ସ୍କର୍ପିଓ-ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ମୃତ, ଦୁଇ ଆହତ
![](https://thetruths.in/wp-content/uploads/2023/07/Scorpio-Bike-Colision.jpg)
ନୀଳଗିରି : ସ୍କର୍ପିଓ ଓ ବାଇକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ସୋମବାର ପୂର୍ବାହ୍ନରେ ଅଯୋଧ୍ୟା ଫାଣ୍ଡି ଅଧୀନ ପାଟଣା ପୋଲ ନିକଟରେ ଦେଖିବାକୁ ମିଳିଛି ।
ସୂଚନା ଯେ, ବାଲେଶ୍ୱରରୁ ଏକ ଡାକ୍ତରି ଟିମ୍ ସ୍କର୍ପିଓ (ନଂ. ଓଡ଼ି୦୧ଆର୍-୩୦୩୩) ଯୋଗେ ବରହମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଭିମୁଖେ ଯାଉଥିଲା । ଅପର ପାର୍ଶ୍ୱରୁ ମାଟିଆଳି ସବ୍ ପୋଷ୍ଟ ଅଫିସର କର୍ମଚାରୀ ନିରଞ୍ଜନ ସିଂ ନିଜ ବାଇକ ଯୋଗେ ମିତ୍ରପୁର ଅଭିମୁଖେ ଯାଉଥିଲେ । ଅଯୋଧ୍ୟା ନିକଟ ପୋଲ ନିକଟରେ ଉଭୟ ଗାଡ଼ି ମୁହାଁମୁହିଁ ଧକ୍କା ହୋଇ ବିଲ ତଳକୁ ଖସି ଯାଇଥିଲେ । ଫଳରେ ବାଇକ୍ ଚାଳକ ଜଣକ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ଆହତଙ୍କୁ ଡାକ୍ତରଖାନା ପଠାଇଥିଲେ । ହେଲେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ଅଯୋଧ୍ୟା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ତଦନ୍ତ କରିବା ସହ ମାମଲା (ନଂ. ୨୩୦/୨୩) ରୁଜୁ କରି ଶବ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଅନ୍ୟପକ୍ଷରେ ସ୍କର୍ପିଓରେ ଥିବା ଦୁଇ ଡାକ୍ତର ଆହତ ହୋଇଥିବାର ଜଣାପଡ଼ିଛି ।