ୟୁକ୍ରେନର ସ୍କୁଲ ଉପରେ ବୋମା ମାଡ଼ କଲା ରୁଷ, ୬୦ ମୃତ!
![](https://thetruths.in/wp-content/uploads/2022/05/Russia-Bombs-School-in-Ukraine.jpg)
କିବ୍ : ୟୁକ୍ରେନ୍ ଯୁଦ୍ଧକୁ ଆଜି ୭୩ ଦିନ ପୂରିଛି । ରୁଷ୍ର ଆକ୍ରମଣ ପାଇଁ ୟୁକ୍ରେନ୍ରେ ଅକଳ୍ପନୀୟ କ୍ଷୟକ୍ଷତି ଘଟିଛି । ହଜାର ହଜାର ସଂଖ୍ୟାରେ ଘର ମାଟିରେ ମିଶିଯାଇଛି । କିବ୍ରେ ହସ୍ପିଟାଲ୍, କିଣ୍ଡରଗାର୍ଟେନ୍ ଛାରଖାର ହୋଇଯାଇଛି । ମାତ୍ର ୨ ମାସ ତଳେ ଯେଉଁ କିଣ୍ଡରଗାର୍ଟେନ୍ରେ ପିଲା ପଢ଼ୁଥିଲେ ଏବଂ ଖେଳୁଥିଲେ ସେଗୁଡ଼ିକ ମାଟିରେ ମିଶିଯାଇଛି । କେନ୍ଦ୍ରୀୟ କିବ୍ ସୁରକ୍ଷିତ ଥିଲେ ମଧ୍ୟ ସହରତଳି ଅଂଚଳ ଏବଂ ଆଖପାଖ ସହରଗୁଡ଼ିକ ଛାରଖାର ହୋଇଯାଇଛି । ଦ୍ୱିତୀୟ ବୃହତମ ସହର ଖାର୍କିଭ ସମେତ ମୋଟ ୪୦ ସହରରୁ ଲୋକଙ୍କ ପଳାୟନ ଜାରି ରହିଛି । ଏମଧ୍ୟରେ ରବିବାର ରୁଷ ୟୁକ୍ରେନର ଏକ ସ୍କୁଲ ଉପରେ ଆକ୍ରମଣ କରିବାରୁ ୬୦ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।
ଏଏଫପି ଅନୁଯାୟୀ, ଏହି ବିସ୍ଫୋରଣରେ ୬୦ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଗଭର୍ଣ୍ଣର ଆଶଙ୍କା କରିଛନ୍ତି । ସୂଚନାନୁସାରେ, ପୂର୍ବ ୟୁକ୍ରେନର ଲୁହାନସ୍କ ଅଂଚଳର ବିଲୋହରିବକା ଗାଁରେ ଥିବା ରୁଷର ସେନା ବୋମା ବିସ୍ଫୋରଣ କରିଥିଲେ । ରୁଷର ଏହି ଭୟଙ୍କର ବିସ୍ଫୋରଣରେ ୬୦ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଥିବା ବେଳେ ଏନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଅନ୍ୟପକ୍ଷେ ୟୁକ୍ରେନ୍ର ଉପକୂଳ ସହର ଓଡ଼େଶାରେ ରୁଷ୍ ୪ଟି କ୍ରୁଜ୍ ମିସାଇଲ୍ ମାଡ଼ କରିଛି । ଖାରକିଭରେ ରୁଷ୍ ପୁଣି ବୋମାମାଡ଼ ଆରମ୍ଭ କରିଦେଇଛି । ଖାରକିଭରେ ରୁଷ୍ ପଶ୍ଚିମ ରାଷ୍ଟ୍ରମାନେ ପଠାଇଥିବା ଅସ୍ତ୍ର ଧ୍ୱଂସ କରିଥିବା ଦାବି କରିଛି । ଗତ ୨୪ ଘଂଟାରେ ରୁଷ୍ ଖାରକିଭରେ ବ୍ୟାପକ କ୍ଷୟକ୍ଷତି ଘଠାଇଛି । ଖାରକିଭରେ ଜଣେ ପ୍ରଖ୍ୟାନ ୟୁକ୍ରେନ୍ ଦାର୍ଶନିକଙ୍କ ସ୍ମୃତିରେ ଥିବା ମ୍ୟୁଜିୟମ୍କୁ ରୁଷ୍ ବୋମାମାଡ଼ କରି ଧ୍ୱଂସ କରିଦେଇଛି । ଏହା ସହ ମାରିୟୁପୋଲ୍ର ଆଜବଷ୍ଟଲ୍ ଷ୍ଟିଲ୍ ପ୍ଲାଂଟ୍ରୁ ପୁଣି ୫୦ ଜଣ ଉଦ୍ଧାର ହୋଇଛନ୍ତି । ଆଗାମୀ ୯ ତାରିଖରେ ରୁଷ୍ରେ ବିଜୟ ଦିବସ ଥିବାବେଳେ ଏହା ପୂର୍ବରୁ ରୁଷ୍ ମାରିୟୁପୋଲ୍ ସଂପୂର୍ଣ୍ଣ ଅକ୍ତିଆର କରିବାକୁ ଚାହିଛି । କେବଳ ଆଜବଷ୍ଟଲ୍କୁ ଛାଡ଼ିଦେଲେ ରୁଷ୍ ମାରିୟୁପୋଲ୍ର ଅନ୍ୟ ସବୁ ଅଂଚଳକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିସାରିଛି ।