ଜାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ! ଘନ କୁହୁଡି ପାଇଁ ୬ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି
![](https://thetruths.in/wp-content/uploads/2022/01/Heavy-Fog.jpg)
ଭୁବନେଶ୍ୱର : ବଦଳୁଛି ପାଣିପାଗର ମିଜାଜ୍ । ରାଜ୍ୟରେ ଲାଗି ରହିଛି ଶୀତ ଲହରୀ । ସମୁଦ୍ରରୁ ସ୍ଥଳ ଭାଗକୁ ଥଣ୍ଡା ପବନ ବହୁଥିବାରୁ ରାତିର ତାପମାତ୍ରା ହ୍ରାସ ପାଇବା ସହ ଶୀତ ବଢ଼ିଛି । ଜାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ସକାଳେ ଓ ରାତିରେ ଘନ କୁହୁଡ଼ି ଯୋଗୁଁ ରାସ୍ତା ଠିକ୍ ଭାବରେ ଦେଖାଯାଉନାହିଁ । ଫଳରେ ଯାନବାହାନ ଚଳାଚଳରେ ଅସୁବିଧା ହେଉଛି । ଅନ୍ୟପଟେ ପ୍ରବଳ ଜାଡ଼ରୁ ଟିକେ ରକ୍ଷା ପାଇବା ପାଇଁ ଅଂଚଳବାସୀ ନିଆଁର ଆଶ୍ରୟ ନେଉଛନ୍ତି ।
ଏହି ପରିପ୍ରେକ୍ଷୀରେ ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ଅନେକ ଜିଲାରେ ଘନ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି । ଏଥିପାଇଁ ୬ଟି ଜିଲାକୁ ଆଂଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲାଗୁଡ଼ିକ ହେଲା କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି, ଓ କନ୍ଧମାଳ ରହିଛି । ଏହାକୁ ଦୃଷ୍ଟିରେ ରଖି ଏସ୍ଆରସି ସମସ୍ତ ଜିଲାର ଜିଲାପାଳ ଓ ଏସପିମାନଙ୍କୁ ଚିଠି ଲେଖି ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ୬ ତାରିଖ ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାକୁ ବି ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏତଦ ବ୍ୟତୀତ ଜାନୁଆରୀ ୬ରୁ ୭ ତାରିଖ ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି,କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲାରେ କୁହୁଡି ପଡ଼ିବାର ସମ୍ଭାବନା ରହିଛି । ଏଥିପାଇଁ ଉକ୍ତ ଜିଲାକୁ ମଧ୍ୟ ଆଂଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଭଳି ସ୍ଥିତିରେ କନ୍ଧମାଳକୁ ଲେଉଟିଛି ଶୀତ । ଲଗାତାର ଭାବେ ତାପମାତ୍ରା ହ୍ରାସ ପାଇବା ସହ ଫୁଲବାଣୀ, ବାଲିଗୁଡ଼ା, ଫିରିଙ୍ଗିଆରେ ଏବଂ ଜିଲାର ଅନ୍ୟାନ୍ୟ ଅଞ୍ଚଳରେ ଦିନ ୧୦ ଟା ଯାଏଁ କୁହୁଡ଼ି ଢ଼ାଙ୍କି ହୋଇ ରହୁଛି । ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ମଙ୍ଗଳବାର ୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୯ ଡିଗ୍ରୀ ରହିଛି ।