ହୁ ହୁ ହୋଇ ଜଳିଉଠିଲା ଦକ୍ଷିଣ ଆଫ୍ରିକା ରାଷ୍ଟ୍ରୀୟ ସଂସଦ ଭବନ ପରିସର
![](https://thetruths.in/wp-content/uploads/2022/01/Parliament-Building-1024x576.jpg)
କେପ୍ ଟାଉନ: ହୁ ହୁ ହୋଇ ଜଳିଉଠିଲା ଦକ୍ଷିଣ ଆଫ୍ରିକା ରାଷ୍ଟ୍ରୀୟ ସଂସଦ ଭବନ ପରିସର। ଏହି ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। ଏଭଳି ଭୀଷଣ ଧରଣର ଅଗ୍ନିକାଣ୍ଡ କାରଣରୁ ସୃଷ୍ଟି ହୋଇଥିବା ଧୂଆଁ ଦେଶର ରାଜଧାନୀ କେପ୍ ଟାଉନ ସହରରେ ଏକ ଗ୍ୟାସ ବେଲୁନ ଭଳି ଦୃଶ୍ୟମାନ ହୋଇଥିଲା।
ଏନେଇ ପ୍ରତିକ୍ରିୟା ରଖି ଦକ୍ଷିଣ ଆଫ୍ରିକା ଲୋକ ନିର୍ମାଣ ଏବଂ ଭିତ୍ତିଭୂମି ମନ୍ତ୍ରୀ ପାଟ୍ରିସିଆ ଡି ଲିଲ କହିଛନ୍ତି ଏହି ଅଗ୍ନିକାଣ୍ଡ ସଂସଦ ଭବନର ତୃତୀୟ ମହଲାରେ ହୋଇଛି ଯେଉଁଠି କାର୍ଯ୍ୟାଳୟ ରହିଛି। ଏଠାରେ ଦେଶର ସଂସଦ ବସିଥାଏ। ରାଷ୍ଟ୍ରୀୟ ସଂସଦ ଭବନ ପରିସରରେ ନିଆଁ ଲାଗିଯାଇଛି। ଗଣତନ୍ତ୍ର ପାଇଁ ଏହା ଅତ୍ୟନ୍ତ ଦୁଃଖର ଦିନ କାରଣ ସଂସଦ ହେଉଛି ଆମର ଗଣତାନ୍ତ୍ରିକ ଘର। ଅଗ୍ନିକାଣ୍ଡ ଘଟଣା ବାବଦରେ ଦେଶର ରାଷ୍ଟ୍ରପତି ସିରିଲ୍ ରାମାଫୋସଙ୍କୁ ଅବଗତ କରାଯାଇଛି। ନିଆଁ ପ୍ରଥମେ ରାଷ୍ଟ୍ରୀୟ ସଂସଦ ଭବନ ପଛ ପଟରେ ଅବସ୍ଥିତ ପୁରୁଣା ସଂସଦ ଗୃହ ଠାରେ ଲାଗିଥିଲା। ଅଗ୍ନିକାଣ୍ଡ କାରଣରୁ ସୃଷ୍ଟି ହୋଇଥିବା ଉତ୍ତାପ କାରଣରୁ ଏହି କୋଠାର କିଛି ଅଂଶ ଭୁଶୁଡି ପଡିପାରେ ବୋଲି ସଂସଦ ଭବନ ଅଧିକାରୀ ସନ୍ଦେହ କରୁଛନ୍ତି। ହେଲେ ପରିସ୍ଥିତିକୁ ନିୟନ୍ତ୍ରଣକୁ କରାଯାଇଛି ବୋଲି କହିଛନ୍ତି ଦକ୍ଷିଣ ଆଫ୍ରିକା ମନ୍ତ୍ରୀ ଡି ଲିଲ। ଅନ୍ୟପଟେ କେପ୍ ଟାଉନ ସହର ଅଗ୍ନିଶମ ଏବଂ ଉଦ୍ଧାର ସେବା ବିଭାଗ ମୁଖପାତ୍ର ଜର୍ମେନ କୌରେଲଲେ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ଅଗ୍ନିକାଣ୍ଡରେ କୌଣସି ମୃତାହତ ହୋଇନାହାଁନ୍ତି। ଅଗ୍ନିକାଣ୍ଡ ବାବଦରେ ଖବର ମିଳିବା ମାତ୍ରେ ନିଆଁକୁ ଆୟତ୍ତ କରିବା ପାଇଁ ୩୫ଟି ଅଗ୍ନିଶମ ବାହିନୀକୁ ଘଟଣାସ୍ଥଳକୁ ପଠାଯାଇଛି।