ରାଷ୍ଟ୍ରପତି ପୁଟିନଙ୍କ ସହ ଫୋନ୍ରେ କଥାହେଲେ ପ୍ରଧାନମନ୍ତ୍ରୀ ମୋଦୀ
![](https://thetruths.in/wp-content/uploads/2022/12/Prime-Minister-Modi-spoke-to-President-Putin-over-phone-1024x576.jpg)
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ ଆଲୋଚନା କରିଛନ୍ତି । ଉଭୟ ନେତା ଦ୍ୱିପାକ୍ଷିକ ସଂପର୍କ, ୟୁକ୍ରେନ ଯୁଦ୍ଧ, ସୁରକ୍ଷା ସହଯୋଗ, ତୈଳ କାରବାର ଆଦି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଏହି ଅବସରରେ ପୁଣି ଥରେ ମୋଦୀ ୟୁକ୍ରେନ ପ୍ରସଙ୍ଗରେ ଆଲୋଚନା ଓ କୂଟନୈତିକ ପନ୍ଥା ଗ୍ରହଣ କରିବାକୁ ପୁଟିନଙ୍କୁ କହିଥିଲେ । ମୋଦୀ ମଧ୍ୟ ଭାରତର ଜି-୨୦ ସଭାପତିତ୍ୱ କଥା ଉଠାଇବା ସହ ଏହି ଅବସରରେ ଭାରତ କେଉଁ ପ୍ରସଙ୍ଗକୁ ପ୍ରାଥମିକତା ଦେବ ତାହା ମଧ୍ୟ କହିଥିଲେ ।
ଭାରତ ଏବେ ଜି-୨୦ ଓ ଏସସିଓର ସଭାପତି ରହିଛି । ଭାରତ ଗତ ଡିସେମ୍ବର ୧ରେ ଜି-୨୦ର ସଭାପତିତ୍ୱ ଗ୍ରହଣ କରିଥିଲା । ପୁଣି ଗତ ସେପ୍ଟେମ୍ବର ମାସରେ ସାଂଘାଇ ସହଯୋଗ ସଂଗଠନର ବି ସଭାପତିତ୍ୱ ଗ୍ରହଣ କରିଥିଲା । ଏହି ଦୁଇ ସଂଗଠନରେ ଭାରତର ସଭାପତିତ୍ୱକୁ ସବୁପ୍ରକାରର ସହଯୋଗ କରାଯିବ ବୋଲି ପୁଟିନ ପ୍ରତିଶ୍ରୁତି ଦେଇଛନ୍ତି । ଗତ ସେପ୍ଟେମ୍ବର ମାସରେ ଉଜବେକିସ୍ତାନର ସମରକନ୍ଦ ଠାରେ ହୋଇଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀରେ ମଧ୍ୟ ମୋଦୀ କୂଟନୈତିକ ରାସ୍ତା ଗ୍ରହଣ କରିବାକୁ ପୁଟିନଙ୍କୁ କହିଥିଲେ । ଏହି ସମୟ ଯୁଦ୍ଧର ନୁହେଁ, ବୋଲି ମୋଦୀ ପୁଟିନଙ୍କୁ କହିଥିଲେ । ଅନ୍ୟପକ୍ଷରେ ଯୁକ୍ରେନ ଯୁଦ୍ଧ ଯୋଗୁଁ ମୋଦୀ ଏବର୍ଷ ଦ୍ୱିପାକ୍ଷିକ ଆଲୋଚନା ପାଇଁ ରୁଷ ଗସ୍ତକୁ ବାତିଲ କରିଦେଇଛନ୍ତି ।
ୟୁକ୍ରେନ ସଂକଟ ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ଫୋନ ଯୋଗେ ପିଏମ ମୋଦୀଙ୍କ ସହ କଥା ହୋଇଛନ୍ତି । ରୁଷ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମିଡିଆ ରିପୋର୍ଟ ଅନୁସାରେ ଦୁଇ ଦେଶର ରାଷ୍ଟ୍ରାଧ୍ୟାକ୍ଷ ୟୁକ୍ରେନ ସଂକଟ ସହ ବର୍ତମାନର ବୈଶ୍ୱିକ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଛନ୍ତି । ଅନ୍ୟପଟେ ପିଏମଓ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ପିଏମ୍ ମୋଦୀ ରୁଷ ରାଷ୍ଟ୍ରପତିଙ୍କ ସହ ନିଜ ଆଲୋଚନାରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ସଂଘର୍ଷର ସମାଧାନ ପାଇଁ ଚର୍ଚ୍ଚା ଏବଂ କୁଟନୀତି ମାର୍ଗରେ ବଢିବା ଆହ୍ୱାନକୁ ଦୋହରାଇଛନ୍ତି । ପିଏମଓ ଅନୁସାରେ, ପିଏମ ମୋଦୀ ଭାରତର ଜି-୨୦ ଅଧ୍ୟକ୍ଷତା ବାବଦରେ ରାଷ୍ଟ୍ରପତି ପୁଟିନଙ୍କୁ ସୂଚନା ଦେଇଥିଲେ । ଏହାସହ ଏହାର ପ୍ରମୁଖ ପ୍ରାଥମିକତା ବିଷୟରେ ମଧ୍ୟ ଅବଗତ କରାଇଥିଲେ । ସଂଘାଇ ସହଯୋଗ ସଂଗଠନରେ ଭାରତର ଅଧ୍ୟକ୍ଷତାରେ ଦୁଇ ଦେଶ ଏକ ହୋଇ କାମ କରିବା ଉପରେ ଆଶା ପ୍ରକାଶ କରିଛନ୍ତି । ଏହାସହ ପିଏମ ମୋଦୀ ଏବଂ ପୁଟିନ ପରସ୍ପର ସହ ନିୟମିତ ସମ୍ପର୍କରେ ରହିବା ପାଇଁ ସହମତି ପ୍ରକାଶ କରିଛନ୍ତି ।