ଚନ୍ଦନଯାତ୍ରା ପାଇଁ ଚୂଡାନ୍ତ ହେଲା ମହାପ୍ରଭୁଙ୍କ ନୀତିକାନ୍ତି
ପୁରୀ : ଆସନ୍ତାକାଲି ପବିତ୍ର ଅକ୍ଷୟତୃତୀୟା। ଏହି ତିଥିରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହେଉଥିବାରୁ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ମଧ୍ୟ ସମୟ ନିର୍ଦ୍ଧାରିତ ହୋଇଛି । ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟାଟି ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା ଭାବେ ପରିଚିତ । ନୂତନ କାର୍ଯ୍ୟଟିଏ ଆରମ୍ଭ କରିବା ପାଇଁ ଅକ୍ଷୟ ତୃତୀୟା ହେଉଛି ପୂରା ବର୍ଷ ମଧ୍ୟରେ ସବୁଠାରୁ ଶୁଭ ତିଥି । ଏହି ଦିନ କୌଣସି କାର୍ଯ୍ୟ ଆରମ୍ଭ କଲେ ତାହା କ୍ଷୟ ନହୋଇ ଅକ୍ଷୁର୍ଣ୍ଣ ରହିଥାଏ । ଶୁଭଦିନ ମନେକରି ଏହିଦିନ ଅକ୍ଷିମୁଠି ଅନୁକୁଳ, ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମମାନ ଅନୁଷ୍ଠିତ ହୋଇଥାଏ । ସେହିପରି ମୁହୂର୍ତ୍ତ ଶାସ୍ତ୍ର ଅନୁଯାୟୀ ଅକ୍ଷୟ ତୃତୀୟା ହେଉଛି ଆବୁଝା ମୁହୁର୍ତ୍ତ ବା ସ୍ବୟଂ ସିଦ୍ଧ ମୁହୂର୍ତ୍ତ। ଅର୍ଥାତ୍ ଯେଉଁ ତିଥିର ସବୁ ସମୟରେ ଶୁଭ କାର୍ଯ୍ୟ ବା ମାଙ୍ଗଳିକ କାର୍ଯ୍ୟ ସମ୍ପର୍ଣ୍ଣ କରିହେବ ଏବଂ କୌଣସି ସମୟକୁ ବିବେଚନା କରାଯିବ ନାହିଁ, ତାହାକୁ ଆବୁଝା ମୁହୁର୍ତ୍ତ କିମ୍ବା ସ୍ୱୟଂ ସିଦ୍ଧ ମୁହୂର୍ତ୍ତ ବୋଲି କୁହାଯାଏ। ଏହି ଦିନ ଠାରୁ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ସହ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ ଅନୁକୂଳ ହେବ। ଏହି ଦିନକୁ ଓଡିଆ ଧର୍ମ ଗ୍ରନ୍ଥରେ ସବୁଠୁ ପବିତ୍ର ଦିନ ବୋଲି ବିବେଚନା କରାଯାଏ । ଅକ୍ଷୟ ତୃତୀୟା ତିଥିରେ ଅକ୍ଷି ପୂଜା ହେବା ପରେ ବିଶ୍ଵକର୍ମା ଓ ତାଙ୍କର ସହଯୋଗୀଗଣ ରଥନିର୍ମାଣରେ ପ୍ରବୃତ୍ତ ହୋଇଥାନ୍ତି ।
ଶନିବାର ଭୋର ସାଢ଼େ ୩ଟାରେ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ପରେ ସାଢ଼େ ୩ଟାରେ ଭିତର ଶୋଧ, ଭୋର ୪ଟାରେ ମଙ୍ଗଳ ଆଳତି କରାଯିବ । ଏହାପରେ ମହାପ୍ରଭୁଙ୍କ ମଇଲମ ଓ ତଡ଼ପଲାଗି ନୀତି ସଂପନ୍ନ ହେବ । ସକାଳ ସାଢ଼େ ୫ଟାରେ ଅବକାଶ, ୬ଟାରେ ରୋଷହୋମ ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା କରାଯାଇ ସକାଳ ସାଢ଼େ ୬ଟାରେ ବେଶ ଶେଷ ହେବ । ସକାଳ ୭ଟାରେ ଗୋପାଳ ବଲ୍ଲଭ, ସାଢ଼େ ୭ଟାରୁ ସାଢ଼େ ୯ଟା ମଧ୍ୟରେ ସକାଳ ଧୂପ, ୧୦ଟାରେ ମଇଲମ ଓ ଯାତ୍ରାଙ୍ଗୀ ମହାସ୍ନାନ, ସେହିଭଳି ୧୦ଟା ୪୦ରେ ଚନ୍ଦନ ବେଢ଼ା, ସାଢ଼େ ୧୧ଟାରେ ଖଇକୋରା ଭୋଗ, ମଧ୍ୟାହ୍ନ ୧୨ଟାରେ ସର୍ବାଙ୍ଗ କରାଯାଇ ମଧ୍ୟାହ୍ନରେ ବେଶ ଶେଷ ହେବ । ଅପରାହ୍ଣ ଗୋଟାଏରୁ ସାଢ଼େ ୨ଟା ମଧ୍ୟରେ ଘଣ୍ଟଛତା ଯାତ ଭୋଗ ଓ ମଧ୍ୟାହ୍ନ ଧୂପ କରାଯିବ । ଅପରାହ୍ଣ ୩ଟାରେ ଦ୍ୱାଦଶ ଯାତ୍ରା ବନ୍ଦାପନା କରାଯାଇ ସାଢ଼େ ୩ଟାରେ ବିମାନକୁ ଦିଅଁ ବିଜେ କରିବେ । ଏହାପରେ ଅପରାହ୍ନ ୪ଟାରେ ରଥ ଅନୁକୂଳ ପାଇଁ ଆଜ୍ଞାମାଳ ବିଜେ ପରେ ମହାପ୍ରଭୁଙ୍କ ବିମାନ ଉଠିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ଣ ୧ଟା ୧୦ରୁ ସାଢ଼େ ୪ଟା ମଧ୍ୟରେ ଭୋଗମଣ୍ଡପ ସମୟ ନିର୍ଘଣ୍ଟ ହୋଇଛି । ୫ଟାରୁ ୫ଟା ୪୫ ମିନିଟ୍ ମଧ୍ୟରେ ମଇଲମ ଓ ବେଶ ଅନୁଷ୍ଠିତ ହୋଇ ୬ଟାରେ ସଂଧ୍ୟା ଆଳତି, ସାଢ଼େ ୬ଟାରୁ ୮ଟା ପର୍ଯ୍ୟନ୍ତ ସଂଧ୍ୟା ଧୂପ ନୀତି ଅନୁଷ୍ଠିତ ହେବ । ପରେ ମଇଲମ, ଆଲଟଲାଗି, ପଣାଭୋଗ କରାଯିବ । ରାତି ୧୦ଟାରେ ଚନ୍ଦନ ଠାକୁର ବାହୁଡ଼ା ବିଜେ କରିବେ । ମଇଲମ ଓ ଚନ୍ଦନଲାଗି ପରେ ରାତି ସାଢ଼େ ୧୧ଟାରେ ବଡ଼ସିଂହାର ବେଶ, ୧୨ଟାରେ ବଡସିଂହାର ଭୋଗ ଏବଂ ରାତି ସାଢ଼େ ୧୨ଟାରେ ପହଡ଼ ନୀତି ଅନୁଷ୍ଠିତ ହେବ । ତେବେ କେବଳ ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ଶ୍ରୀମନ୍ଦିରକୁ ବାହୁଡା ନୀତି ସମୟ ରାତି ୧୦ ଟା ରଖାଯାଇଛି, ଏହା ଛଡା ଅନ୍ୟ ସବୁ ଦିନ ମାନଙ୍କରେ ରାତି ୯ ଟାରୁ ୯.୩୦ ମଧ୍ୟରେ ନରେନ୍ଦ୍ର ପୁଷ୍ପରୀଣିରୁ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ବାହୁଡା ବିଜେ ର ସମୟ ନିର୍ଦ୍ଧାରିତ ହୋଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।