ବାୟୁସେନାରୁ ଅବସର ନେବ ମିଗ୍-୨୧, ଆରମ୍ଭ ହେଲାଣି ପ୍ରସ୍ତୁତି
ନୂଆଦିଲ୍ଲୀ: ବାୟୁସେନାକୁ ବାଏ ବାଏ କହିବ ଲଢ଼ୁଆ ବିମାନ ମିଗ୍-୨୧ । ଏଥିପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଏହି ବିମାନ ବାୟୁସେନାର ୪ ସ୍କ୍ୱାଡର୍ନ ଭିତରୁ ଅନ୍ୟତମ । ସୂଚନା ମୁତାବକ , ଶ୍ରୀନଗରରେ ଥିବା ମିଗ୍-୨୧କୁ ସେପ୍ଟେମ୍ବର ଶେଷ ସୁଦ୍ଧା ଅବସର ଦିଆଯିବ । ବଳକା ୩ ସ୍କ୍ୱାଡର୍ନକୁ ୨୦୨୫ ଶେଷ ବେଳକୁ ସେନାରୁ ହଟାଇ ଦିଆଯିବ । ୨୦୧୯ ଫେବୃୟାରୀରେ ବାଲାକୋଟ୍ ଷ୍ଟ୍ରାଇକ୍ ସମୟରେ ଏହି ବିମାନଟି ବେଶ୍ ଚର୍ଚ୍ଚାରେ ରହିଥିଲା । ଲଢୁଆ ଜେଟ୍ ପୁଲୱାମା ଆତଙ୍କୀ ଆକ୍ରମଣର ୨ ସପ୍ତାହ ପରେ ବାଲାକୋଟରେ ଜୈସ୍-ଏ-ମହମ୍ମଦ ଆତଙ୍କୀ ଟ୍ରେନିଂ କ୍ୟାମ୍ପ ଉପରେ ବୋମା ବିସ୍ଫୋରଣ କରାଇଥିଲା ।
ଷ୍ଟ୍ରାଇକର ଗୋଟିଏ ଦିନ ପରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନ ପାକିସ୍ତାନର ଏଫ୍-୧୬ ବିମାନକୁ ମାରି ଖସାଇ ଦେଇଥିଲେ । ସେହି ସମୟରେ ସେ ମିଗ୍-୨୧ ବିମାନ ଉଡ଼ାଉଥିଲେ । କିନ୍ତୁ ଅଭିନନ୍ଦନଙ୍କ ବିମାନ ପାକିସ୍ତାନ ସୀମାରେ କ୍ରାସ୍ ହୋଇଯାଇଥିଲା ଏବଂ ସେ ପାକ୍ ସେନା ଦ୍ୱାରା ବନ୍ଦୀ ହୋଇଯାଇଥିଲେ । ପାଖାପାଖି ୬୦ ଘଂଟା ପରେ ଅଭିନନ୍ଦନ ପାକିସ୍ତାନରୁ ଭାରତକୁ ଫେରିଥିଲେ । ଏହି ଅଦମ୍ୟ ସାହସ ପାଇଁ ତାଙ୍କୁ ସ୍ୱାଧୀନତା ଦିବସ ଅବସରରେ ବୀର ଚକ୍ରରେ ସମ୍ମାନିତ କରାଯାଇଥିଲା ।
ମିଗ୍-୨୧ ଜେଟ୍ କୁ ୪୦ ବର୍ଷ ପୂର୍ବେ ବାୟୁସେନାରେ ସାମିଲ୍ କରାଯାଇଥିଲା । ଏଥିମଧ୍ୟରୁ ଅନେକ ବିମାନ ଏ ପର୍ଯ୍ୟନ୍ତ ଦୁର୍ଘଟଣାଗ୍ରସ୍ତ ହୋଇସାରିଲେଣି । ଶ୍ରୀନଗର ସ୍ଥିତ ୫୧ ସ୍କ୍ୱାର୍ଡନ ସ୍ୱର୍ଡ ଆର୍ମସ୍ ନାମରେ ମଧ୍ୟ ବେଶ୍ ଜଣାଶୁଣା ଏହି ଲଢ଼ୁଆ ବିମାନ । ୧୯୯୯ କାର୍ଗିଲ ଯୁଦ୍ଧରେ ମଧ୍ୟ ମିଗ୍-୨୧ ଭାଗ ନେଇଥିଲା । ଏହି ଲଢ଼ୁଆ ବିମାନକୁ ବାୟୁସେନା ପଦକରେ ମଧ୍ୟ ସମ୍ମାନିତ କରାଯାଇଛି । ଅପରେସନ୍ ପରାକ୍ରମ ସମୟରେ ଏହି ବିମାନକୁ କଶ୍ମୀର ଘାଟିର ଏୟାର ବାୟୁ ପ୍ରତିରକ୍ଷା ଦାୟିତ୍ୱ ଦିଆଯାଇଥିଲା ।