ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଜାଣନ୍ତୁ ସବିଶେଷ କାର୍ଯ୍ୟସୂଚୀ
![](https://thetruths.in/wp-content/uploads/2022/10/President-Draupadi-Murmu.png)
ଭୁବନେଶ୍ୱର : ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ବୁଧବାର ଦିନ ଭୁବନେଶ୍ୱରରେ ଫୁଲ ଡ୍ରେସ୍ ରିହର୍ସଲ କରାଯାଇଛି ।
ରାଷ୍ଟ୍ରପତିଙ୍କ ସୁରକ୍ଷା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ପୋଲିସ ଛାଉଣୀରେ ପରିଣତ ହେବ । ୩୪ ପ୍ଲାଟୁନ୍ ଫୋର୍ସ ସହ ୨ ଶହ ସବ୍ଇନ୍ସପେକ୍ଟର, ୬୨ ଜଣ ଏସିପି, ୨୨ ଏଡିସିପି ରାଙ୍କର ଅଫିସର ଏବଂ ୪ ଡିସିପି ରାଙ୍କର ଅଫିସର ସୁରକ୍ଷା ଦାୟିତ୍ୱରେ ରହିବେ । ୧୦ ଓ ୧୧ ତାରିଖରେ ରାଷ୍ଟ୍ରପତିଙ୍କର କାର୍ଯ୍ୟକ୍ରମ ରହିଛି । ଗୁରୁବାର ସକାଳେ ଏୟାରପୋର୍ଟରେ ପହଂଚିବା ପରେ ରାଷ୍ଟ୍ରପତିଙ୍କୁ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ । ସେଠାରୁ ସେ ସିଧା ପୁରୀ ଗସ୍ତରେ ବାହାରିବେ । ପୁରୀ ଶ୍ରୀମନ୍ଦିରରେ ଜଗା ଦର୍ଶନ ପରେ ଭୁବନେଶ୍ୱର ଫେରିବେ ରାଷ୍ଟ୍ରପତି । ଫେରିବା ପରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ । ପରଦିନ ଅର୍ଥାତ ୧୧ ତାରିଖ ଦିନ ରାଜଧାନୀରେ ଦୁଇଟି ସ୍କୁଲ୍ ରେ ପିଲାଙ୍କ ସହ ଆଲୋଚନା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହା ବ୍ୟତୀତ ଜୟଦେବ ଭବନରେ ମଧ୍ୟ ଏକ କାର୍ଯ୍ୟକ୍ରମ ରହିଛି । ଏସବୁ କାର୍ଯ୍ୟକ୍ରମ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।
ଅନ୍ୟପକ୍ଷରେ ପୁରୀରେ ମଧ୍ୟ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ହେଲିପ୍ୟାଡରୁ ଶ୍ରୀମନ୍ଦିର ଏବଂ ଶ୍ରୀମନ୍ଦିରରୁ ରାଜଭବନ ଯାଏଁ କାରକେଡ୍ ରିହର୍ସାଲ୍ ହୋଇଛି । ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ପୁରୀରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ସୁରକ୍ଷା ଲାଗି ଅତିରିକ୍ତ ଫୋର୍ସ ମଧ୍ୟ ରିଜର୍ଭରେ ରହିବେ । ଶହେ ଅଫିସର ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିବେ । ହେଲିପ୍ୟାଡ୍ ରୁ ଆରମ୍ଭ କରି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଦୁଇଟି ଜୋନ୍ ରେ ବିଭକ୍ତ କରାଯାଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗୁରୁବାର ରାଷ୍ଟ୍ରପତି ଶ୍ରୀମନ୍ଦିରରେ ଦିନ ୧୨ଟାରୁ ୧୨ଟା ୪୫ ମଧ୍ୟରେ ଶ୍ରୀଜିଉଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ । ଗୁରୁବାର ଦିନ ରାଷ୍ଟ୍ରପତି ଭୁବନେଶ୍ୱର ପହଂଚିବା ପରେ ସେଠାରୁ ପୁରୀ ଯାଇ ଶ୍ରୀମନ୍ଦିରରେ ଦର୍ଶନ କରିବେ । ଏହା ପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିବେ । ସେ ଭୁବନେଶ୍ୱର ଫେରି ଅନେକ ସ୍ୱାଧୀନତା ସଂଗ୍ରାମୀ ଓ ନେତା ମାନଙ୍କର ପ୍ରତିମୂର୍ତିରେ ଶ୍ରଦ୍ଧାଂଜଳି ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଗୁରୁବାର ସଂଧ୍ୟାରେ ତାଙ୍କର ସମ୍ମାନରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରାଜଭବନରେ ଅନୁଷ୍ଠିତ ହେବ । ସେହିପରି ଶୁକ୍ରବାର ଦିନ ରାଷ୍ଟ୍ରପତି ତପୋବନ ହାଇସ୍କୁଲ, ୟୁନିଟ-୨ ସରକାରୀ ବାଳିକା ବିଦ୍ୟାଳୟ, କୁନ୍ତଳା କୁମାରୀ ସାବତ ଆଦିବାସୀ ବାଳିକା ଛାତ୍ରୀନିବାସ ଯାଇ ସେଠାରେ ଛାତ୍ର- ଛାତ୍ରୀ ଓ ଶିକ୍ଷକ ମାନଙ୍କ ସହ ଆଲୋଚନା କରିବେ । ଶୁକ୍ରବାର ଦିନ ସେ ଜୟଦେବ ଭବନ ଠାରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟର ଅନେକ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ୧୦ ତାରିଖ ୧ଟାରୁ ଭୁବନେଶ୍ୱର ଅଂଚଳରେ ଛୁଟି ଘୋଷଣା କରିଛନ୍ତି । ଏହି ଛୁଟି କେବଳ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଭୁକ୍ତ ଅଂଚଳରେ ବଳବତର ରହିବ । ମହାନଗର ନିଗମ ଅଂଚଳରେ ଥିବା ସମସ୍ତ ସରକାରୀ ଦପ୍ତର ଓ ସରକାରୀ ତଥା ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିବ । ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ସର୍ବସଫଳତାକୁ ଦୃଷ୍ଟିରେ ରଖି ତାଙ୍କ ସମ୍ମାନାର୍ଥେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏପରି ଛୁଟି ଘୋଷଣା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି ।