ଅମାନିଆଙ୍କୁ ସାବାଡ୍ କରିବାକୁ କମିଶନରେଟ୍ ପୋଲିସ୍ର ନିଷ୍ପତି, କର୍ମଚାରୀଙ୍କ ତାଲିକା ଦେବ ସଂସ୍ଥା

ଭୁବନେଶ୍ୱର : ସଂସ୍ଥା ପକ୍ଷରୁ ଦିଆଯାଇଥିବା ପରିଚୟପତ୍ରର ଦୁରୁପଯୋଗ କରି ରାସ୍ତାରେ ବୁଲୁଥିବା ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । କେଉଁ କର୍ମଚାରୀଙ୍କୁ ଅଫିସ ଆସିବାକୁ କୁହାଯାଇଛି ତାହାର ଏକ ତାଲିକା ଡିସିପି ଅଫିସରେ ଦାଖଲ କରିବ ସଂସ୍ଥା । ଏଥିସହ ନିଜ କର୍ମଚାରୀଙ୍କୁ ଏକ ଅଥରାଇଜେସନ ଲେଟର ବି ଦେବ ସଂସ୍ଥା । ପରିଚୟପତ୍ର ଓ ଅଥରାଇଜେସନ ଲେଟର ଦେଖାଇ ସଂପୃକ୍ତ କର୍ମଚାରୀ ଯାତାୟତ କରିପାରିବେ ବୋଲି କହିଛନ୍ତି ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।ସେ କହିଛନ୍ତି ଯେ ଏଥର ଲକଡାଉନ ଓ ସଟଡାଉନରେ କୌଣସି ପାସ୍ ଜାରି କରାଯାଇନି । ସଂସ୍ଥାର ପରିଚୟପତ୍ର ଦେଖାଇ ଯିବାକୁ କୁହାଯାଇଛି । ଲୋକଙ୍କୁ ବିଶ୍ୱାସକୁ ନେଇ ପୋଲିସ୍ କାମ କରୁଛି । ଏହାସହ ଆଇଟି, ବ୍ୟାଙ୍କ ଭଳି ସେବା କ୍ଷେତ୍ରର ସଂସ୍ଥାକୁ କଟକଣାମୁକ୍ତ କରାଯାଇଛି । ହେଲେ ଏହାର ସୁଯୋଗ ନେଇ କର୍ମଚାରୀମାନେ ଖୁଲମଖୁଲା ସେମାନଙ୍କ କାର୍ଡ ଦେଖାଇ ବୁଲୁଛନ୍ତି ।ଏହା ଉପରେ ନିୟନ୍ତ୍ରଣ ଆଣିବା ଲାଗି ସେମାନଙ୍କ ସଂସ୍ଥାକୁ ନିର୍ଦ୍ଦେଶ ଜାରି କରାଯାଇଛି । କେଉଁ କର୍ମଚାରୀ କେଉଁ ଅଫିସରେ, କେଉଁ ସମୟରେ କାମ କରିବେ ସେନେଇ ନିର୍ଦ୍ଦିଷ୍ଟ ଅଥରାଇଜେସନ ଲେଟର ଡିସିପିଙ୍କ ପାଖରେ ଦାଖଲ କରିବାକୁ ସଂସ୍ଥାଗୁଡିକୁ କୁହାଯାଇଥିବା ସେ କହିଛନ୍ତି ।
ଲକ୍ଡାଉନ ସମୟରେ ଅଧିକାଂଶ ଲୋକ ଅଫିସ କାର୍ଡ ଦେଖାଇ ଏଣେତେଣେ ଘୁରି ବୁଲୁଛନ୍ତି । ଏମାନଙ୍କ ଯୋଗୁ ସଂକ୍ରମଣ ବୃଦ୍ଧି ପାଇବା ଅଶଙ୍କା ଉପୁଜିଛି । ଏହାକୁ ଦେଖି ପୁରୁଣା ନିୟମକୁ ସୋମବାର ଠାରୁ କଡାକଡି ଭାବେ ପାଳନ କରିବ କମିଶନରେଟ୍ ପୁଲିସ୍ । ଯେଉଁମାନଙ୍କୁ ଲକ୍ଡାଉନ ସମୟରେ ଅଫିସ ଯିବାକୁ ଅନୁମତି ମିଳିଛି, ସେମାନେ କେବଳ ନିଜ ଘର ଠାରୁ ଅଫିସ ପର୍ଯ୍ୟନ୍ତ ସେହି ଆଇ କାର୍ଡ ଦେଖାଇ ଯାଇ ପାରିବେ । ଅନ୍ୟ କୌଣସି ସ୍ଥାନକୁ ଗଲେ କାର୍ଯ୍ୟାନୁଷ୍ଠାନ ହେବ । ଲକଡାଉନ ସମୟରେ କିଛି ଜରୁରୀକାଳିନ ସେବାରେ ଥିବା ବେସରକାରୀ ସଂସ୍ଥାକୁ ଅଫିସ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ସେହି ସଂସ୍ଥାର କର୍ମଚାରୀ ମାନେ ନିଜର ଅଫିସ ଆଇ କାର୍ଡ ଦେଖାଇଲେ ପୋଲିସ ରାସ୍ତାରେ ଅଟକାଇବ ନାହିଁ । ହେଲେ ଏହାର ଫାଇଦା ନେଇ କର୍ମଚାରୀମାନେ ଅଫିସ ଯିବା ସହ ବିଭିନ୍ନ ସ୍ଥାନରେ ଘୁରି ବୁଲୁଛନ୍ତି । ଯାହାକୁ ନେଇ କଠୋର ହୋଇଛି ପୁଲିସ୍ । ଏନେଇ ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, କିଛିଦିନ ହେବ ଲକ୍ଷ୍ୟ କରୁଛୁ, ଲକଡାଉନରେ ଅଫିସ ଯାଉଥିବା ବେସରକାରୀ କର୍ମଚାରୀମାନେ ଅଫିସ ବାଦ ଏଣେତେଣେ ବୁଲୁଛନ୍ତି । ଚେକିଂ ବେଳେ ନିଜର ଆଇଡି କାର୍ଡ ଦେଖାଇ ଖସି ଯାଉଛନ୍ତି । ତେଣୁ ସେମାନଙ୍କ ପ୍ରତି ଏଥର କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେଉଁ ବେସରକାରୀ ସଂସ୍ଥା ଗୁଡିକର ଲକଡାଉନ ସମୟରେ ଅଫିସ ଖୋଲା ରହିଛି, ସେମାନଙ୍କ ଅଫିସ ଠିକଣା, କେତେଜଣ କର୍ମଚାରୀ ଲକଡାଉନ ସମୟରେ ଅଫିସ ଯାଉଛନ୍ତି, ସେମାନେ କେଉଁଠୁ କେଉଁ ପର୍ଯ୍ୟନ୍ତ ଯିବେ ? ସେ ସବୁର ତାଲିକା ଡିସିପିଙ୍କ ପାଖରେ ଦାଖଲ କରିବାକୁ ପ୍ରେତ୍ୟେକ ବେସରକାରୀ ଅଫିସର ମୁଖ୍ୟଙ୍କୁ କୁହାଯାଇଛି । ତାଲିକାରେ ଯାହାର ନାଁ ନଥିବ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଲକଡାଉନ ପାଇଁ କାହାକୁ ପୋଲିସ ପକ୍ଷରୁ ପାସ୍ ଦିଆ ଯାଇନାହିଁ । ଯେଉଁମାନଙ୍କୁ ସରକାର ଅନୁମତି ଦେଇଛନ୍ତି ଅଫିସ ଖୋଲିବାକୁ ସେମାନେ ଆଇଡି କାର୍ଡ ଦେଖାଇ ଯିବା ଆସିବା କରି ପାରିବେ । ସୂଚନା ଯେ, ଲକଡାଉନ୍ ସମୟରେ ଆଇଟି ସଂସ୍ଥାରେ ୫୦% ପ୍ରତିଶତ କର୍ମଚାରୀ, କର୍ପୋରେଟ୍ ସଂସ୍ଥା ଓ ଶିଳ୍ପସଂସ୍ଥା ଗୁଡ଼ିକୁ ୩୦ ପ୍ରତିଶତ କର୍ମଚାରୀ ଏବଂ ବିଭିନ୍ନ ଘରୋଇ ସଂସ୍ଥା ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିପାରିବେ ବୋଲି ସରକାର ନିୟମ କରିଛନ୍ତି ।