ଗୁରୁଦିବସରେ ଶିକ୍ଷାବିତ୍ମାନଙ୍କୁ ଧନ୍ୟବାଦ ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ
![](https://thetruths.in/wp-content/uploads/2021/09/Prime-Minister-Narendra-Modi.jpg)
ନୂଆଦିଲ୍ଲୀ : ଆଜି ଗୁରୁଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଲାମାନଙ୍କ ଚିନ୍ତାଧାରାକୁ ସମୃଦ୍ଧ କରୁଥିବାରୁ ଶିକ୍ଷାବିତ୍ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଟୁଇଟ୍ କରି ସେ ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରତିବର୍ଷ ଗୁରୁଦିବସ ଭାବେ ପାଳନ କରାଯାଉଥିବା ଡ. ସର୍ବପଲ୍ଲୀ ରାଧାକୃଷ୍ଣନନ୍ଙ୍କ ଜୟନ୍ତୀରେ ତାଙ୍କ ପ୍ରତି ସମ୍ମାନ ଜଣାଇଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି, ପିଲାମାନଙ୍କ ଚିନ୍ତାଧାରାକୁ ସମୃଦ୍ଧ କରିବାରେ ସର୍ବଦା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ସମଗ୍ର ଶିକ୍ଷକ ସମ୍ପ୍ରଦାୟଙ୍କୁ ଅଭିନନ୍ଦନ। କୋଭିଡ୍-୧୯ ସମୟରେ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା-ଧାରା ସୁନିଶ୍ଚିତ କରିବା ଉପାୟ କରିଥିବାରୁ ଶିକ୍ଷକମାନେ ପ୍ରଶଂସନୀୟ। ସେ ଆହୁରି ମଧ୍ୟ ଲେଖିଛନ୍ତି, ଜୟନ୍ତୀ ଅବସରରେ ଡକ୍ଟର୍ ଏସ୍ ରାଧାକୃଷ୍ଣନନ୍ଙ୍କ ପ୍ରତି ସମ୍ମାନ ଜଣାଇ ଆମ ଦେଶ ପ୍ରତି ତାଙ୍କର ଅସାଧାରଣ ନେତୃତ୍ବ ଏବଂ ଅବଦାନ ସବୁକୁ ସ୍ମରଣ କରୁଛି।
ଗୁରୁଦିବସ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ଜନ୍ମବାର୍ଷିକୀ ଅବସରରେ ମହାନ୍ ଦାର୍ଶନିକ ଏବଂ ଚମତ୍କାର ଶିକ୍ଷକ, ପୂର୍ବତନ ରାଷ୍ଟ୍ରପତି ଡକ୍ଟର୍ ଏସ୍ ରାଧାକୃଷ୍ଣନନ୍ଙ୍କୁ ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଜ୍ଞାନର ଆଲୋକ ପ୍ରଦାନ କରି ଆମ ଛାତ୍ରଛାତ୍ରୀମାନଙ୍କ ଜୀବନ ସମୃଦ୍ଧ କରି ଦେଶ ଗଠନ ପାଇଁ ଉଲ୍ଲେଖନୀୟ ଅବଦାନ ଦେଇଥିବା ପରିଶ୍ରମୀ ଶିକ୍ଷକମାନଙ୍କୁ ଅଭିବାଦନ ଜଣାଉଛି। ସୂଚନା ଯେ, ୧୯୬୨ ମସିହାରେ ପ୍ରଥମେ ସେପ୍ଟେମ୍ବର ୫ ତାରିଖକୁ ଗରୁଦିବସ ରୂପେ ପାଳନ କରାଯାଇଥିଲା। ପ୍ରଥମେ ଭାରତର ଉପରାଷ୍ଟ୍ରପତି ଏବଂ ପରେ ଦ୍ବିତୀୟ ରାଷ୍ଟ୍ରପତି ହୋଇଥିବା ଡକ୍ଟର୍ ରାଧାକୃଷ୍ଣନନ୍ ୧୮୮୮ରେ ଜନ୍ମ ଗ୍ରହଣ କରିଥିଲେ। ୧୯୫୪ରେ ଭାରତ ରତ୍ନ ସମ୍ମାନ ପାଇଥିବା ତିନିଜଣଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ। ଅନ୍ୟ ଦୁଇଜଣ ହେଉଛନ୍ତି ସିଭି ରମଣ ଏବଂ ସି ରାଜଗୋପାଳଚାରୀ।