ବାଲେଶ୍ୱର : ୪୦୦ ସଂକ୍ରମିତ ଓ ୩୦୩ ସୁସ୍ଥ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଗତ ୪ଦିନ ଧରି ୫ଶହ ଉପରେ ରହୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାରେ ସୋମବାର କିଛିଟା ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲାର ବିଭିନ୍ନ ଅଞ୍ଚଳରୁ ୪ଶହ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ସହରର ଅଜିମାବାଦରୁ ୪ଜଣ, ମୁଖ୍ୟ ଚିକିତ୍ସାଳୟରୁ ୪, ପୁଲିସ ଲାଇନରୁ ୪, ରାଣୀପାଟଣାରୁ ୪, ବାରବାଟୀରୁ ୩, ବଟେଶ୍ୱରରୁ ୩, ସୁନହଟରୁ ୩, ମୋତିଗଞ୍ଜରୁ ୨ଜଣଙ୍କ ସମେତ ଆକତପୁର, ଅଙ୍ଗାରଗଡିଆ, ବାଲୁବଜାର, ଭୋଇସାହି, ଦାମୋଦରପୁର, ଗଡ଼ଗଡ଼ିଆ ଛକ, ମାକଲପୁର, ଜେଲରୋଡ଼, ମାଣିଖମ୍ବ, ମାନସିଂବଜାର, ନେଳିଆବାଗ, ନୂଆବଜାର, ରେଲୱେ କଲୋନୀ, ସତ୍ୟନଗର, ସୁଏଲପୁର ଓ ଶୋଭାରମପୁର ପ୍ରଭୃତି ଅଞ୍ଚଳରୁ ଜଣେ ଲେଖାଏଁ ରହିଛନ୍ତି । ସେହିପରି ସଦର ବ୍ଲକରୁୁ ୫୦ଜଣ, ରେମୁଣାରୁ ୭୭, ଖଇରାରୁ ୧୭, ଜଳେଶ୍ୱରରୁ ୧୪, ଭୋଗରାଇରୁ ୫୧, ବସ୍ତାରୁ ୧୮, ବାହାନଗାରୁ ୭୯, ନୀଳଗିରିରୁ ୮, ଔପଦାରୁ ୨, ବାଲିଆପାଳରୁ ୯, ସୋରରୁ ୨୩ଜଣ ଓ ସିମୁଳିଆ ବ୍ଲକରୁ ୮ଜଣ ବ୍ୟକ୍ତିଙ୍କୁ ନୂଆ ସଂକ୍ରମିତ ଭାବେ ଚିହ୍ନଟ କରାଯାଇଛି । ଚିହ୍ନଟ ହୋଇଥିବା ସମସ୍ତେ ସ୍ଥାନୀୟ ସଂକ୍ରମିତ ଓ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏକକାଳୀନ ଅଧିକ ସଂକ୍ରମିତ ହୋଇଥିବା ଅଞ୍ଚଳରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ବାଲେଶ୍ୱର ଜିଲାରେ ଅଦ୍ୟାବଧି ୨୨ ହଜାର,୪୫୦ ଜଣ ସଂକ୍ରମିତ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୩୦୩ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ଜିଲାରେ ୧୮,୦୮୩ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ସକ୍ରିୟ ଥିବା ୪,୨୫୭ ଜଣଙ୍କ ମଧ୍ୟରୁ ୩୮୨୬ଜଣ ଗୃହ ସଙ୍ଗରୋଧରେ ଏବଂ ୩୮୫ ଜଣ ଜିଲାର ୨ କୋଭିଡ ହସପିଟାଲ ଓ କୋଭିଡ ଯତ୍ନ କେନ୍ଦ୍ରରେ ରହି ଚିକିତ୍ସିତ ହେଉଛନ୍ତି ।