ଡମି ମୁଖ୍ୟମନ୍ତ୍ରୀର କୌଣସି ଫାଇଦା ନାହିଁ : ସିଦ୍ଧୁ
ଅମୃତସର/ଚଣ୍ଡୀଗଡ଼ : ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଏବଂ ପଞ୍ଜାବର କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ବିବାଦ କ୍ରମଶଃ ତେଜିବାରେ ଲାଗିଛି । ରାଷ୍ଟ୍ରବିରୋଧୀ ବୟାନ ଦେଇଥିବା ସିଦ୍ଧୁଙ୍କ ପରାମର୍ଶଦାତା ମଲବିନ୍ଦର ସିଂହ ମାଲି ଇସ୍ତଫା ଦେବା ପରେ ଏବେ ସିଦ୍ଧୁ କ୍ୟାପଟେନ ଅମରିନ୍ଦର ସିଂହଙ୍କ ବିରୋଧରେ ପୁଣି ଥରେ ବୟାନ ରଖିଛନ୍ତି ।
ଅମୃତସରରେ ନଗରର ବ୍ୟବସାୟ ଓ ଉଦ୍ୟୋଗିକ ଏସୋସିଏସନର ଏକ ବୈଠକରେ ଯୋଗଦେଇ ସିଦ୍ଧୁ ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ କହିଥିଲେ ଯେ, ଡମି ମୁଖ୍ୟମନ୍ତ୍ରୀର କୌଣସି ଫାଇଦା ନାହିଁ । ସେ କେବଳ ପ୍ରତିଶୃତି ଦିଅନ୍ତି ଯେ, ପଞ୍ଜାବର ବିଭିନ୍ନ ପ୍ରସଙ୍ଗକୁ ନେଇ ସେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେବେ । ହେଲେ ସେ ସେମିତି କିଛି କରନ୍ତି ନାହିଁ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମଧ୍ୟ ଦଳର ପଞ୍ଜାବ ପ୍ରଭାରୀ ହରିଶ ରାୱତଙ୍କୁ ସିଦ୍ଧୁଙ୍କ ବୟାନ ବାଜି ଦ୍ୱାରା ଦଳର ହେଉଥିବା କ୍ଷତି ନେଇ ଅବଗତ କରାଇଛନ୍ତି ଏବଂ ଏନେଇ ସେ ଚିନ୍ତା ବ୍ୟକ୍ତ କରିଛନ୍ତି ।