ଆ ଫେରିଆ ମୋ ପିଲାଦିନ
ମଣିଷ ଜୀବନ କ୍ରମ ପରିବର୍ତ୍ତନଶୀଳ, ଏହି କ୍ରମ ପରିବର୍ତ୍ତନଶୀଳ ମଧ୍ୟରେ ସେ ଅତୀତକୁ ସାଉଁଟି ସାଉଁଟି ସୁଖ ଦୁଃଖର ପାରାବାର ସୃଷ୍ଟି କରେ । ଏହାରି ମଧ୍ୟରେ ସମୟର ଉତ୍ଥାନ ପତନ ତାକୁ ତା’ ମନରେ ଭାବନାର ମିନାର ସୃଷ୍ଟି କରେ । କିନ୍ତୁ ଅସମୟରେ ଏହି ମିନାରଟି ଭାଙ୍ଗି ଚୂର୍ ମାର୍ ହୋଇଯାଏ । ଯାହାକୁ ଚେଷ୍ଟା କଲେ ମଧ୍ୟ ଆଉ ପୁଣି ଫେରି ଆସିପାରେ ନାହିଁ । ଏହା କେବଳ ଅକୁହା ସ୍ମୃତି ହୋଇ ରହିଯାଏ । ଏହି ଅତୀତର ସ୍ମୃତିକୁ ସେ ସାରା ଜୀବନ ଖୋଜିବୁଲେ, ହେଲେ ଏହା ପାଇବା ତ ଦୂରର କଥା, ଅଭୁଲା ସ୍ମୃତି ଟି କେବଳ ତାହା ପାଇଁ ସ୍ମୃତି ହୋଇ ରହିଯାଏ । ଏହିଭଳି ସ୍ମୃତି ହେଉଛି ତାହା ପାଇଁ ତାର ପିଲା ଦିନ ।
ବହିଗଲା ପାଣି ଆଉ ଯେପରି ଫେରି ଆସିପାରେ ନାହିଁ ଠିକ୍ ସେହିପରି ଜୀବନରେ ହଜାଇଥିବା ସେ ପିଲା ଦିନର ସ୍ମୁତି ଆଉ ଫେରିଆସେ ନାହିଁ । ତାହାକୁ କେବଳ ଅକୁହା, ଅଦେଖା ରାଇଜରେ ମନେ ପକାଇ ଆତ୍ମତୃପ୍ତି ଲାଭ କରିବା ଛଡ଼ା ଆଉ କିଛି ଉପାୟ ନ ଥାଏ । ମନୁଷ୍ୟ ଜୀବନରେ ୪ଟି ଅବସ୍ଥା ଥାଏ । ଯଥା :- ବାଲ୍ୟ, କୈଶୋର, ବାର୍ଦ୍ଧକ୍ୟ, ବାନପ୍ରସ୍ତ । ଏମାନଙ୍କ ମଧ୍ୟରୁ ବାଲ୍ୟାବସ୍ଥା ଅତି ଆନନ୍ଦ ଦାୟକ । ହେଲେ ଏହି ବାଲ୍ୟାବସ୍ଥାକୁ ଛାଡ଼ିଦେଲେ ଅନ୍ୟ ଅବସ୍ଥାରେ ଲୋକ ଅସହାୟ, ନିସହାୟ ଓ ବ୍ୟସ୍ତତା ବହୁଳ ଦୁନିଆ ଭିତରେ ନିଜକୁ ହଜାଇ ଦେଇ ଥାଏ । ମନୁଷ୍ୟ ବେଳେ ବେଳେ ନୀରବ ଦ୍ରଷ୍ଟା ହୋଇ ପିଲା ଦିନର ଅଳି, ଅଝଟି ଓ ଅକୁହା କଥାକୁ ଭାବିବାକୁ ଲାଗେ । କାରଣ ପିଲାଦିନର ସ୍ମୁତି ଭଲ ପାଇବାର ଆବେଗତା ଓ ପ୍ରଫୁଲତା ମନ ଅତି ନିଆରା ଥାଏ । ପିଲା ଦିନର ଅଝଟ ମହକର ମନ ମୋହ ମୋହ ହୋଇ ବାସେ । ସେହିଦିନର ହଜିଲା ସ୍ମୃତି ମନକୁ ଆନ୍ଦୋଳିତ କଲାବେଳେ ଅନିକ୍ତା ମନ ଇଚ୍ଛା ହୋଇ ମନକୁ ଆନ୍ଦୋଳିତ କରେ ।
ପିଲାଦିନର ଧୂଳି, ବାଲି ଖେଳ ଅବସ୍ଥା ମଧ୍ୟରେ ବାସ୍ତବତାର ବିକଶିତ କରିଥାଏ । ପିଲାବେଳର ମନ ସ୍ୱଚ୍ଛ ନିରାମୟ ଥିବାରୁ ଦୁଃଖ, କ୍ଲେଶ ଓ ଚିନ୍ତା ଜୀବନର ଜୀଇଁବାର ଦୁଃଖ, ହୃଦୟ ମନକୁ ସ୍ପର୍ଶ କରି ପାରି ନ ଥାଏ । ପିଲାବେଳର ସୁଖ ସମୟର ପ୍ରବାହ କେତେ ବେଳେ ଚାଲୁ ଚାଲୁ ସରିଯାଏ ତାହା ଜଣା ପଡ଼େନାହିଁ । ପିଲାଦିନର ମମତା ଅପାସରା । ସେହି ଅପାସରା ମମତାର ଗୁଛକୁ ମନୁଷ୍ୟ ମନେ ପକାଇ ଝୁରି ହୋଇଥାଏ । ସେହି ସ୍ମୃତି ସମୟ ରୂପକ ଚକ୍ରରେ ମନୁଷ୍ୟ ସିନା ନିଷ୍ପେସିତ ହୋଇଯାଏ । ହେଲେ ମନରେ ତାହା ବେଳେ ବେଳେ ସମୟର ବାଲୁକା ସ୍ତୁରେ ତାହା ଛାଡ଼ି ଯାଇ ଥାଏ ।
ବେଳେବେଳେ ମନରେ ପ୍ରଶ୍ନ ଆସେ କୁଆଡ଼େ ଗଲା ମୋ ପିଲାଦିନ, ଆଉ କୁଆଡ଼େ ଗଲା ସେ ପିଲାଦିନର ମୋ ଛବି, ସିଲଟ ଖଡ଼ି, କୋଉଁଠି ରହିଲା, ମୋ କଲମ, କାଳି ଦୁଆତ ଓ ଚକିଆ? ଓ କୋଉଁଠି ରହିଲା ମୋ ଧୂଳି ଖେଳର ବୟସ ଓ କୋଉଁଠି ଲୁଚିଗଲା? ବାପାଙ୍କ ସ୍ନେହ କିଏ ଛଡ଼େଇ ନେଲା ମୋ ହାତରୁ, ମୋ ମାଆର ପଣତ କାନି କୁଆଡ଼େ ଉଭେଇ ଗଲା ମୋ ଛୋଟ ଓଠରୁ ହସ । ଦିନ ଥିଲା ସବୁ ଥିଲା ମାଆର ଚିରା ପଣତ କାନିର ବାସ୍ନାରେ ମୁଁ ସବୁ ଭୁଲି ଯାଉଥିଲି । ଏତେ ବଡ଼ ଦୁନିଆରେ ମୋ ମାଆର ଦେଢ଼ ହାତ ପଣତ କାନି ମୋତେ ସାହା ହେଉଥିଲା । ମାତ୍ର ଆଜି ମୁଁ ମୋ ବାଟରେ ମୁଁ ବାଟୋଇ । ଆଗକୁ ପାଦ ପକେଇବା ପାଇଁ, ମୋତେ ଶହେ ଥର ଚିନ୍ତା କରିବାକୁ ପଡୁଛି । କାହିଁକି ଜଳିଗଲା ସେହି କୁଟା କାଠିର ଭାବନାର ପିଲାଦିନର କୁଡ଼ିଆଟି । ପିଲା ବେଳର କୁଆଁ କୁଆଁ ରାବ, ଷଠୀ ଘରର କାନ୍ଥରେ ଷଠୀ ଘରର ଛାପ, ଆଜି ଜୀବନ୍ତ ହୋଇ ରହିଛି । ଆଜି ଭାବନା ଅଛି, ମାତ୍ର ବାସ୍ତବତା ହଜିଯାଇଛି । ପିଲା ବେଳର ଉଠି ପଡ଼ି ଚାଲିବାର ଠାଣି, ଅସ୍ପଷ୍ଟ ପାଟି ଖନି ଲାଗି କଥା ଆଜି ହଜି ଯାଇଛି । ସତରେ ତାହା ଯେ କେତେ ଆନନ୍ଦ ଦାୟକ କେବଳ ଅତୀତ ହଁ କହିବ ।
ପ୍ରଥମ ଚାଲିର କୁନି କୁନି ପାଦର ସାହାରା ଆଜିବି ଗାଁ ଦାଣ୍ଡକୁ ନୂଆଁ କରି ଗଢ଼ି ତୋଳିଛି । ଅଦିନିଆ ଅଝଟ କଇଁ କଇଁ ହୋଇ କାନ୍ଦର ସାହାରା ଆଖିର ଲୁହ ହୋଇ ବୋହି ଯାଉଥିବା ବେଳେ ମା’ର ପଣତ କାନି ସାହା ହେଉଥିଲା । ବାପା, ମା’ଙ୍କର ଆଙ୍ଗୁଳି ଧରି ଚାଲି ଶିଖିବା, ଜହ୍ନମାମୁଁର ରାତିର ପରସରେ ମା’ର କଣ୍ଠରୁ ଜହ୍ନମାମୁଁ ଗୀତ ଶୁଣିବା ଅତି ନିଆରା ଥିଲା । ଏ ସମସ୍ତ ଆଜି ସ୍ୱପ୍ନ! କାରଣ କେବେଠାରୁ ସେ ମା’, ବାପା ଆର ପାରିକୁ ଚାଲି ଗଲେଣି । ଏ କଥା ମନେ ପଡ଼ିଲେ ଅଜାଣତରେ ଆଖିରୁ ଅଞ୍ଜୁଳା ଅଞ୍ଜୁଳା ଲୁହରେ ଭରିଯାଏ ।
ଗାଁ ମନ୍ଦିରର ଘଣ୍ଟା, ସଞ୍ଜରେ ଘର ଉଚ୍ଚ ପିଣ୍ଡାରେ ଭାଗବତ ପଢ଼ା ଓ ବୁଢ଼ି ମା’ର କାହାଣୀ ଆଜି ଅଭୁଲା ଅଭୁଲା ଲାଗେ । ଗ୍ରୀଷ୍ମ ଦିନେ ପୋଖରୀ ତୁଠରେ ଗାଧୁଆ ଡିଆଁ ଓ ଖରାବେଳେ ଆଇସକ୍ରିମ୍ ବାଲାର ଡାକ ଶୁଣି ଲୁଚି ଲୁଚି ଆଇସକ୍ରିମ୍ ଖିଆ ଆଜିବି ନିଆରା । ସ୍କୁଲରୁ ଫେରିବା ବେଳେ ଜାମୁକୋଳି ଖିଆ ଓ ସ୍କୁଲରୁ ଫେରିଲେ ବାଗୁଡ଼ି, କବାଡ଼ି, ଲୁଚକାଳି ଖେଳ ଆଜି ସ୍ୱପ୍ନ ହେଇଯାଇଛି । ଏହି ଦାଣ୍ଡ ଅଛି ମାତ୍ର ବୟସ ପରିବର୍ତ୍ତନ ହୋଇଯାଇଛି । ଶୀତଦିନେ କାଗଜ ତିଆରି ଗୁଡ଼ି ଉଡା ଓ ଧାନ କ୍ଷେତରେ ଧାନ ସାଉଁଟା ଆଜି ବି ମନରେ ଅଭୁଲା ହୋଇ ରହିଛି । ଗାଁ ପଡ଼ିଆରେ ମିଛି ମିଛିକା ଫୁଟବଲ୍, ଗୁଟି ଡ଼ାବୁଳ ଓ ଆଲି ଖେଳ ଆଜି ବି ମନରେ ରେଖାପାତ ସୃଷ୍ଟି କରୁଛି। ଆଇମା’ଙ୍କ ଗପ, ଜେଜେ ବାପାର ଘୋଡ଼ା ହୋଇ ତାଙ୍କ ପିଠିରେ ସବାର ହେବା ଆଜି ଖୋଜିଲେ ବି ମିଳୁ ନାହିଁ । ମିଛି ମିଛିକା କଣ୍ଢେଇ ଖେଳ ଓ କଣ୍ଢେଇ ବହାଘରରେ ମେଘ ପାଲିଙ୍କି ବାହାଘର ଆଜି ବି ନୂଆ ନୂଆ ଲାଗୁଛି । ଅଗଷ୍ଟ ୧୫ ଓ ଜାନୁଆରୀ ୨୬ ଦିନ ଗାଁ ବୁଲା ସାଙ୍ଗକୁ ଝିଲିପି ଓ ବିସ୍କୁଟ ଖିଆ ଆଜି ବି ସ୍ମୃତି ହୋଇ ରହିଛି । ଛୁଟି ଦିନ ମାନଙ୍କରେ ସାଙ୍ଗମାନଙ୍କର ମେଳି ଓ ଗାଁ ଦାଣ୍ଡରେ ପ୍ରଜାପତି ଓ କଙ୍କି ଖୋଜା ଆଜି ବି ଅଭୁଲା ଅଭୁଲା ଲାଗୁଛି । ସେହିଦିନ ମାନଙ୍କରେ ବଣଭୋଜିର ଇଷାରା ଓ ବର ଓହଳରେ ଦୋଳି ଖେଳିବା ଆଜି ମନରୁ କାହିଁକି ହୃଦୟରୁ ମଧ୍ୟ ଲିଭିଯାଇଛି । ଗାଁ ପାଖ ପଡ଼ିଆରେ ମେଳଣର ମଜା ଓ ବାଉଁଶ ତିଆରି ପିଚ୍କାରୀର ହୋଲିଖେଳ ଆଜି ବି ମନେ ପଡ଼ୁଛି । ରଜ ଦିନ ରଜ ଦୋଳି ଓ ଗୀତ ସାଙ୍ଗକୁ ରଜ ପିଠା, ରଜ ପାନ, ରଜ ତାସ୍ ଓ ଲୁଡୁ ଖେଳ ଆଜି ବି ଅପସରି ଯାଉଛି ।
ଅତୀତର ଜନ୍ମିତ ଏନ୍ତୁଡ଼ି ଶାଳ ଓ ବାପା ବୋଉଙ୍କ କୋଳ ଆଜି ସମୟ ଗର୍ଭରେ ହଜି ଯାଇଛି । ପିଲାଦିନର ଶ୍ରାବଣ ବରଷା ଧାରାର ଟୁପୁରୁ ଟୁପୁରୁ ବରଷାର ଛିଟା କେତେ ମାନ ଅଭିମାନ ଏ ସବୁ ସେତେବେଳେ ମିଠା ଲାଗିଲା ବେଳେ ଏବେ ସ୍ୱପ୍ନ ପାଲଟି ଯାଇଛି । ସେତେବେଳେ ସମ୍ପର୍କୀୟ ମାନଙ୍କର ଭଲ ପାଇବା ଆଜି ଛଳନା ହୋଇଯାଇଛି । ପିଲା ବେଳର କଣ୍ଢେଇର ଖେଳ, ମିଛ ବାହା, ମିଛ ବେଦୀ, ମିଛ ମାନ ଅଭିମାନ ଆଜି ସବୁ ଭାଙ୍ଗି ରୁଜି ଯାଇଛି । ବାଲି ଘରର ମିଛି ମିଚ୍ଚିକା ସାଧବ ବୋହୂର ଖେଳ ଓ ସାଧବ ବୋହୂର ମେଳ ଆଜି ମିଛ ହୋଇଯାଇଛି । କୁମାର ପୂର୍ଣ୍ଣିମାର ବଉଳ ବେଣୀର ଗୀତ ଓ କୁଆଁରୀ ହୋଇ ନୂଆ ବସ୍ତ୍ର ପିନ୍ଧି ଜହ୍ନମାମୁଁର ବନ୍ଦାଣ ଆଜି ଉଭେଇ ଯାଇଛି । ବରଷା ଧାରାର ମିଛି ମିଛିକା କାଗଜ ଡଙ୍ଗା ତିଆରି ଓ ଭସାଣି ଆଜି ବି ମନେ ପଡୁଛି । ଗାଁ ଚାଟଶାଳୀରେ ଅବଧାନ ମାନଙ୍କର ପଣିକିଆ ଡାକ ଓ ଚାଟଶାଳୀର ଛାଟ ଆଜି ବି ଭୁଲି ହୁଏ ନାହିଁ ।
ସେତେବେଳେ ବାପାଙ୍କ ପକେଟ୍ ଓ ମା’ଙ୍କ ପଣତ କାନିରୁ ଲୁଚି ଲୁଚି ପଇସା ଚୋରି କରିବା ତାହା ଆଜି ଭାବିଲେ ବହୁତ୍ ଅସହାୟତା ଲାଗେ । ସେତେ ବେଳେ ଶ୍ରାବଣ ବାରି ଧାରାରେ ବହି ବସ୍ତାନି, ଛିଣ୍ଡା ଅସନ୍ ଧରି ସ୍କୁଲ୍କୁ ଯିବା ଆଜି ବି ଅଭୁଲା ହୋଇ ରହିଛି । କାଠ କଲମ ଓ କାଠ ବେଣ୍ଟର ଛତା ନେଇ ସ୍କୁଲ୍ ଯିବା ଅତି ନିଆରା ଥିଲା । ସ୍କୁଲ୍ର ଧାଡ଼ିରେ ଛିଡ଼ା ହୋଇ ଗହମ ଖିଆ ବହୁତ୍ ଆନନ୍ଦଦାୟକ ଥିଲା । ସ୍କୁଲ୍ ଯିବା ରାସ୍ତାରେ ଖାସିରି ପଡ଼ି ଘରକୁ ଫେରିବା ଅତି ନିଆରା ଥିଲା । ଜହ୍ନମାମୁଁର ଗୀତ, ମାଘ ମାସର ଶୀତ ଓ ଶ୍ରାବଣର ବାରି ଧାରା ଆଜିବି ମନେ ପଡ଼େ । ଶୀତ ସକାଳର ପଖାଳ, ବୈଶାଖ ଖରାର ଆମ୍ବ, ନଈ ପଠାରେ ବଇଁଚ କୋଳି, ମା’ ହାତର ରସାବଳି ଆଜି ବି ଅଭୁଲା ଲାଗେ । ସନ୍ଧ୍ୟାର ଆଗମନରେ ସନ୍ଧ୍ୟାର ପ୍ରାର୍ଥନା ଓ ଗୁରୁଜନମାନଙ୍କୁ ପ୍ରଣାମ କରିବା ଆଜି ସ୍ୱପ୍ନ । ମା’ର ହେଟା ଗୁଡ଼ି ଓ ବାପାଙ୍କର ଉଠ ବସ୍ ମଧ୍ୟରେ ଭଲ ପାଇବାର ବାସ୍ନା ମୋହ ମୋହ ହୋଇ ବାସୁଥିଲା । ବର୍ଷାରେ ମାଛଧରା ଓ ବର୍ଷା ଭିଜା ଆଜି ସ୍ୱପ୍ନ ହୋଇଯାଇଛି । ମା’ ଦେଇଥିବା ଖଡ଼ି, ବାପା ଲେଖି ଦେଇଥିବା ପାଣିଖିଆ ଖାତା ଓ ଅବଧାନଙ୍କର କଣ ମୁଡା ଆଜିବି ମନେପଡେ । ଖରାଦିନେ ଗାଡ଼ିଆ ପୋଖରୀ ପାଣି ଗୋଳେଇ ଘାଣ୍ଟି ଘରକୁ ଫେରି ଉତ୍ତମମାଧ୍ୟମ ଛେଚା ଖାଇବା ଓ ଖରାଦିନେ ପାଣି ବନ୍ଧେଇ ନାଳ ବା କେନାଲରୁ ମାଛ ଧରିବା ଆଜିବି ନିଆରା । ଗୋବର ଲିପା ଘର, ଅଗଣା, ଖଳା, ବାଡ଼ି ପିଣ୍ଡାରେ ଧଳା ଧରି ବସି ଦାନ୍ତକାଠି ଘସା ଓ ଜେଜେମା’ର ପାନ ବଟୁଆ ଲୁଚା ଆଜିବି ମାନେ ପଡେ । ରବିବାର ଅପରାହ୍ନରେ କୋଣାର୍କ ଟିଭି ଆଗରେ ବସି ମହାଭାରତ ଓ ରାମାୟଣ ଦେଖା ଆଜି ଆଉ ନାହିଁ । ନଟୁ, ବୋହୁ ଚୋରି, ପାଳଗଦାରେ ଖେଳ, କଇଥ ଓ କୟାଁ ସହ ଲୁଣ ଲଗାଇ ଖାଇବାର ମଜା ଆଜିବି ଅପସରା। ଦୂରେ ଥିବା ତାଳ ଗଛର ମାଳ ସନ୍ଧ୍ୟା ଆଗମନରେ ଫେରନ୍ତା ଗାଈ ଗୋଠ ଆଉ ଦେଖିବାକୁ ମିଳୁନାହିଁ । ହେଲେ ଆଜି ବି ମୁଁ ଅଛି ମାତ୍ର ସମୟର ପ୍ରଭାବ ମାନ ମୋ ପିଲାଦିନକୁ ଅସ୍ତମିତ କରିଦେଇଛି ।
ଆଜି ସେହି ପିଲାଦିନଟି ମୋଠାରୁ ବହୁ ଦୂରରେ । ସତରେ ଆଜି କାହିଁକି ସେ ଅତୀତର ପିଲା ଦିନଟି ଭାରି ମନେ ପଡୁଛି । ଯାହାକୁ ଭାବିଲେ ଲଜ୍ଜାରେ ମଥା ନଇଁ ଯାଉଛି । ପ୍ରକୃତରେ ସେହି ଦିନକୁ ପାଇବାକୁ ହେଲେ ଦୁନିଆ ବଦଳି ଯାଇଛି ନା ଆମେ ବଦଳି ଯାଇଛୁ ଏହା ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ସହକାରୀ ଶିକ୍ଷକ, ଚିନ୍ତାମଣି ହାଇସ୍କୁଲ, ଦହପଡ଼ା, ବାଲେଶ୍ୱର, ମୋ- ୯୪୩୮୭୫୭୬୮୧ ।।