ଶ୍ରୀଜିଉଙ୍କ ବନକ ଲାଗି ନୀତି ଅନୁଷ୍ଠିତ

ପୁରୀ : ଆଜି ବୈଶାଖ ଶୁକ୍ଳ ପ୍ରତିପଦାରେ ଶ୍ରୀଜିଉମାନଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକ ଲାଗି ନୀତି ଅନୁଷ୍ଠିତ ହୋଇଛି । ମଧ୍ୟାହ୍ନ ଭୋଗ ପରେ ଦତ ମହାପାତ୍ର ସେବକ ଗର୍ଭଗୃହରେ ପ୍ରବେଶ କରିଥିଲେ । ଅପରାହ୍ନ ୩ଟା ୫୦ରେ ଏହି ନୀତି ଆରମ୍ଭ ହୋଇଥିଲା । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରଶାଧାନରେ ଶ୍ରୀମୁଖ ଶୃଙ୍ଗାର କରାଯାଇଥିଲା ।
ବନକଲାଗି ପରେ ଶ୍ରୀଜିଉଙ୍କ ଶ୍ରୀମୁଖ ଉଜ୍ଜ୍ୱଳ ଦେଖାଯାଇଥିଲା । ଦତ ମହାପାତ୍ରମାନେ ଗର୍ଭଗୃହରେ ରହି ଏହି ଗୁପ୍ତନୀତି ସଂପାଦନ କରିଥିଲେ । ଏଥିପାଇଁ ପ୍ରାୟ ଘଣ୍ଟାଗର୍ଭଗୃହର ଦ୍ୱାର ବନ୍ଦ କରାଯାଇଥିଲା । ଏହି ବନକଲାଗିରେ କଳା, ନାଲି ଓ ହଳଦିଆ ରଙ୍ଗଲାଗି ହରିତାଳ, ନାଲି ରଙ୍ଗ ଲାଗି ହିଙ୍ଗୁଳ ବ୍ୟବହୃତ ହୋଇଥାଏ । ଦତ ମହାପାତ୍ର ସେବକ ମୂଷିକ ତୂଳିରେ ଶ୍ରୀମୁଖ ଶୃଙ୍ଗାର କରିଥିଲେ । ବନକଲାଗି ନୀତି ଶେଷ ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା । କରୋନା କଟକଣା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । କସ୍ତୁରି ଓ କେଶର ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜ୍ୱଳ ଦେଖାଯାଇଥାଏ । ଦତ ମହାପାତ୍ରଙ୍କୁ ପାଳିଆ ଖୁଂଟିଆ, ପାଳିଆ ପୂଜାପଣ୍ଡା, ଗରାବଡୁ, ଚାଙ୍ଗଡା ମେକାପ ଓ ମୁଦୁଲି ସେବକମାନେ ସହାୟତା କରିଥିଲେ ।