ଆଜି ବିଜୟ ଦିବସ ପାଳନ କରିବ ରୁଷ୍, ଦେଶବାସୀଙ୍କୁ ଉଦ୍ବୋଧନ ଦେବେ ପୁଟିନ୍
![](https://thetruths.in/wp-content/uploads/2022/05/Russia-will-celebrate-Victory-Day-1024x674.jpg)
ମସ୍କୋ : ଆଜି ବିଜୟ ଦିବସ ପାଳନ କରିବ ରୁଷ୍ । ଏହି ଅବସରରେ ରୁଷ ନିଜର ସାମରିକ ଶକ୍ତି ମଧ୍ୟ ପ୍ରଦର୍ଶନ କରିବ ବୋଲି ଜଣାଯାଇଛି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ ଏହି ଦିବସ ପରେଡରେ ଚଳିତବର୍ଷ ମାତ୍ର ୧୨୯ଟି ସାମରିକ ଯାନ ଏବଂ ୧୦ ହଜାର ସୈନ୍ୟ ଅଂଶଗ୍ରହଣ କରିବେ। ଏହି ଦିନ ଦ୍ବିତୀୟ ବିଶ୍ବଯୁଦ୍ଧରେ ଜର୍ମାନୀ ବିରୋଧରେ ସୋଭିଏତ୍ ସଂଘର ବିଜୟ ହୋଇଥିବାରୁ ରୁଷ୍ ପ୍ରତିବର୍ଷ ମେ ୯ରେ ବିଜୟ ଉତ୍ସବ ପାଳନ କରିଆସୁଛି। ସୋଭିଏତ ନେତା ଷ୍ଟାଲିନ୍ ମେ ୯କୁ ବିଜୟ ଉତ୍ସବ ପାଇଁ ଚୟନ କରିଥିଲେ । କାରଣ ଏହି ଦିନ ବର୍ଲିନ ସଂପୂର୍ଣ୍ଣ ଭାବେ ସୋଭିଏତ୍ ସେନା ନିୟନ୍ତ୍ରଣକୁ ଆସିଯାଇଥିଲା।
ବିଜୟ ଦିବସ ଉପଲକ୍ଷେ ରାଷ୍ଟ୍ରପତି ପୁଟିନ୍ ଦେଶବାସୀଙ୍କୁ ଯେଉଁ ଉଦ୍ବୋଧନ ଦେବେ ତାହାକୁ ପୂରା ବିଶ୍ବ ଉତ୍କଣ୍ଠାର ସହ ଅପେକ୍ଷା କରିଛି। ସେହିପରି ବିଜୟ ଦିବସରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ ସହ ଯୁଦ୍ଧକୁ ନେଇ କିଛି ବଡ଼ ପଦକ୍ଷେପ ନେଇପାରନ୍ତି। ଏପରିକି ୟୁକ୍ରେନ୍ ବିରୋଧରେ ପୂର୍ଣ୍ଣାଙ୍ଗ ଯୁଦ୍ଧ ଘୋଷଣା ମଧ୍ୟ ପୁଟିନ୍ ତାଙ୍କ ଭାଷଣରେ କରିପାରନ୍ତି ବୋଲି ପଶ୍ଚିମ ରାଷ୍ଟ୍ରମାନେ ଆଶଙ୍କା କରୁଛନ୍ତି। ଏଭଳି ଘୋଷଣା ହେଲେ ପରିସ୍ଥିତି ଅତି ଭୟାନକ ହେବ ଏବଂ ରୁଷ୍ର ଆକ୍ରମଣ କେବଳ ୟୁକ୍ରେନ୍ରେ ସୀମିତ ରହିବ ନାହିଁ। ଏବେ ନାଟୋ ରାଷ୍ଟ୍ରମାନେ ୟୁକ୍ରେନ୍କୁ ଦେଉଥିବା ଅସ୍ତ୍ରକୁ ରୁଷ୍ ଟାର୍ଗେଟ୍ କରୁଥିବା ବେଳେ ପୂର୍ଣ୍ଣାଙ୍ଗ ଯୁଦ୍ଧ ସ୍ଥିତିରେ ରୁଷ୍ ପଡ଼ୋଶୀ ନାଟୋ ରାଷ୍ଟ୍ରମାନଙ୍କୁ ମଧ୍ୟ ଟାର୍ଗେଟ୍ କରିବା ସମ୍ଭବନା ରହିଛି।