ସାନିଟାଇଜ୍ ପରେ ଖୋଲିଲା ଶ୍ରୀମନ୍ଦିର, ମିଳିଲା ମହାପ୍ରଭୁଙ୍କ ଦର୍ଶନ
ଭକ୍ତଙ୍କ ନିମନ୍ତ୍ର କୋଭିଡ୍ ନିୟମ କଡାକଡି
ପୁରୀ : ରାଜ୍ୟରେ କରୋନା ଉପର ମୁହାଁ । ଏବେ ଦ୍ୱିତୀୟ ଲହର ଆସିବା ପରେ ଚିନ୍ତାଜର ବିଷୟ ପାଲଟିଛି । ସଂକ୍ରମଣ ବଢ଼ୁଥିବାରୁ କରୋନା କଟକଣାକୁ ଆଖି ଆଗରେ ରଖି ରବିବାର ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିଲା । କେବଳ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ସେବାୟତମାନେ ରହିଥିଲେ । ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇ ଭକ୍ତଙ୍କ ପାଦଚଲା ରାସ୍ତା, ଜୋତା ଷ୍ଟାଣ୍ଡ, ଶ୍ରୀମନ୍ଦିର ଚାରିଦ୍ୱାର, ବାଇଶି ପାହାଚ, ସ୍ନାନମଣ୍ଡପ ପ୍ରଭୃତିସ୍ଥାନକୁ ବିଶୋଧନ କରାଯାଇଛି । ରବିବାର ମନ୍ଦିର ସାନିଟାଇଜ୍ କରିବା ପରେ ସୋମବାର ପୁଣି ମନ୍ଦିର ଖୋଲିଛି । ଭକ୍ତମାନେ ସକାଳୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କାରଯାଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ମାନେ ମାସ୍କ ବାଧ୍ୟତମୂଳକ ଭାବେ ପିନ୍ଧିବା, ସମାଜିକ ଦୂରତ୍ୱ ଓ ହାତ ସାନିଟାଇଜ କରିବା ସହ କୋଭିଡ଼ ନିୟମକୁ କଡ଼ାକଡ଼ି କରାଯାଇଛି । ଆଗକୁ ନିୟମ ଆହୁରି କଡ଼ାକଡ଼ି କରିବା ସହ ବାହାର ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଇବାକୁ ଯୋଜନା ହୋଇଛି। ବ୍ୟାରିକେଡ୍ ଭିତରେ ଓ ଠାକୁରଙ୍କୁ ଦର୍ଶନ ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ପାଳନ ବାଧ୍ୟତାମୂଳକ କରାଯାଇଛି। ସେହିପରି ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତଙ୍କୁ କରୋନା କଟକଣା ମାନିବାକୁ ପଡିବ। ଶ୍ରୀମନ୍ଦିର ପରିସରରେ ପାନ ଗୁଟୁଖା ଖାଇଲେ ୧ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଶ୍ରୀମନ୍ଦିର ଭିତରକୁ ପଲିଥିନ୍ ନେଲେ ଲାଗିବ ୧୦୦ଟଙ୍କାର ଫାଇନ୍ । ସମୟ ସମୟରେ କରୋନା ସ୍ଥିତିକୁ ଦେଖି ଏସଓପିରେ ପରିବର୍ତ୍ତନ କରାଯିବ । ଏହାଛଡା ରାଜ୍ୟ ବାହାର ଲୋକଙ୍କ ପାଇଁ ସରକାର ଯଦି କୌଣସି କଟକଣା ଜାରି କରନ୍ତି ଶ୍ରୀମନ୍ଦିରରେ ତାହାକୁ ପାଳନ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ପ୍ରକାଶ କହିଥିଲେ।