ସେପ୍ଟେମ୍ବରରୁ ଦିଲ୍ଲୀରେ ଖୋଲିବ ସ୍କୁଲ ଓ କଲେଜ
![](https://thetruths.in/wp-content/uploads/2021/08/Schools-Will-Open-in-Delhi.jpg)
ନୂଆଦିଲ୍ଲୀ : ଦିଲ୍ଲୀରେ ମହାମାରୀ କରୋନା ପ୍ରକୋପ ସାମାନ୍ୟ କମିଛି । ଫଳରେ ଦିଲ୍ଲୀରେ ଆସନ୍ତା ସେପ୍ଟେମ୍ବର ମାସରୁ ସ୍କୁଲ ଓ କଲେଜ ଖୋଲିବା ନେଇ ଜଣାପଡିଛି । ସେପ୍ଟେମ୍ବର ୧ରୁ ୯ମରୁ ଦ୍ୱାଦଶ ଶ୍ରେଣୀ ଓ ସେପ୍ଟେମ୍ବର ୮ ତାରିଖରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରେଟି (ଡିଡିଏମଏ) ଦ୍ୱାରା ପ୍ରସ୍ତୁତ କରାଯାଇଥିବା କମିଟିରେ ନିଷ୍ପତ୍ତି ନିଆଯାଇଛି ।
ପୂର୍ବରୁ ଡିଡିଏମଏ ତରଫରୁ ସରକାରଙ୍କୁ ଏକ ରିପୋର୍ଟ ଦିଆଯାଇଥିଲା । ଯେଉଁଥିରେ ସ୍କୁଲଗୁଡିକ ପର୍ଯ୍ୟାୟକ୍ରମେ ଖୋଲିବାକୁ ସୁପାରିଶ କରାଯାଇଥିଲା । ଏହି କମିଟି ୫୦ ପ୍ରତିଶତ କ୍ଷମତା ସହିତ ସ୍କୁଲ ଖୋଲିବା ନେଇ ପରାମର୍ଶ ଦେଇଥିଲା । ଏହାସହିତ ସ୍କୁଲରେ କରୋନା କଟକଣାକୁ ସଠିକ ଭାବେ ପାଳନ କରାଯିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଦିଲ୍ଲୀରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇଛି ଷ ଲଗାତାର ୬ ଦିନ ହେବ ଦିଲ୍ଲୀରେ କରୋନା ସଂକ୍ରମଣରେ କୌଣସି ଲୋକଙ୍କ ମୃତ୍ୟୁ ହୋଇନାହିଁ । ଏସବୁକୁ ନଜରରେ ରଖି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।