ବାତ୍ୟା ପ୍ରଭାବିତ ଅଞ୍ଚଳକୁ ରିଲିଫ ସାମଗ୍ରୀ ପଠାଇଲା ଗଞ୍ଜାମ ଜିଲାପ୍ରଶାସନ

ଗଞ୍ଜାମ : ଓଡ଼ିଶାକୁ ଟଳିଲା ବାତ୍ୟା ୟାସ୍ର ବିପଦ। ବୁଧବାର ଲ୍ୟାଣ୍ଡଫଲ୍ ପରେ ଗୁରୁବାର ଓଡ଼ିଶା ଛା଼ଡ଼ିବ ବାତ୍ୟା ‘ୟାସ୍’। ବାତ୍ୟା ବିଶେଷ କରି ବାଲେଶ୍ୱର,ଭଦ୍ରକ,କେନ୍ଦ୍ରପଡା, ଜଗତିସଂହପୁର ଓ ମୟୂରଭଞ୍ଜ ଜିଲାରେ ଅଧିକ କ୍ଷୟକ୍ଷତି କରିଛି । ଯାହାଫଳରେ ବହୁ ଲୋକଙ୍କ ଘର ଭାଙ୍ଗିବା ସହ ସେମାନେ ଏବେ ବିଭିନ୍ନ ଆଶ୍ରୟସ୍ଥଳୀରେ ସୁରକ୍ଷିତ ଭାବେ ରହିଛନ୍ତି । ମାତ୍ର ଏହି ବାତ୍ୟା ୟାସ୍ର ପ୍ରବାହ ଗଞ୍ଜାମ ଜିଲାରେ ପଡିନାହିଁ । ଏହି ଘଡିସନ୍ଧି ମୁହୂର୍ତ୍ତରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପୁଣି ନିଜର ମାନବିକତା ପରିଚୟ ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି । ଜିଲାପ୍ରଶାସନ ପକ୍ଷରୁ ୧୦ ଟି ଗାଡିରେ ବିଭିନ୍ନ ରାସନ ସାମଗ୍ରୀ, ସୁଖିଲା ଖାଦ୍ୟ, ଚୁଡା, ଗୁଡ, ବିସ୍କୁଟ, ପିଇବା ପାଣି ଆଦି ରିଲିଫ ସାମଗ୍ରୀ ସମେତ କୋଭିଡ୍ ମୁକାବିଲା ସରଞ୍ଜାମ ପଠାଯାଇଛି। ଯେ କୌଣସି ଜିଲ୍ଲାକୁ ବିପଦପଡୁ ପ୍ରଥମେ ସହୟତାର ହାତ ବଢାଇଥାଏ ପ୍ରଥମେ ଗଞ୍ଜାମ ଜିଲ୍ଲା ପ୍ରଶାସନ । ପୂର୍ବରୁ ମଧ୍ୟ ଏହିଭଳି ସହଯୋଗ କରିବାର ନଜିର ରହିଛି । ଏହି ୧୦ଟି ଗାଡି ଡିଆରଡିଏ କାର୍ଯ୍ୟାଳୟରୁ ବାହାରିଥିଲା ।
ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର କମିସନର ଡଃ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ଡିଆରଡିଏ ପିଡି ସିନ୍ଧେ ଦତାତ୍ରେୟ ଭାଉସାହେବ, ବ୍ରହ୍ମପୁର ଉପ ଜିଲ୍ଲାପାଳ ଭି. କିର୍ତିଭାସନ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଏପିଡି ଜ୍ୟୋତି ଶଙ୍କର ରାୟ, ଛତ୍ରପୁର ନିର୍ବାହି ଅଧିକାରୀ ଏନ୍.ଗଣେଷ ବାବୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ୧୦ଟି ଗାଡିର ନୋଡାଲ ଅଫିସର ଭାବେ ଏପିଡି ତାଲିମ ବାଣି ସୁକାନ୍ତ ପଟ୍ଟନାୟକ, ଏପିଡି(ରୁରାଲ ହାଉସିଂ) ସୈାମ୍ୟରଞ୍ଜନ ହୋତା, ମହେଶ ଗୈାଡ ପ୍ରମୁଖ ଯାଇଛନ୍ତି।