ସୁରୁଖୁରୁ ରଥଯାତ୍ରା ପରିଚାଳନା ପାଇଁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ
![](https://thetruths.in/wp-content/uploads/2021/07/CM-Naveen-Pattnaik-Thnks-1024x576.jpg)
ଭୁବନେଶ୍ୱର : କୋଭିଡ୍ କଟକଣା ମଧ୍ୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସୋମବାର ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବା ଏବଂ ତିନିରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଂଚିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସେବାୟତମାନଙ୍କୁ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ମହାପ୍ରଭୁଙ୍କ ରଥଯାତ୍ରା ଯେପରି ସୁରୁଖୁରୁରେ ସମ୍ପନ୍ନ ହେବ ସେଥିପାଇଁ ଦିନରାତି କାମ କରିଥିବା ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ, ପୋଲିସ୍ ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି । ସର୍ବୋପରି କୋଭିଡ କଟକଣା ମଧ୍ୟରେ ଆଜିର ଶ୍ରୀଗୁଣ୍ଡିଚା ଯାତ୍ରାରେ ପୁରୀର ଜନସାଧାରଣ ଯେପରି ଶୃଙ୍ଖଳାର ପରାକାଷ୍ଠା ଦେଖାଇଛନ୍ତି ତାହା ନିଶ୍ଚିତ ଭାବରେ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ବୋଲି ବର୍ଣ୍ଣନା କରିବା ସହ ମୁଖ୍ୟମନ୍ତ୍ରୀ ପୁରୀବାସୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ।
ସେହିପରି ରଥ ଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭକାମନା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ଚତୁର୍ଦ୍ଧାମୂର୍ତିଙ୍କ ଅପାର କରୁଣାରୁ କୋଭିଡ ସଙ୍କଟ ଶୀଘ୍ର ଦୂର ହେଉ । ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି । ରଥରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସମଗ୍ର ବିଶ୍ୱ ଅନାଇ ରହିଛି । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରଥଯାତ୍ରାର ସୁପରିଚାଳନା ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ସୁନିଶ୍ଚିତ କରୁଛନ୍ତି । ଆସନ୍ତୁ, ନିୟମ ମାନି ବିଶ୍ୱବାସୀଙ୍କ ଆଗରେ ଆମ ଶୃଙ୍ଖଳା ଓ ଭକ୍ତିର ଅନନ୍ୟ ଉଦାହରଣ ସୃଷ୍ଟି କରିବା । ଜୟ ଜଗନ୍ନାଥ ।