ଟାଟା ମୋଟର୍ସରେ ଚାକିରୀ ଦେବା ନାମରେ ଟଙ୍କା ଠକେଇ ମାମଲା : ବିଧାୟକ ପ୍ରଦୀପଙ୍କ ଜାମିନ୍ ଖାରଜ
ଗଞ୍ଜାମ : ଟାଟା ମୋଟର୍ସରେ ଚାକିରୀ ଦେବା ନାମରେ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ଡଃ. ପ୍ରଦୀପ ପାଣିଗ୍ରାହୀଙ୍କ ଆଉ ଏକ ମାମଲାରେ ଜାମିନ୍ ଖାରଜ ହୋଇଯାଇଛି । ବ୍ରହ୍ମପୁର ଏଡିଜେ-୧ ଡଃ. ପ୍ରଶନ୍ନ ପଣ୍ଡା ତାଙ୍କ ଜାମିନ୍ ଆବେଦନର ଶୁଣାଣି କରି ଏହାକୁ ଖାରଜ କରିଛନ୍ତି । ଜାମିନ୍ ପାଇଁ ହାଇକୋର୍ଟରେ ଆବେଦନ କରାଯିବ ବୋଲି ତାଙ୍କ ଓକିଲ କହିଛନ୍ତି ।
ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଗୋଳନ୍ଥରା ଥାନା ଅନ୍ତର୍ଗତ ମାଝିଗାଁର ବି. ଶିବପାତ୍ର ଟାଟା ମୋଟର୍ସରେ ଚାକିରୀ ପାଇବା ଆଶାରେ ବିଧାୟକଙ୍କୁ ଗତ ୨୦୧୯ ଅକ୍ଟୋବର ୨୦ ତାରିଖରେ ବ୍ରହ୍ମପୁର ସ୍ଥିତ ତାଙ୍କ ବାସଭବନରେ ୨ ଲକ୍ଷ ଟଙ୍କା ଦେଇଥିଲେ । ଏଥିପାଇଁ ବିଧାୟକଙ୍କ ସହଯୋଗୀ ସର୍ବେଶ୍ୱର ରାଓ ତାଙ୍କୁ ପ୍ରବର୍ତାଇଥିଲେ । କିନ୍ତୁ, ପରବର୍ତି ସମୟରେ ତାଙ୍କୁ ଚାକିରୀ ମିଳିନଥିଲା । ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ସେ ଏ ସଂକ୍ରାନ୍ତରେ କୋର୍ଟରେ ମାମଲା ଦାୟର୍ କରିଥିଲେ । ଗତ ଅପ୍ରେଲ ୨୦ ତାରିଖରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶିବ ଗୋଳନ୍ଥରା ଥାନାରେ ଏତଲା କରିବା ପରେ କେସ୍ ନଂ ୧୨୦/୨୧ ଅନୁସାରେ ପୋଲିସ ଏନେଇ ଏକ ଠକେଇ ମାମଲା ରୁଜ୍ଜୁ କରିଥିଲା । ଏହି ମାମଲାରେ ଗତ ମଇ ୧୯ ତାରିଖରେ ବ୍ରହ୍ମପୁର ପୋଲିସ ବିଧାୟକ ପ୍ରଦୀପ ଓ ତାଙ୍କ ସହଯୋଗୀ ସର୍ବେଶ୍ୱରଙ୍କୁ ବ୍ରହ୍ମପୁର ଏସଡ଼ିଜେଏମ କୋର୍ଟରେ ହାଜର କରାଇଥିଲେ । ଏହି ମାମଲାରେ ରିମାଣ୍ଡରେ ଆଣିବା ପରେ ପୁଣି ଥରେ ଉଭୟଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲ୍ କୁ ପଠାଇ ଦିଆଯାଇଛି ।