ଆଫଗାନିସ୍ତାନରେ ପୁଣି ତାଲିବାନୀ ଶାସନ ଆରମ୍ଭ!
![](https://thetruths.in/wp-content/uploads/2021/08/Taliban-in-Afganistan.jpg)
- ଯୁଦ୍ଧ ଶେଷ ହୋଇଛି, ନାଗରିକଙ୍କ ସୁରକ୍ଷା ପାଇଁ ବଦ୍ଧ ପରିକର
- ବିଭିନ୍ନ ଦେଶ ସହ ସେମାନେ ଶାନ୍ତିପୂର୍ଣ୍ଣ ସମ୍ପର୍କ ରକ୍ଷା ନେଇ ଆଲୋଚନା : ତାଲିବାନ
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଆରମ୍ଭ ହେବାକୁ ଯାଉଛି ତାଲିବାନୀ ଶାସନ। ତାଲିବାନ ଆଗରେ ଆଫଗାନ୍ ସରକାର ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରିଛନ୍ତି । ଏନେଇ ତାଲିବାନ ମୁଖପାତ୍ର ମହମ୍ମଦ ନଇମ୍ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାରରେ ସୂଚନା ଦେଇ କହିଛନ୍ତି ଯେ, ଆଫଗାନିସ୍ତାନରେ ଏବେ ଯୁଦ୍ଧ ଶେଷ ହୋଇଛି । ଏହାସହ ବିଭିନ୍ନ ଦେଶ ସହ ସେମାନେ ଶାନ୍ତିପୂର୍ଣ୍ଣ ସମ୍ପର୍କ ରକ୍ଷା କରିବାକୁ ଚାହୁଁଥିବା ମଧ୍ୟ କହିଛନ୍ତି । ସେହିପରି ସେମାନେ ଏକଛତ୍ରବାଦ ଶାସନ କରିବେ ନାହିଁ । ସେମାନଙ୍କ ଆଭିମୁଖ୍ୟ ଅତିଶୀଘ୍ର ସ୍ପଷ୍ଟ ହେବ । ସେମାନେ ମହିଳା ଓ ଶିଶୁଙ୍କୁ ସମ୍ମାନ ଦିଅନ୍ତି । ମହିଳାଙ୍କ ଅଧିକାର କଣ ରହିବ ତାହା ସାରିୟା ଆଇନରେ ଉଲ୍ଲେଖ ରହିଛି । ସେମାନେ ଆଫଗାନବାସୀଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଓ ସେମାନଙ୍କ ସୁରକ୍ଷା ପାଇଁ ବଦ୍ଧ ପରିକର ବୋଲି ପ୍ରକାଶ କରିଛନ୍ତି ।
ସୂଚନା ଯେ, ଆଫଗାନିସ୍ତାନରେ ପୁଣି ତାଲିବାନୀ ଶାସନ ଫେରିଛି । ରାଷ୍ଟ୍ରପତି ଅଶରଫ୍ ଗନୀ ଦେଶ ଛାଡି ଚାଲିଯାଇଛନ୍ତି । ରାଷ୍ଟ୍ରପତି ଗନୀଙ୍କ ସମେତ ତାଙ୍କ ପୁରା ଟିମ ଦେଶ ଛାଡି ଚାଲିଯାଇଥିବା ସୂଚନା ମିଳିଛି । ତାଲିବାନ ଆଗରେ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରିଛନ୍ତି ଆଫଗାନ୍ ସରକାର । ଏଣିକି ସେଠାରେ ତାଲିବାନ ସରକାର ଚାଲିବ । ଦେଶର ଅଧିକାଂଶ ସ୍ଥାନରେ ବର୍ତ୍ତମାନ କଠୋରପନ୍ଥୀ ତାଲିବାନମାନେ କବ୍ଜା କରିସାରିଲେଣି । ଏତତ୍ ବ୍ୟତୀତ ତାଲିବାନ ନେତାଙ୍କୁ କ୍ଷମତା ହସ୍ତାନ୍ତର ନେଇ ଆଲୋଚନା ଜାରି ରହିଛି । କ୍ଷମତା ହସ୍ତାନ୍ତର କରିବା ପ୍ରାୟତଃ ନିଶ୍ଚିତ ହୋଇସାରିଛି । କେବଳ ଆଲୋଚନା ବାକି ଅଛି । ଯଦି ତାଲିବାନୀମାନେ କାବୁଲରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରନ୍ତି ତେବେ ସେମାନଙ୍କୁ ଜବାବ ଦିଆଯିବ ବୋଲି ଗୃହ ମନ୍ତ୍ରାଳୟ କହିଛି ।