ମହାପୁରୁଷଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଂଜଳି ଜଣାଇଲେ ରାଷ୍ଟ୍ରପତି
![](https://thetruths.in/wp-content/uploads/2022/11/President-Draupadi-Murmu-paid-homage-to-Statue-of-great-man-1-1024x683.jpg)
ଭୁବନେଶ୍ୱର : ଶ୍ରୀକ୍ଷେତ୍ରରୁ ଫେରିବା ପରେ ଭୁବନେଶ୍ୱରରେ ପହଂଚିଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୈାପଦୀ ମୁର୍ମୁ । ଗୁରୁବାର ଦିନ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ଓ ଗଜପତି ଦିବ୍ୟସିଂହ ଦେବଙ୍କ ପରିବାର ସହିତ ମହାପ୍ରସାଦ ସେବନ ପରେ ରାଷ୍ଟ୍ରପତି ଅପରାହ୍ନରେଭୁବନେଶ୍ୱରରେ ପହଂଚିଛନ୍ତି । ବିମାନବନ୍ଦରରେ ପହଂଚିବା ପରେ ତାଙ୍କୁ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପାରମ୍ପପରିକ ଆଦିବାସୀ ନୃତ୍ୟ, ଗୀତ ଓ ବାଦ୍ୟ ସହିତ ସ୍ୱାଗତ କରାଯାଇଥିଲା । ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ବିମାନମନ୍ଦରରେ ହଜାର ହଜାର ଲୋକଙ୍କର ଭିଡ଼ ଦେଖାଯାଇଥିଲା । ଲୋକେ ଜାତୀୟ ପତାକା ଧରି ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ । ରାଷ୍ଟ୍ରପତି ହାତ ହଲାଇ ସେମାନଙ୍କ ଅଭିବାଦନ ଗ୍ରହଣ କରିଥିଲେ । ଏହାପରେ ରାଷ୍ଟ୍ରପ୍ରତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱରରେ ଥିବା ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ।
ରାଷ୍ଟ୍ରପତି ପ୍ରଥମେ ରାଜ୍ୟ ସଂଗ୍ରହାଳୟ ଛକଠାରେ ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତିରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ । ଏହାପରେ ରାଜଭବନ ଛକରେ ଉତ୍କଳଗୌରବ ମଧୁସୂଦନ ଦାସ, ଗୋପବନ୍ଧୁ ଛକଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପାୱାର ହାଉସ୍ ଛକଠାରେ ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ, କଳିଙ୍ଗ ହସ୍ପିଟାଲ୍ ଛକଠାରେ ସ୍ୱଭାବକବି ଗଙ୍ଗାଧର ମେହେର ଓ ଶହୀଦ ଲକ୍ଷ୍ମଣ ନାଏକ, ମୈତ୍ରୀବିହାରଠାରେ ଭଗବାନ୍ ବିର୍ସା ମୁଣ୍ଡା ଏବଂ ଗୁରୁ ଗୋମ୍କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତିରେ ରାଷ୍ଟ୍ରପତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସେଠାରେ ଜନଜାତିଙ୍କ ପୂଜ୍ୟଦେବତା ମାରାଗଂ ବୁୁରୁଙ୍କୁ ପ୍ରାର୍ଥନାପୂର୍ବକ ପ୍ରଣିପାତ କରିଥିଲେ ।
ପ୍ରତିମୂର୍ତି ସ୍ଥଳଗୁଡ଼ିକରେ ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । କେତେକ ସ୍ଥାନରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇ ଲୋକନୃତ୍ୟ ଓ ଜନଜାତି ନୃତ୍ୟ ପରିବେଷିତ ହୋଇଥିଲା । ସବୁଠାରେ ଜନସାଧାରଣ ହର୍ଷଧ୍ୱନି, ହୁଳହୁଳି ସହିତ ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ଶୃଙ୍ଖଳିତ ଭାବରେ ସମବେତ ହୋଇଥିଲେ । ଏହାପରେ ରାଷ୍ଟ୍ରପତି ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ରାଜଭବନରେ ରାତ୍ରୀଯାପନ କରିବେ । ଆସନ୍ତାକାଲି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗ ଦେବେ । ସୂଚନାଯୋଗ୍ୟ, ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏକ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଗୁରୁବାର ପୂର୍ବାହ୍ନରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିଥିଲେ । ତାଙ୍କୁ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଥିଲେ । ସେଠାରୁ ସିଧାସଳଖ ରାଷ୍ଟ୍ରପତି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ।