ଆଗାମୀ ୩ ଦିନ ଯାଏଁ ଶୁଖିଲା ରହିବ ପାଗ, ଏହି ଦିନଠାରୁ ପୁଣି ବଢିପାରେ ବର୍ଷା!
![](https://thetruths.in/wp-content/uploads/2023/08/weather-will-remain-dry.webp)
ଭୁବନେଶ୍ୱର : ଦକ୍ଷିଣ ଝାଡ଼ଖଣ୍ତ ଓ ସଂଲଗ୍ନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଛତିଶଗଡ଼ ଅଞ୍ଚଳରେ ଗତ ଶୁକ୍ରବାର ରହିଥିବା ଲଘୁଚାପ କ୍ଷେତ୍ର ଶନିବାର ଦିନ ଉତ୍ତର ଛତିଶଗଡ଼ ତଥା ସଂଲଗ୍ନ ଅଞ୍ଚଳରେ ରହିଛି । ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୫.୮ କିମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି । ଫଳରେ ଏବେ ରାଜ୍ୟରେ କୌଣସି ଲଘୁଚାପର ସମ୍ଭାବନା ନଥିବା ବେଳେ ଏହାର ପ୍ରଭାବ ମଧ୍ୟ ନାହିଁ । ଆସନ୍ତା ୨୪ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଉତ୍ତର-ପୂର୍ବ ମଧ୍ଯପ୍ରଦେଶ ଆଡ଼କୁ ଗତି କରିବ । ଫଳରେ ଆସନ୍ତା ୩ ଦିନ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଖରା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ସୂଚନା ଥାଉ କି, ମୌସୁମୀଜନିତ ନିମ୍ନ ଚାପରେଖା ଏବେ ଗଙ୍ଗନଗର, ନାରନୌଲ, ସାତନା, ଦାତିଆ ହୋଇ ଲଘୁଚାପର କେନ୍ଦ୍ର ଦେଇ ଉତ୍ତର ଛତିଶଗଡ଼ ଓ ସଂଲଗ୍ନ ଓଡ଼ିଶାର କେନ୍ଦୁଝର, ବାଲେଶ୍ବର ଓ ଦକ୍ଷିଣପୂର୍ବ ଆଡ଼କୁ ଉତ୍ତରପୂର୍ବ ବଙ୍ଗୋପସାଗର ଆଡ଼କୁ ଲମ୍ବିଛି । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୩ ଦିନ ଯାଏଁ କାଁ ଭାଁ ବର୍ଷା ହେବା ନେଇ ସମ୍ଭାବନା ରହିଛି । ତେବେ ଆଗାମୀ ୨୩ ତାରିଖ ଆଡ଼କୁ ରାଜ୍ୟରେ ପୁଣି ଥରେ ବର୍ଷା ବଢ଼ିପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସେହିଦିନ ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସେହିଭଳି କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି। ରବିବାର ଦିନ ଭୁବେନଶ୍ବର ସମତେ ଏହାର ଆଖପାଖ ଅଞ୍ଚଳର ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ମଧ୍ୟ ହୋଇପାରେ।