ଓଡ଼ିଶା ସରକାରକୁ ଉପାଡି ଫିଙ୍ଗିବାର ସମୟ ଆସିଛି : ନଡ୍ଡା
![](https://thetruths.in/wp-content/uploads/2022/09/BJP-National-President-JP-Nadda-1.jpg)
ଭୁବନେଶ୍ୱର : ଓଡ଼ିଶା ସରକାର ଆକଣ୍ଠ ଭ୍ରଷ୍ଟାଚାରରେ ବୁଡ଼ିଥିବା ସରକାର । ଖାଲି ଠପ୍ପା ମାରିବା ଜାଣିଛି । ଏ ସରକାରକୁ ଉପାଡ଼ି ଫିଙ୍ଗିଦେବାର ସମୟ ଆସିଛି । ଓଡ଼ିଶାରେ ରକ୍ଷକ ଭକ୍ଷକ ସାଜିଛନ୍ତି । ଏଠିକାର ୩ ଜଣ ମନ୍ତ୍ରୀଙ୍କ ନାଁରେ ହତ୍ୟା ଅଭିଯୋଗ ରହିଛି । ଯଦି ମନ୍ତ୍ରୀମାନେ ହତ୍ୟାରେ ସାମିଲ ରହିଥିବେ, ତାହାହେଲେ କି ଶାସନ ଚାଲିବ? ଏଠାରେ କିଭଳି କୁଶାସନ ଚାଲିଛି ସହଜରେ ଅନୁମେୟ ବୋଲି କହି ବିଜେଡି ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଗୁରୁବାର ଦିନ ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ଶକ୍ତିକେନ୍ଦ୍ର ସମାବେଶରେ ଯୋଗଦେଇ ସେ ଏହା କହିଛନ୍ତି ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ଜେ.ପି. ନଡ୍ଡା କହିଛନ୍ତି, ଏଠି ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ସୁରକ୍ଷିତ ନାହିଁ । ରତ୍ନଭଣ୍ଡାର ଚାବି ମିଳିଲାନି । ପରେ ଡୁପ୍ଲିକେଟ ଚାବି ମିଳିଲା । ସରକାର ଡୁପ୍ଲିକେଟ ତ ଚାବି ଡୁପ୍ଲିକେଟ ହେବ ହିଁ ହେବ । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଆବାସ ଘର ଦେବେ କିନ୍ତୁ ଏମାନେ ଠପ୍ପା ମାରିବେ । କେନ୍ଦ୍ର ଦେଉଥିବା ଘରକୁ ବିଜୁ ପକ୍କା ଘର ନାଁ ଦେବେ । ଆୟୁଷ୍ମାନ ଭାରତଙ୍କ ଅଧୀନରେ ଦେଶର ୫୦ କୋଟିରୁ ଅଧିକ ଲୋକ ସ୍ୱାସ୍ଥ୍ୟ ସୁବିଧା ପାଇଥିବାବେଳେ ଓଡିଶାରେ ପ୍ରାୟ ୬୦ ଲକ୍ଷ ପରିବାର ଏଥିରୁ ବଂଚିତ ହେଉଛନ୍ତି । ଏହା ଓଡିଶାର ଗରିବ ଲୋକଙ୍କ ପ୍ରତି ସମ୍ପୂର୍ଣ୍ଣ ଅନ୍ୟାୟ ।
ଅନ୍ୟପକ୍ଷରେ କଂଗ୍ରେସକୁ କଡ଼ା ସମାଲୋଚନା କରି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା କହିଛନ୍ତି, ଆମେ ବିଶ୍ୱର ସବୁଠୁ ବଡ଼ ପାର୍ଟି । ଭାରତୀୟ ଜାତୀୟ କଂଗ୍ରେସରେ ନା ଜାତୀୟ ଅଛି ନା ଭାରତୀୟ ଅଛି । କଂଗ୍ରେସ ଏବେ ଭାଇଭଉଣୀଙ୍କ ପାର୍ଟି ହୋଇଯାଇଛି । ଭାଇଭଉଣୀଙ୍କ ମର୍ଜିରେ ପାର୍ଟି ଚାଲିବ, କର୍ମୀ କେବଳ ଥାଳି ପିଟିବେ । ପରିବାର ରାଜନୀତିକୁ କଡ଼ା ସମାଲୋଚନା କରି ସେ କହିଛନ୍ତି- ଫାରୁକ ଅବଦୁଲା, ଲାଲୁ ଯାଦବ, ଅଖିଳେଶ ଯାଦବ ସବୁଠି ପରିବାରବାଦ । ଏଠି ଓଡ଼ିଶାରେ ମଧ୍ୟ ପରିବାର ପାର୍ଟି ଚାଲିଛି । ବିଜୁଙ୍କର ପାର୍ଟି । କେବଳ ବିଜେପି ପରିବାର ପାର୍ଟି ନୁହେଁ, ବିଚାରର ପାର୍ଟି ବୋଲି ନଡ୍ଡା କହିଛନ୍ତି ।