୨୨ରୁ କମିବ ବର୍ଷା; ଆଜି ୭ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା
![](https://thetruths.in/wp-content/uploads/2021/10/Heavy-Rain-Alert-1024x576.jpg)
ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ପ୍ରଭାବରେ ଗତ ୨ ଦିନ ହେବ ଲଗାଣ ବର୍ଷା ଜାରି ରହିଛି । ତେବେ ଉପକୂଳ ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି । ଲଘୁଚାପ ପ୍ରଭାବରେ ବୁଧବାର ୭ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୨ ଜିଲାରେ ପ୍ରବଳ ବର୍ଷା ହୋଇପାରେ। ବର୍ଷା ଫଳରେ କେତେକ ସ୍ଥାନରେ ଭୂସ୍ଖଳନ ହେବା, ଚାଷଜମିରେ ପାଣି ଜମିବା, କଚ୍ଚାଘର ଭାଙ୍ଗିଯିବା ଓ ରାସ୍ତା ଧୋଇହୋଇଯିବାର ଆଶଙ୍କା ଥିବାରୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ସେହିପରି ବୁଧବାର ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ତଥା ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ମଧ୍ୟରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ୨୧ ତାରିଖ ଅର୍ଥାତ୍ ବୁଧବାର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ୨୨ ତାରିଖରୁ ବର୍ଷାର ପରିମାଣ କମିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
୨୧ ତାରିଖ ସକାଳ ସାଢ଼େ ୮ଟାରୁ ୨୨ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରବଳ ବର୍ଷା ଯୋଗୁ ପାହାଡ଼ିଆ ଅଞ୍ଚଳରେ ମାଟି ଅତଡ଼ା ଖସିବାର ସମ୍ଭାବନା ରହିଛି। ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିପାରେ। ପରିବା ଚାଷ ଜମିରୁ ବର୍ଷା ପାଣି ନିଷ୍କାସନ କରିବା ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ସେପଟେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ରେକର୍ଡ ବର୍ଷା ହୋଇଛି। ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୩୦୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।