ଶକ୍ତିଶାଳୀ କ୍ଷେପଣାସ୍ତ୍ର ‘ସର୍ମତ’ର ସଫଳ ପରୀକ୍ଷଣ କଲା ଋଷ
![](https://thetruths.in/wp-content/uploads/2022/04/Missile-Sarmat-1024x576.jpg)
ନୂଆଦିଲ୍ଲୀ : ଆଧୁନିକ ଜ୍ଞାନ କୌଶଳ ଆଳରେ ଶସକ୍ତ ହେଉଛି ଋଷ । ୟୁକ୍ରେନର ମୁଣ୍ଡ ନୁଆଁଇବା ପାଇଁ ସମସ୍ତ ପ୍ରକାରର ରିସ୍କ୍ ନେବାକୁ ରାଜି ଅଛି ଋଷ । ଶକ୍ତିଶାଳୀ କ୍ଷେପଣାସ୍ତ୍ର ‘ସର୍ମତ’ର ପରୀକ୍ଷଣ କରି ହାତେଇଛି ସଫଳତା । ଯୁଦ୍ଧ ମଧ୍ୟରେ ଏପରି ଏକ ମିଶାଇଲର ସଫଳ ପରୀକ୍ଷଣ କରିବା ଋଷର ନରସଂହାରୀ ମନୋଭାବକୁ ଆହୁରି ସୁଦୃଢ କରିଛି । ଏହା ସହ ୟୁକ୍ରେନକୁ ଆକ୍ରମଣ ପୂର୍ବରୁ ଦୁଇ ଥର ଚିନ୍ତା କରିବାକୁ ହେବ ବୋଲି ଧମକ ଦେଇଛନ୍ତି ପୁଟିନ ।
ପୁଟିନ ବାହିନୀର ନୂଆ ରଣନୀତି । ଯୁଦ୍ଧ ପାଇଁ ପ୍ରସ୍ତୁତି କରିଛି ଶକ୍ତିଶାଳୀ କ୍ଷେପଣାସ୍ତ୍ର । ଏବେ କୌଣସି ପରିସ୍ଥିତିରେ ୟୁକ୍ରେନକୁ ନିୟନ୍ତ୍ରଣ କରିବାକୁ ହେଲେ ପୁଟିନଙ୍କ ହାତରେ ରହିଛି ବଡ଼ ଅସ୍ତ୍ର । ମିଶାଇଲ ‘ସର୍ମତ’ର ସଫଳତା ହାସଲ କରିଛି ଋଷ । ସର୍ମତ ଏକ ଆଣବିକ କ୍ଷେପଣାସ୍ତ୍ର । ଏହା ଭିତରେ କିନଝାଲ ଓ ଆଭାଂଗାର୍ଡ ହାଇପରସୋନିକ ମିଶାଇଲ ଅନ୍ତର୍ଭୁକ୍ତ । ସର୍ମତ ହେଉଛି ଏକ ଅତ୍ୟନ୍ତ ଶକ୍ତିଶାଳୀ କ୍ଷେପଣାସ୍ତ୍ର । ଯାହା ଦ୍ୱାରା ୨୦୦ ଟନ୍ ପର୍ଯ୍ୟନ୍ତ ଆଣବିକ ବା ପାରମ୍ପରିକ ଅସ୍ତ୍ର ବହନ କରି ହେବ । ଏହି ଭାର ସତ୍ତେ୍ୱ ବି ଏହି ମିଶାଇଲ ୧୦ ହଜାର କିମି ଗତି କରି ବିଶ୍ୱର ଯେକୌଣସି ସ୍ଥାନରେ ପହଞ୍ଚି ପାରିବ । ଖୁବ କମ ସମୟ ଭିତରେ ସର୍ମତ ମିଶାଇଲ ଲକ୍ଷ୍ୟଭେଦ କରିପାରିବ । ଏହା ସହ ଯେକୌଣସି ଦେଶର କ୍ଷେପଣାସ୍ତ୍ର ଧ୍ୱଂସୀ ପ୍ରତିରକ୍ଷା ବ୍ୟବସ୍ଥାକୁ ଏଡ଼ାଇ ପାରିବ । ଏବଂ ଶତ୍ରୁର ନିରୀକ୍ଷଣ ବ୍ୟବସ୍ଥା ମଧ୍ୟ ଏହି ଆଣବିକ ସୁପରାସୋନିକ ମିଶାଇଲକୁ ଟ୍ରାକ କରିପାରିବ ନାହିଁ ।
ଅନ୍ୟ ପକ୍ଷେ ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ, ଋଷ ସଫଳତାର ସହ ସର୍ମତ ଅନ୍ତର୍ମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି । ଯାହା ପରୋକ୍ଷ ଭାବେ ଅନ୍ୟ ଦେଶମାନଙ୍କ ପାଇଁ ଏକ ସତର୍କ ଘଣ୍ଟି ଆଣିଦେଇଛି । ସର୍ମତର ଘାତକ କ୍ଷମତାକୁ ଦୃଷ୍ଟିରେ ରଖି ଋଷିଆର ଶତ୍ରୁମାନେ ଏବେ ଆକ୍ରମଣ କରିବା ପୂର୍ବରୁ ଦୁଇ ଥର ଭାବିବେ । ଆକ୍ରମଣ ତ ଦୂରର କଥା, ଶତ୍ରୁ ଧମକ ଦେବା ପୂର୍ବରୁ ମଧ୍ୟ ଦୁଇ ଥର ଚିନ୍ତା କରିବେ ବୋଲି ଚେତେଇ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଋଷିଆ ସରକାର ଏହି ଆଣବିକ କ୍ଷେପଣାସ୍ତ୍ରକୁ ଆଗାମୀ ପିଢିର ମିଶାଇଲ ବୋଲି ବିବେଚନା କରିଛନ୍ତି । ଅନ୍ୟପକ୍ଷେ ସଇତାନ ୨ ନାଁରେ ମତ ବାଢିଛନ୍ତି ପାଶ୍ଚାତ୍ୟ ବିଶ୍ଲେଷକ ।