ଆଜି ୬ହଜାର ୮୯୧ ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି ପତ୍ର, ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ
![](https://thetruths.in/wp-content/uploads/2022/08/Orientation-Programme.jpeg)
ଭୁବନେଶ୍ୱର : ବିଭିନ୍ନ ସ୍କୁଲରେ ନୂଆ ଭାବେ ନିଯୁକ୍ତ ପାଇଥିବା ୬ ହଜାର ୮୯୧ ଶିକ୍ଷକଙ୍କ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେବ । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଜି ଅପରାହ୍ନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ଶିକ୍ଷକଙ୍କୁ ଶିକ୍ଷକତାର ଗୁରୁମନ୍ତ୍ର ଦେବେ । ୬ ହଜାର ୮୯୧ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ଦିଆଯିବ ।
ହାଇସ୍କୁଲ ରୂପାନ୍ତରଣରେ ଭିତ୍ତିଭୂମି ବିକାଶ ପରେ ରାଜ୍ୟ ସରକାର ଏବେ ଶିକ୍ଷକ ନିଯୁକ୍ତିକୁ ଗୁରୁତ୍ୱ ଦେଉଛନ୍ତି। ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ ସହ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି । ୧୧ ହଜାର ୪୦୩ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସିବିଟି ମାଧ୍ୟମରେ ଦକ୍ଷତା ଅନୁସାରେ ଶିକ୍ଷକ ଚୟନ କରାଯାଇଛି । ତିନିଟି ପର୍ଯ୍ୟାୟରେ ସେମାନଙ୍କ କାଗଜପତ୍ର ଯାଞ୍ଚ କରାଯାଇଛି।
ଅପରାହ୍ଣ ୩ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ୫ଟାରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ନିଯୁକ୍ତି ପତ୍ର ବାଣ୍ଟିବା ସହ ନବ ନିଯୁକ୍ତ ଶିକ୍ଷକମାନଙ୍କୁ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ। ସୂଚନା ଅନୁସାରେ ଅପରାହ୍ଣ ୧ଟା ସୁଦ୍ଧା ଶିକ୍ଷକମାନେ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିବେ। ସେମାନଙ୍କ ଯିବା ଆସିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସମସ୍ତ ଶିକ୍ଷକ ଡ୍ରେସକୋଡ଼ରେ ଆସିବା ସହିତ ଷ୍ଟାଡିୟମରେ ପ୍ରବେଶ ପାଇଁ ସେମାନଙ୍କୁ ଅସ୍ଥାୟୀ ପରିଚୟ ପତ୍ର ପ୍ରଦାନ କରାଯାଇଛି। କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ୫୭୩ ଜଣ ଶିକ୍ଷକ ନିଯୁକ୍ତି ପାଇଥିବା ବେଳେ ବାଲେଶ୍ୱରରେ ୫୪୯, ଗଞ୍ଜାମରେ ୪୧୩, ମୟୂରଭଞ୍ଜରେ ୪୨୨ ଆଦିକୁ ମିଶାଇ ସର୍ବମୋଟ ୬,୮୯୧ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଷ୍ଟାଡିୟମ୍କୁ ପ୍ରବେଶ ବେଳେ ଶିକ୍ଷକମାନେ କେବଳ ମୋବାଇଲ୍, ଆଧାରକାର୍ଡ଼, ପର୍ସ ଓ ପରିଚୟ ପତ୍ର ସାଙ୍ଗରେ ନେବା ପାଇଁ ଅନୁମତି ଦିଆଯିବ। ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମେତ ବିଭାଗୀୟ ସଚିବ, ନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।