ଅହେତୁକ ବିଦ୍ୟୁତ ଦ୍ୱାରା ବୃଦ୍ଧି ପ୍ରତିବାଦରେ ଧାରଣା & ବିକ୍ଷୋଭ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟି ତରଫରୁ ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର ଦାବିରେ ରେମୁଣା ସ୍ଥିତ ନେସ୍କୋ ଅଫିସ ସମ୍ମୁଖରେ ଏକ ୪ ଘଣ୍ଟିଆ ଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ ସୋମବାର ପୂର୍ବାହ୍ନରେ ହୋଇଯାଇଛି l ଜିଲ୍ଲା ସଭାପତି ଶ୍ରୀ ସଂଜୀବ ଗିରିଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶ୍ରୀ ଗିରି ଉଦବୋଧନ ଦେବାକୁ ଯାଇ କହିଥିଲେ “ଗତ ୨୦୧୬ ମସିହାରେ ବିମୁଦ୍ରାୟନ ଓ ପରେ ପରେ ମହାମାରୀ କାରଣ ହେତୁ ସବୁବର୍ଗର ବିଶେଷତଃ ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ, ଗରିବ, ଚାଷୀ ତଥା ବିଦ୍ୟୁତ ବ୍ୟବହାରକାରୀ ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପାନୁଷ୍ଠାନର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୁର୍ବଳ ହୋଇଯାଇଛି l କ୍ରୟ ଶକ୍ତି ହ୍ରାସ ପାଇବାରେ ଲାଗିଛି l ସେହି ସମୟରେ ରାଜ୍ୟରେ ଥିବା ବିଦ୍ୟୁତ ନିୟାମକ ଆୟୋଗ ବିଦ୍ୟୁତ ଦେୟ ବୃଦ୍ଧି ଘଟାଇଛନ୍ତି l ବିଶେଷତଃ ‘ଟାଟା ବିଦ୍ୟୁତ ବିତରକ ସଂସ୍ଥା’ ବିତରଣ ଦାୟିତ୍ୱ ଦେବା ପରଠାରୁ ଏ ମଧ୍ୟରେ ୟୁନିଟ ପିଛା ଗତ ୭ ମାସ ମଧ୍ୟରେ ୨ ଥରରେ ୫୦ ପଇସା ଦର ବୃଦ୍ଧି ବଢ଼ାଇଛନ୍ତି l ଗତ ଥର ୨୦ ପଇସା ଓ ଏବେ ଏପ୍ରିଲ ମାସ ଠାରୁ ୟୁନିଟ ପିଛା ୩୦ ପଇସା ଦର ବୃଦ୍ଧି ଘଟାଇଛନ୍ତି l” ନୀଳଗିରିର ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ ଯୋଗଦେଇ କହିଥିଲେ ଯେ “ଆମ ରାଜ୍ୟ କୋଇଲା ଓ ପାଣି ଶସ୍ତା ଓ ସୁବିଧାରେ ମିଳିଥାଏ l ଜଳ ବିଦ୍ୟୁତ ଉତ୍ପାଦନ ଖର୍ଚ୍ଚ ଖୁବ କମ ହୋଇଥିବାରୁ ସମସ୍ତ ବିଦ୍ୟୁତ ଉତ୍ପାଦନର କ୍ରୟ ୟୁନିଟ ପିଛା ୩୦ ପଇସା ପଡିଥାଏ l ଅଥଚ ଉପଭୋକ୍ତାମାନଙ୍କୁ ବିଦ୍ୟୁତ ଶୁଳ୍କ, ବିଦ୍ୟୁତ କର ନିମନ୍ତେ ସବୁ ମିଶାଇ ୨୦୦ ୟୁନିଟ ବ୍ୟବହାର କରୁଥିବା ପ୍ରତ୍ୟେକ ଉପୋଭୋକ୍ତା ୟୁନିଟ ପିଛା ଟ. ୫.୬୦ ପଇସା ଓ ୪୦୦ ୟୁନିଟ ବା ତଦୁର୍ଦ୍ଧ ବିଦ୍ୟୁତ ବ୍ୟବହାର ପାଇଁ ୟୁନିଟ ପିଛା ଟ. ୬.୨୦ ପଇସା ଦେବାକୁ ହେଉଛି l ଏହା ପ୍ରତ୍ୟେକ ଉପୋଭୋକ୍ତାଙ୍କ ପାଇଁ ଅତ୍ୟନ୍ତ ଅସହ୍ୟ l”
ଶେଷରେ ଏକ ଦାବିପତ୍ର ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ତରୁଣ ଦାସ, ବିକାଶ ଦାସ, ରାଜୀବ ପରିଡା, ଚିତ୍ତରଂଜନ ଷଡ଼ଙ୍ଗୀ, ରଂଜନ ଦାସ, ପ୍ରଜ୍ଞାପାରମିତା ମହାନ୍ତି, ଅର୍ଚ୍ଚନା ନନ୍ଦୀ, ପଶୁପତି ଉପାଧ୍ୟାୟ, ଉପେନ୍ଦ୍ର ବେହେରା, ଜୟକୃଷ୍ଣ ବେହେରା, ମନୋରଞ୍ଜନ ପଣ୍ଡା, ପ୍ରତାପ ସେଠି, ଲକ୍ଷ୍ମୀକାନ୍ତ ଦାସ, ଦେବଦତ୍ତ ଦାସଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ l