ସର୍ଭେ ରିପୋର୍ଟ : ଯଦି ଆଜି ଲୋକସଭା ନିର୍ବାଚନ ହୁଏ ତ ଓଡ଼ିଶାରେ ନବୀନଙ୍କ ଚାଲିବ ଯାଦୁ ନା ବିଜେପି ମାରିବ ବାଜି, ଜାଣନ୍ତୁ କାହାକୁ ମିଳିବ କେତେ ଆସନ
![](https://thetruths.in/wp-content/uploads/2022/07/PM-Narendra-Modi-CM-Naveen-Patnaik-1024x778.jpg)
ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନ ପ୍ରାୟ ୨ ବର୍ଷ ପରେ ଅନୁଷ୍ଠିତ ହେବ ଅର୍ଥାତ ୨୦୨୪ରେ ଲୋକସଭା ନିର୍ବାଚନ ହେବ । ତେବେ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଚମତ୍କାର ପ୍ରଦର୍ଶନ କରିଥିଲା ଓ ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ଏସବୁ ଭିତରେ ପ୍ରଶ୍ନ ଉଠିଛି ଯେ ଯଦି ଆଜି ଦେଶରେ ଲୋକସଭା ନିର୍ବାଚନ ହୁଏ ତେବେ ଓଡ଼ିଶାରେ ବିଜେପି କେତେ ଆସନ ଜିତିବ? ଇଣ୍ଡିଆ ଟିଭି-ମ୍ୟାଟେରିଜ୍ ଦ୍ୱାରା ଏହି ସର୍ଭେ କରାଯାଇଛି । ଏହି ସର୍ଭେରେ ଅନେକ ପ୍ରଶ୍ନ ପଚରାଯାଇଛି । ଆସନ୍ତୁ ଜାଣିବା ଯଦି ଆଜି ନିର୍ବାଚନ ଅନୁଷ୍ଠିତ ହୁଏ ତେବେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ବା ବିଜେପିକୁ କେତେ ଲାଭ ନା କ୍ଷତି ହେବ ।
ସୂଚନାଯୋଗ୍ୟ, ଓଡ଼ିଶାରେ ମୋଟ ୨୧ଟି ଲୋକସଭା ଆସନ ଅଛି । ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୨୧ଟି ଆସନ ମଧ୍ୟରୁ ୮ଟି ଜିତିଛି । ଇଣ୍ଡିଆ ଟିଭି-ମ୍ୟାଟେରିଜ୍ ସର୍ଭେ ଅନୁଯାୟୀ, ଯଦି ଆଜି ନିର୍ବାଚନ ଅନୁଷ୍ଠିତ ହୁଏ, ତେବେ ୨୧ଟି ଲୋକସଭା ଆସନ ମଧ୍ୟରୁ ୧୧ଟି ଆସନ ବିଜେପି ଜିତିପାରେ । ଅନ୍ୟପକ୍ଷରେ ବିଜୁ ଜନତା ଦଳ ୮ଟି ଆସନ ଜିତିବ ବୋଲି ଅନୁମାନ କରାଯାଇଛି । ଅନ୍ୟପଟେ କଂଗ୍ରେସ ୨ଟି ଆସନ ହାସଲ କରିପାରେ ବୋଲି ସର୍ଭେରେ ଅନୁମାନ କରାଯାଇଛି । ଉଲ୍ଲେଖନୀୟ କଥା ହେଉଛି, ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ଓଡ଼ିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ ୧ଟି ଜିତିବାରେ ସଫଳ ହୋଇଥିଲା । ୨୦୧୯ ଲୋକସଭା ନିର୍ବାଚନରେ ଓଡ଼ିଶାରୁ ବିଜେଡିକୁ ୧୨ଟି ଆସନ, ବିଜେପିକୁ ୮ଟି ଆସନ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିଛି ।
ଇଣ୍ଡିଆ ଟିଭି ସର୍ଭେରେ କୁହାଯାଇଛି ଯେ, ଦେଶର ୪୮ ପ୍ରତିଶତ ଲୋକ ଚାହୁଁଛନ୍ତି ଯେ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ । ଏଥି ସହିତ ୧୧ ପ୍ରତିଶତ ଲୋକ ଏହି ପଦରେ ରାହୁଲ ଗାନ୍ଧୀଙ୍କୁ ଦେଖିବାକୁ ଚାହୁଁଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୮ ପ୍ରତିଶତ ଲୋକ ପସନ୍ଦ କରନ୍ତି । ୭ ପ୍ରତିଶତ ଲୋକ ସୋନିଆ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପସନ୍ଦ କରନ୍ତି । ୬ ପ୍ରତିଶତ ମାୟାବତୀଙ୍କୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ମନେ କରୁଥିବାବେଳେ ୬ ପ୍ରତିଶତ ଲୋକ ଶରଦ ପାୱାରଙ୍କୁ ପ୍ରଧାନମନ୍ତ୍ରୀ ଦେଖିବାକୁ ଚାହୁଁଛନ୍ତି । ଏଥି ସହିତ, AAP ର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଏହି ଦୌଡ଼ରେ ବହୁ ପଛରେ ଦେଖିବାକୁ ମିଳିଛି । ୪ ପ୍ରତିଶତ ଲୋକ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରଥମ ପସନ୍ଦ ବୋଲି ମନେ କରିଛନ୍ତି । ନୀତିଶ କୁମାରଙ୍କୁ ୪ ପ୍ରତିଶତ, କେ ଚନ୍ଦ୍ରଶେଖର ରାଓଙ୍କୁ ୩ ପ୍ରତିଶତ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ୨ ପ୍ରତିଶତ ଲୋକ ପିଏମ ପଦ ପାଇଁ ପସନ୍ଦ କରିଛନ୍ତି ।