ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର ଦାବିରେ ପ୍ରତିବାଦ ସଭା
![](https://thetruths.in/wp-content/uploads/2022/06/Agnipath-Scheme-1-1024x490.jpg)
ବାଲେଶ୍ୱର : ବାଲେଶ୍ୱର ସହର ସ୍ଥାନୀୟ ଫାଣ୍ଡିଛକ ପାଶ୍ୱର୍ରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କେନ୍ଦ୍ରସରକାରଙ୍କ ଅଗ୍ନିପଥ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର ଦାବିରେ ଶୁକ୍ରବାର ଅପରାହ୍ନ ୫ଟା ସମୟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରତିରକ୍ଷା ବିଭାଗର ସୈନ୍ୟବାହିନୀରେ ସ୍ଥାୟୀ ନିଯୁକ୍ତି ନଦେଇ ୪ବର୍ଷୀୟା ଠିକା ନିଯୁକ୍ତି ବ୍ୟବସ୍ଥାକୁ ମୋର୍ଚ୍ଚା ତରଫରୁ ଦୃଢ଼ ବିରୋଧ କରାଯାଇଛି । ଠିକା ନିଯୁକ୍ତି ଫଳରେ ସୈନ୍ୟବାହିନୀରେ ନିଯୁକ୍ତି ପାଉଥିବା ଯୁବକମାନଙ୍କର ମନୋବଳ ହ୍ରାସପାଇବ । ଠିକା ନିଯୁକ୍ତିରୁ ଚାକିରି ହରାଇବା ପରେ ସେମାନଙ୍କ ପାଇଁ ପେନସନ୍ ଯୋଜନା ନଥିବାରୁ ଏକ ସମାନ୍ତରାଳ ବାହିନୀ ଦେଶରେ ସୃଷ୍ଟି ହେବ । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ବୈତରଣୀ ପାରିହେବା ପାଇଁ କେନ୍ଦ୍ର ସରକାର ଦେଶର ଯୁବବର୍ଗଙ୍କୁ ଲଲିପପ୍ ଦେଇ ଭଣ୍ଡାଇବାକୁ ଉଦ୍ୟମ କରୁଛନ୍ତି ବୋଲି ଏହି ସଭାରେ ବକ୍ତାମାନେ ପ୍ରକାଶ କରିଥିଲେ । ଉକ୍ତ ଯୋଜନା ପ୍ରଣୟନ ପୂର୍ବରୁ ଜାତୀୟ ସ୍ତରରେ ଆଲୋଚନା କିମ୍ବା ତର୍ଜମା କରାନଯାଇ ଏକତରଫା ଭାବେ କେନ୍ଦ୍ରସରକାରଙ୍କ ଏହି ନିଷ୍ପତ୍ତିକୁ କିଷାନ ମୋର୍ଚ୍ଚା ପକ୍ଷରୁ ଦୃଢ଼ ନିନ୍ଦା କରିଛି । କଳା କୃଷି ଆଇନ୍ ପ୍ରତ୍ୟାହାର କଲାଭଳି କେନ୍ଦ୍ର ସରକାର ଏହି ଆଇନ୍କୁ ତୁରନ୍ତ ପ୍ରତ୍ୟାହାର କରି ପ୍ରତିରକ୍ଷା ବିଭାଗରେ ଠିକା ନିଯୁକ୍ତି ବ୍ୟବସ୍ଥା ବନ୍ଦ କରିବାକୁ ସେମାନେ ଦାବି କରିଥିଲେ । ଆନ୍ଦୋଳନକାରୀ ଯୁବବର୍ଗ ଦେଶର ଜାତୀୟ ସମ୍ପତ୍ତିକୁ ନଷ୍ଟ ନକରି ଗଣତାନ୍ତ୍ରିକ ପଦ୍ଧତିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନପାଇଁ ବକ୍ତାମାନେ ଆହ୍ୱାନ ଦେଇଥିଲେ ।
ସଂଯୁକ୍ତ କିଷାନ ମୋର୍ଚ୍ଚାର ଅନ୍ୟତମ ଆବାହକ ଗୌରାଙ୍ଗ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ କୃଷକନେତା ପ୍ରେମରଞ୍ଜନ ପାତ୍ର, ଶ୍ରମିକ ନେତା ରାଜକିଶୋର ଲେଙ୍କା, ପୂର୍ବତନ ସରପଞ୍ଚ ଷ୍ଟାଲିନ୍ ମିଶ୍ର, ଶ୍ରମିକନେତା ସର୍ବେଶ୍ୱର ମିଶ୍ର, ଆଇନଜୀବୀ ନିରଞ୍ଜନ ପରିଡ଼ା, ନାରୀନେତ୍ରୀ ବନ୍ଦନା ପାତ୍ର, ଲକ୍ଷ୍ମୀଧର ଗିରି ଓ ଯତୀନ୍ଦ୍ର ମହାନ୍ତି ପ୍ରମୁଖ କେନ୍ଦ୍ର ସରକାର ବିଭିନ୍ନ ସମୟରେ ଏକତରଫା ଓ ଅପରିଣାମଦର୍ଶୀ ଘୋଷଣା ଦେଶର ସମସ୍ତ ବର୍ଗର ଜନଗଣଙ୍କୁ ଉତ୍କ୍ଷିପ୍ତ କରିଛି ବୋଲି ସେମାନେ ଅଭିଯୋଗ କରିଥିଲେ । ସଭାରେ ଭରତ ଚନ୍ଦ୍ର ସେଠୀ, ଶରତ ଚନ୍ଦ୍ର ଦଳାଇ, ଯତୀନ୍ ପାତ୍ର, ପରମେଶ୍ୱର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଶ୍ୟାମସୁନ୍ଦର ଜେନା ଧନ୍ୟବାଦ ଦେଇଥିଲେ ।