକରଣ କରାଯାଇଛି । ଏହା ପରେ ଗୁରୁବାର ବିଳମ୍ବିତ ରାତିରେ ପଟ୍ଟିଦିଅଁ ସନ୍ଧ୍ୟା ଧୂପ ପରେ କସ୍ତୁରୀ, କେସର, ହରତାଳ, ହେଙ୍ଗୁଳ, ଶ୍ରୀଖଣ୍ଡ କଳା, ଧଳା ରଙ୍ଗ ଆଦିରେ ମହାପ୍ରଭୁଙ୍କ ଶ୍ରୀମୁଖ ସିଙ୍ଗାର କରିଥିଲେ ଦତ୍ତମହାପାତ୍ର ସେବକ । ଶ୍ରୀମୁଖ ସୃଙ୍ଗାର ପରେ ଝଲସି ଉଠୁଛି ଚତୁର୍ଦ୍ଧାମୁରତୀଙ୍କ ମୁଖମଣ୍ଡଳ । ଅପସର ହୋଇ ପ୍ରଭୁଙ୍କ ମଙ୍ଗଳ ଆଳତି ପରେ ଆରମ୍ଭ ହେବ ନବଯୌବନ ଦର୍ଶନ । ପଟିଦିଅଁଙ୍କ ବାହୁଡ଼ା ବିଜେ ସରିବା ପରେ ଅଣସର ତାଟି ଖୋଲାଯାଇ ପ୍ରଭୁଙ୍କ ନବଯୌବନ ଦର୍ଶନ ବିଧି ପରେ ଠାକୁରଙ୍କ ନେତ୍ରୋତ୍ସବ ନୀତି ଅନୁପାଳନ କରାଯିବ । ସ୍ନାନପୂର୍ଣ୍ଣିମା ପର ଦିନରୁ ମହାପ୍ରଭୁ ଅଣସର ବାସରେ ରହିଥିଲେ । ଏହି ସମୟରେ ପ୍ରଭୁଙ୍କ ଅବଢ଼ା ଭୋଗ ବନ୍ଦ ରହିଥିଲା । ପ୍ରଭୁଙ୍କ ଗୋପନ ସେବା ଶେଷ ହୋଇଛି । ଏହା ପରେ ଆସନ୍ତା ଆଜି ଅଣସର ପିଣ୍ଡିରେ ମହାପ୍ରଭୁଙ୍କୁ ମହାପ୍ରସାଦ ଲାଗି ହେବ । ଖଡ଼ି ଲାଗି ନୀତି ପରେ ଶ୍ରୀମୁଖରେ ରେଖା ଟଣା ଯାଇଥିଲା ।
ନୀତି ନିର୍ଘଣ୍ଟ ଅନୁଯାୟୀ, ଶୁକ୍ରବାର ସକାଳ ୬ଟାରେ ଚକା ବିଜେ କରିଥିବା ଶ୍ରୀଜିଉଙ୍କ ଚକା ଅପସର ନୀତି ଅନୁଷ୍ଠିତ ହେବ। ଏହି ସମୟରେ ପଟିଦିଅଁଙ୍କଠାରେ ଦୈନନ୍ଦିନ ନୀତିକାନ୍ତି ଆରମ୍ଭ ହେବ। ଭୋର ୬ଟା ୧୦ରେ ମଙ୍ଗଳ ଆଳତି, ୬ଟା ୨୫ରେ ମଇଲମ, ୭ଟାରେ ଅବକାଶ ନୀତି ଅନୁଷ୍ଠିତ ହେବ। ସକାଳ ସାଢ଼େ ୭ଟାରେ ଶ୍ରୀଜିଉଙ୍କ ଅଣସର ସମୟରେ ପୂଜା ପାଉଥିବା ପଟିଦିଅଁ(ଦଶାବତାର)ଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହେବ। ସକାଳ ୮ଟାରେ ଶ୍ରୀମନ୍ଦିରରୁ ଅଣସର ତାଟି ଫିଟିବ। ଅଣସର ତାଟି ଫିଟିବା ପରେ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବେ। ବେଶ ଦର୍ଶନ ପାଇଁ ପ୍ରତିବର୍ଷ ପରିମାଣିକ ଦର୍ଶନ ଓ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଥାଏ। କିନ୍ତୁ କୋଭିଡ୍ କଟକଣା ପାଇଁ ଚଳିତବର୍ଷର ଏହି ଦର୍ଶନ ବନ୍ଦ ରଖାଯାଇଛି। ଏହା ପରେପରେ ପଟିଦିଅଁଙ୍କ ବଦଳରେ ଶ୍ରୀଜିଉଙ୍କଠାରେ ପରବର୍ତ୍ତୀ ଦୈନନ୍ଦିନ ନୀତିକାନ୍ତି ଚାଲିବ। ସୂଚନା ଯେ, ଶ୍ରୀଜିଉଙ୍କୁ ୪ଟି ସ୍ଥାନରେ ମହାପ୍ରସାଦ ଲାଗି ହୋଇଥାଏ। ରତ୍ନବେଦି, ଅଣସର ପିଣ୍ଡି, ସ୍ନାନବେଦି ଓ ଆଡ଼ପମଣ୍ଡପରେ ମହାପ୍ରଭୁଙ୍କଠାରେ ମହାପ୍ରସାଦ ଲାଗି ହୋଇଥାଏ। ଶୁକ୍ରବାର ଅଣସର ପିଣ୍ଡିରେ ଥିବା ଅବସ୍ଥାରେ ମହାପ୍ରଭୁଙ୍କଠାରେ ମହାପ୍ରସାଦ ଲାଗି ହେବ ବୋଲି ବରିଷ୍ଠ ଦଇତାପତି ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି।