ମମତାର ଡୋରୀ ମା’
ମା’ର ସଂଜ୍ଞା ନିରୂପଣ କରିବା କଷ୍ଟ ସାଧ୍ୟ । ଏହା ଗୋଟିଏ ଅକ୍ଷର ହେଲେ ମଧ୍ୟ ଶହ ଶହ ଅକ୍ଷରର ଅର୍ଥ ପ୍ରକାଶ କରୁଥାଏ । ମା’ର ବସ୍ତୁତ୍ୱ ଆକାର ଥିଲେ ମଧ୍ୟ ଭାବନାର ଏହା ନିରାକାର । ମା’ କେବେ କଳଙ୍କିତ ନୁହେଁ । ସେ ହେଉଛି କୂଳର ନନ୍ଦିନୀ । ଯିଏକି ତା ମମତାର ପଣତ କାନିରେ ସମସ୍ତଙ୍କୁ ବାନ୍ଧିରଖେ । ମା’ର ଡାକରେ କେତେ ଯେ ମମତା ଥାଏ । ତାହା ଅନୁଭବି ହିଁ ଜାଣେ । ମା’ ହେଉଛି ଭଗବାନଙ୍କ ବରଦାନ । ଏହା ଭାଗ୍ୟରେ ଥିଲେ ମିଳେ । ମା’ର ମମତା ଓ ନିଆରା ସ୍ନେହ ଜୀବନରେ ଅପାସରା । ଜୀବନରେ ମା’କୁ ହରାଇଥିବା ବ୍ୟକ୍ତିଟି ମା’ର ଶୂନ୍ୟତାକୁ ଅନୁଭବ କରିପାରେ । ଏହି ମା’ ଶବ୍ଦଟି ଏକ କୁହୁକ ଶବ୍ଦ ହୋଇଥିବାରୁ ଏହାର ଆରମ୍ଭ ଓ ଶେଷ ନ ଥାଏ । ମା’ ବୋଲି ଶବ୍ଦକୁ ସମସ୍ତେ ଆପେ ଆପେ ବୁଝିଯାଆନ୍ତି । ଓଡ଼ିଆରେ ଏହାକୁ ମା’ ବୋଲି କହିବାବେଳେ ଇଂରାଜୀରେ ଏହାକୁ Mother କୁହାଯାଏ । ଏହି Mother English ଟି Old English word modor ରୁ ସୃଷ୍ଟି । Greeceର ରେ ଏହାକୁ Motor କହିଲାବେଳେ Lattinରେ ଏହାକୁ Modor ଓ ସଂସ୍କୃତରେ ଏହାକୁ ମାତରଃ ବୋଲି କୁହାଯାଏ ।
ଦୈନନ୍ଦିନ ଜୀବନରେ ମା’ର ଅର୍ଥ ଭିନ୍ନ ହୋଇଥାଏ । ଯଥା ଦେବୀଙ୍କୁ ମା’ କହିବାେବେଳ ଭୂତ, ପ୍ରେତ ଜନ୍ମଭୂମି ଓ ସାବତ ମା’କୁ ମଧ୍ୟ ମା’ ବୋଲି ସମ୍ବୋଧନ କରାଯାଏ । ହେଲେ ଜନ୍ମିତ ମା’ ଏହା ଠାରୁ ସତଗୁଣରେ ଭିନ୍ନ । ସୃଷ୍ଟିରେ ଆରମ୍ଭ ମା’ ଠାରୁ ଆରମ୍ଭ ହୋଇଥିବାବେଳେ ବିଲୟ ମଧ୍ୟ ମା’ ରୁ ହିଁ ହୋଇଥାଏ । ମା’ର ପରସ ଅନ୍ୟଠାରୁ ଭିନ୍ନ ଓ ରୁଚିକର । ସେଥିପାଇଁ ପିଲାଟି କୂଆଁ କୂଆଁ ରାବ ଛାଡୁଥିବାବେଳେ ମା’ କୋଳରେ ହିଁ ଆତ୍ମତୃପ୍ତି ଲାଭ କରିଥାଏ । ପ୍ରତ୍ୟେକ ମା’ ପ୍ରଥମେ କନ୍ୟା ପରେ ସ୍ତ୍ରୀ ଓ ଶେଷରେ ‘ମାତୃତ୍ୱ’ ହୋଇ ନାରୀର ମର୍ଯ୍ୟାଦାକୁ ରକ୍ଷା କରିଥାଏ । ମା’ କେବଳ ମାତୃତ୍ୱକୁ ବହନ କରିନଥାଏ । ବରଂ ସଂସାର ରୂପ ଗୃହାଦି କାର୍ଯ୍ୟକରି ଜୀବନକୁ ସଳିତା ପରି ଜାଳି ଜାଳି ଶେଷରେ ଜୀବନ ରୂପକ ଜୁଇରେ ନିଜକୁ ଜାଳିଦେଇଥାଏ । ମା’ର ସ୍ନେହ, ଶ୍ରଦ୍ଧା କେବେ କାହା ସହ ତୁଳନୀୟ ନୁହେଁ । ଜନ୍ମିତ ପିଲାକୁ କ୍ଷୀର, ନୀର ଦେଇ ଦୁନିଆ ରୂପକ ଦାଣ୍ଡରେ ଚାଲିବା ପାଇଁ ହାତ ଧରି ଚଲା ଶିଖାଇଥାଏ । ଅସୁସ୍ଥତା ବେଳେ ରାତି ରାତି ମୁଣ୍ଡ ପାଖରେ ବସି କେତେ ଯେ, ଦିଅ, ଦେବତାକୁ ମନାସି ଥାଏ ତାର କଳନା ନାହିଁ । ମା’ ଜୀବନ ରୂପକ ଚଲାପଥ ପାଇଁ ବଞ୍ଚିବାର ସଠିକ୍ ଠିକଣା ଦେଇଥାଏ । ପିଲାର ଦୀର୍ଘାୟୁ କାମନା ପାଇଁ ଦେବା ଦେବୀଙ୍କ ଠାରେ ପଣତ କାନିରେ ମଙ୍ଗଳ ଭିକ୍ଷା କରିଥାଏ । ଜନ୍ମିତ ପିଲାମାନଙ୍କର ଅଳି ଅର୍ଦ୍ଧଳି ପିଠିରେ ପକାଇ ଜୀବନ ରୂପକ ସାତ ସମୁଦ୍ର ପାରି ହୋଇଥାଏ । ନିଜ ଜୀବନରମାନେ ବୁଝୁ ବୁଝୁ ତା ଜୀବନ ରୂପକ ପଥ ସରି ଯାଇଥାଏ । ଅନେକ ଦୁଃଖ ପିଇ ପିଇ ସଂସାରରେ ବଡ଼ ଦୁଖିନୀ ଟିଏ ହୋଇ ଥିବାବେଳେ ଏହି ଦୁଃଖ ପ୍ରତି ତାର ଖାତିର ନ ଥାଏ । ସଂସାରରେ ମା’ ସହ କେହି ତୁଳନୀୟ ହୋଇନଥିବାବେଳେ ସବୁବେଳେ ମା’ର ସ୍ଥାନ ବହୁ ଉଚ୍ଚରେ । ମା’ର ମନ ସବୁବେଳେ ପାହାନ୍ତି ଆଲୋକ ଭଳି ସ୍ନିଗ୍ଧା । ପୃଥିବୀ ଭଳି ସହନଶୀଳା ଓ ଆକାଶ ଭଳି ସ୍ୱଚ୍ଛ ହୋଇଥାଏ । ମା’ ହୃଦୟ ଫୁଲ ପରି କୋମଳ ଓ ପାଣି ପରି ତରଳ ତାହାର ଆଶୀର୍ବାଦରେ ପିଲାଟି ସଂସାର ରୂପ ଜୀବନ ଯୁଦ୍ଧରେ ଜିତିଲାବେଳେ ଏହି ଆଶୀର୍ବାଦ ସାତ ଜନମରେ ତାକୁ ମିଳିନଥାଏ । ମା’ର ସୁନ୍ଦର ମୁଖମଣ୍ଡଳରେ ପିଲାଟି ଦୁନିଆକୁ ଦେଖିଲାବେଳେ ଏହି ବଡ଼ ଦୁନିଆଟି ତାକୁ ଛୋଟ ଲାଗେ । ମା’ କୋଳର ବାସ୍ନା ଅତିନିଆରା ଯାହାକି ଏହା ମୋହ ମୋହ କରି ବାସେ ।
ମା’ର ଶିକ୍ଷା ଦୀକ୍ଷା ଜୀବନ ରୂପକ ଚଲାପଥରେ ସହାୟକ ହୋଇଥାଏ । ସଂସାରରେ ବଡ଼ ଦେବତା ମା’ ଠାରୁ ଆଉ କେହି ନଥାଏ । ମା’ ସବୁବେଳେ ମା’, ଏହାକେବେ ପୁରୁଣା ହୁଏ ନାହିଁ କି ଏହାର ନୂଆ ନହିଁ । ତାହାର ହୃଦୟ ସ୍ୱର୍ଗ ଠାରୁ ବଡ଼ ହେବାବେଳେ ମନ ମହୂଠାରୁ ବି ମିଠା । ମା’ର ଅଭୂଲା ପଣତ କାନିରୁ ରାଶି ରାଶି ଅଭୟ ମିଳିଥାଏ । ଏହି ପଣତ କାନିରୁ ଉଙ୍କି ମାରୁଥିବା ସୁଖ ଆଉ କେଉଁଟି ନଥାଏ । ତା’ର ସ୍ନେହ ରୂପକ ଅଗଣା କେବେ ପୁରୁଣା ହୁଏ ନାହିଁ । ଜୀବନ ରୂପ ଦୁଃଖକୁ କେବଳ ମା’ର ପଣତ କାନି ପୋଛି ଦେଇପାରେ । ତେଣୁ ମା’ କୋଷଣ ତାର ମୂଲକୁ ଜୀବନର କେହି କେବେ ସୁଝିପାରେ ନାହିଁ । ଜୀବନର ପ୍ରଥମ ସୃଷ୍ଟି “ମା” ଗର୍ଭରେ ହେଲାବେଳେ ଜୀବନର ପ୍ରଥମ ସ୍ପର୍ଶ ମା’ କୋଳରେ ଓ ଜୀବନର ପ୍ରଥମ ତୃଷ୍ଣା ମା’ ବକ୍ଷରେ । ଠିକ୍ ସେହିଭଳି ଜୀବନର ପ୍ରଥମ ଗୀତ ମା’ ମୁହଁରେ ଓ ଜୀବନର ପ୍ରଥମ ପ୍ରେମ ମା’ ହୃଦୟରେ । ମା’ର ଆଶୀଷ ଓ ସ୍ନେହ, ମମତା ଗଙ୍ଗାର ଧାର ବହି ପବିତ୍ର ଓ ସ୍ରୋତଶ୍ୱନୀ । ଜନ୍ମରୁ ଜୁଇ ଯାଏ ସେ ଲୁହ ପିଇ ପିଇ ସମସ୍ତଙ୍କୁ ହସ ବାଂଟିଥାଏ । ମା’ ବସୁଧା ଠାରୁ ଆହୁରୀ ମହାନ । ମିଛ ଦୁନିଆରେ ଯଦି କିଛି ସତ୍ୟ ଥାଏ ତାହା ହେଉଛି ମା’ । ନଖାଇ, ନ ପିଇ ସମସ୍ତଙ୍କୁ ସେ ସୁଖରେ ପରସ ବାଂଟୁଥାଏ ମା’ର ମମତାର ଡୋରି ଏତେ ନିବିଡ଼ ଯେ ସ୍ୱୟଂ ଦଇବ ଚାହିଁଲେ ମଧ୍ୟ ଏହାକୁ ଛିଣ୍ଡାଇ ପାରେ ନାହିଁ । ରାତି ରାତି ଦୁଃଖର ପାହାଡ଼ ଉପରେ ଛିଡ଼ା ହୋଇ ସେ ସମସ୍ତଙ୍କୁ ସୁଖ ବାଂଟୁଥାଏ । ମାତ୍ର ଏହି ସୁଖରୁ ସେ କାଳିଯାଏ ମଧ୍ୟ ଭାଗିଧାର ହୁଏନାହିଁ ।
କାଳରେ କରାଳ ଗର୍ଭରେ ମା’ ଆଜି କାନ୍ଧୁଛି । ସେ ଆଜି ବେସାହାରା ଆଜି ମା’ର ମମତାର ମୂଲକୁ ବୁଝିବାକୁ ବା ସୁଝିବାକୁ ଆମ ପାଖରେ ସମୟ ନାହିଁ । ବାର୍ଦ୍ଧକ୍ୟରେ ଉପନୀତ ମା’ର ହୃଦୟ ହା’ ହା’ କାର । ବ୍ୟସ୍ତ ବହୁଳ ମଣିଷ ଆଜି ମା’ ଠାରୁ ଦୂରେଇ ଯାଇଛି । ସ୍ନେହ, ଶ୍ରଦ୍ଧା, ଭକ୍ତି ତ ଦୂରର କଥା ମା’ ଡାକ ଶୁଣିବା ପାଇଁ ସାତ ସପନ । ନିଜେ ବଂôଚବା ଓ ଅନ୍ୟକୁ ବେଂଚଇବା କଳା ଆଜି ତା ପାଖରେ ଫସର ଫାଟି ଯାଇଛି । ଯେଉଁ ମା’ ତାର ଜନ୍ମିତ ପିଲାକୁ ଦୁନିଆରେ ବଂଚିବା ପାଇଁ କିଡ୍ନି ଓ ଆଖି ଦାନ କରିଛି । ଯେଉଁ ଆଖିରେ ପିଲା ଆଜି ସମାଜକୁ ଦେଖୁଛି । ସେହି ପିଲା ତା’ ମା’କୁ ସାତ ପର କରିଦେଉଛି । ଦୈନନ୍ଦିନ ଜୀବନରେ ବଂଚିବା ପାଇଁ ତାକୁ କୁଡ଼ିଆରେ ଆଶ୍ରୟ, ସରକାରୀ କଳର ପାଣି, ସରକାରୀ ରାସନ ଓ ସରକାର ଦେଉଥିବା ବାର୍ଦ୍ଧକ୍ୟ ବା ବିଧବା ଭତାକୁ ଆପେକ୍ଷା କରିବାକୁ ପଡୁଛି । ହେଲେ ଏତିକିରେ ତା ଦୁଃଖ ସରୁନ ଥିବାବେଳେ ଏହି ଭତାରୁ ମଧ୍ୟ ପୁଅ ଭାଗ ପକାଉଛି । ନିଃସହାୟ ଅସହାୟ ହୋଇ ଆଶାବାଡ଼ିର ସାହାରାରେ ସେ ମୃତ୍ୟୁକୁ ଖୋଜି ବୁଲୁଛି । ବେଳେବେଳେ ସଠତା ସମାଜର ଅତ୍ୟାଚାର ସହିନପାରି ବୁଦ୍ଧାଶ୍ରମଟି ତାର ଶେଷ ଠିକଣା ହେଉଛି । ଆଜି ସେହି ମା’ର ମୂଲ ଦେବାକୁ କେହି ନାହିଁ । ପୁତ୍ରବଧୂମାନେ ନିଜର ଭାଇକୁ ଜନ୍ମିତ ମା’ର ସେବା ଶୁଶ୍ରୁସା ପାଇଁ ଉପଦେଶ ଦେବାବେଳେ ନିଜ ସ୍ୱାମୀର ମା’କୁ ପରକରି ଦେଉଛନ୍ତି । ପ୍ରକୃତରେ ନାରୀ ରୂପୀ ବୋଧୂ ଯେତେବେଳେ ନାରୀ ରୂପୀ ମା’ର ମର୍ଯ୍ୟାଦା ବୁଝି ପାରିବ ସେତେବେଳେ ସହସହ ମା’ଙ୍କ ହୃଦୟରେ ହସ ଫୁଟି ଉଠିବ । ଏହା କ’ଣ ଆମ ସମାଜ ପାଇଁ ସମ୍ଭବ ନୁହେଁ? ସତରେ ସମ୍ଭବ ଯେତେବେଳେ ନାରୀ ନାରୀକୁ ହିଁ ଚିହ୍ନିବ, କାରଣ ସେ ନାରୀ ଦିନେ ମାତୃତ୍ୱ ହୋଇ ବାର୍ଦ୍ଧକ୍ୟରେ ଉପନୀତ ହେବ । ପ୍ରକୃତରେ ମା’କୁ ହରାଇଥିବା ଦୁଃଖ ଯେ କେତେ ହୃଦୟ ବିଦାରକ ତାହା କେବଳ ହରାଇଥିବା ବ୍ୟକ୍ତିଟି ହିଁ ଜାଣେ । ପ୍ରତ୍ୟେକ ଜିନିଷର ଅନୁପସ୍ଥିତିର ମୂଲ୍ୟ ପାଇବାର ଇଚ୍ଛାକୁ ଦ୍ୱିଗୁଣିତ କରିଥାଏ । ହେଲେ ମା’ ଚାଲିଗଲା ପରେ ତାହା ମୂଲ୍ୟ ଜଣାପଡ଼େ, କିନ୍ତୁ ଖୋଜିଲେ ତାହା ଫେରିଆସେ ନାହିଁ । ମା’କୁ ଅଲୋଡ଼ା କରିବା କୌଣସି ଗୋଟିଏ ଉନ୍ନତ ଜାତିର ଲକ୍ଷଣ ନୁହେଁ ।
ଯିଏ କି, ଜନ୍ମିତ ମା’କୁ ଦୁଃଖ ଦେଇଛି ଓ ମା’ର ମୂଲ୍ୟକୁ ବୁଝିପାରେ ନାହିଁ । ସେ ଜାତି କେବେ ହେଲେ ଉନ୍ନତ ଜାତି ନୁହଁ । ମା’କୁ ଦୁଃଖ ଦେଇଥିବା ବ୍ୟକ୍ତିଟି ମଣିଷ ହେଉବା ଭଗବାନ, ସେ ଅଭିଶାପରୁ ଖ୍ୟାନ୍ତ ପାଇପାରେ ନାହିଁ । ଏହାର ଏକ ଉଦାହରଣ ହେଉଛନ୍ତି ବିଶ୍ୱାସ ଘାତକତା କୃଷ୍ଣ । ସ୍ୱୟଂ କୃଷ୍ଣ ଭଗବାନ ନନ୍ଦ, ଯଶୋଦା ଗୋପୀ ଗୋପାଳଙ୍କ ଅସୀମ ସ୍ନେହରେ ପାଳିତ ହୋଇ ପ୍ରବଂଚନା କରି ଗୋପପୁର ଛାଡ଼ି ମଥୁରାକୁ ଚାଲି ଆସିଥିଲେ । ମଥୁରାରେ ସେ ବିଭବ ରାଜପ୍ରସାଦ, ଅଷ୍ଟ ପାଟବଂଶୀ, ଅନେକ ପୁତ୍ର କନ୍ୟା ଓ ଧନ ସମ୍ପଦର ଅଧିକାରୀ ହୋଇ ଦ୍ୱାରିକାରେ ରହିଗଲେ । କିନ୍ତୁ ଏପେଟ ମା’ ତାଙ୍କର ଫେରିବା ବାଟକୁ ଚାହିଁ ହାଏ ଶ୍ରୀକୃଷ୍ଣ, ହାଏ ଶ୍ରୀକୃଷ୍ଣ କହି ପ୍ରାଣତ୍ୟାଗ କଲେ । ଶେଷରେ ପ୍ରଳୟଙ୍କରୀ ଲହରୀ ସମୁଦ୍ର ସମସ୍ତଙ୍କୁ ଲୀନ କଲାବେଳେ ଶ୍ରୀକୃଷ୍ଣ ଲତିକା ବନରେ ଆଶ୍ରୟ ନେଇଥିଲେ । ଦିନେ ସେ ଲତିକା ବନରେ ଝୁଲୁଥିବାବେଳେ ନିର୍ବୋଧ ବ୍ୟାଧ ମନରେ କୃଷ୍ଣଙ୍କ ପାଦ ହରିଣର କର୍ଣ୍ଣ ଭ୍ରମି ସେ ସର ନିକ୍ଷେପ କରିଥିଲେ ଏବଂ ଏହା ଶ୍ରୀକୃଷ୍ଣଙ୍କ ପାଦରେ ବାଜିବାରୁ ସେ ସେହିଠାରେ ହିଁ ଟଳି ପଡ଼ିଥିଲେ । ବ୍ୟାଧଟି ଖୁସିରେ ଧାଇଁଯାଇ ଦେଖେତ ଏହା ହରିଣ ନୁହେଁ ବରଂ ସ୍ୱୟଂ ଭଗବାନକୁ ସେ ସର ନିକ୍ଷେପ କରିଛି । ନିଜର ଅପକର୍ମ ପାଇଁ ନିଜକୁ ଧିକାର ଦେଲାବେଳେ, ଶ୍ରୀକୃଷ୍ଣ କିନ୍ତୁ ଏହାକୁ ସାଦରରେ ସତ୍ୟତାକୁ ଗ୍ରହଣ କରି ତାଙ୍କ କୃତ କର୍ମର ଫଳ ବୋଲି ପ୍ରକାଶ କରିଥିଲେ । ମା’କୁ ବିଶ୍ୱାସଘାତକତାର ଫଳ ସେ ଆଜି ପାଇଛନ୍ତି । ତେଣୁ ମା’କୁ ଯେ କେହି ବ୍ୟକ୍ତି ଦୁଃଖ ବା ଅସହାୟ କରିଛି ସେ ମଣିଷ କାହିଁକି ଭଗବାନ ହେଲେ ମଧ୍ୟ ଏହି ଅଭିଶାପରୁ କ୍ଷାନ୍ତ ପାଇପାରେ ନାହିଁ । କଥାରେ ଅଛି କର୍ମ ଘେନି ଫଳ, ଗଙ୍ଗା ଘେନି ଜଳ ।
ସହକାରୀ ଶିକ୍ଷକ, ଚିନ୍ତାମଣି ହାଇସ୍କୁଲ, ଦହପଡ଼ା, ବାଲେଶ୍ୱର, ୯୪୩୮୭୫୭୬୮୧