ଫ୍ରାନ୍ସର ବାର୍ଷିକ ବାଷ୍ଟିଲ୍ ଡେ ପରେଡ୍ରେ ମୁଖ୍ୟ ଅତିଥି ହେବେ ପ୍ରଧାନମନ୍ତ୍ରୀ ମୋଦି
![](https://thetruths.in/wp-content/uploads/2023/07/PM-Narendra-Modi-1024x576.webp)
- ପ୍ରଥମ ଦିନରେ ଫ୍ରାନ୍ସ୍ର ସର୍ବୋଚ୍ଚ ସମ୍ମାନରେ ଭୂଷିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ : ଫ୍ରାନ୍ସରେ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପରିପ୍ରେକ୍ଷୀରେ ଆଜି ଫ୍ରାନ୍ସର ବାର୍ଷିକ ବାଷ୍ଟିଲ୍ ଡେ ପରେଡ୍ରେ ମୁଖ୍ୟ ଅତିଥି ହେବେ ପ୍ରଧାନମନ୍ତ୍ରୀ । ପରେଡ୍ରେ ଭାରତର ୩-ସେନା କଣ୍ଟିଜେଣ୍ଟ୍ର ୨୬୯ଜଣ ଯବାନ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ଫରାସୀ ଜେଟ୍ ସହିତ ଭାରତୀୟ ବାୟୁସେନାର ୩ଟି ରାଫେଲ୍ ଫାଇଟର୍ ଜେଟ୍ ମଧ୍ୟ ଯୋଗ ଦେଇ ଫ୍ଲାଏପାଷ୍ଟ୍ କରିବେ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଯାତ୍ରା ଏପରି ସମୟରେ ହେଉଛି ଯେତେବେଳେ ଭାରତ-ଫ୍ରାନ୍ସ ଦ୍ବିପାକ୍ଷିକ ସମ୍ପର୍କକୁ ୨୫ ବର୍ଷ ପୂରିବାକୁ ଯାଉଛି । ଏହି ଗସ୍ତ ସମୟରେ ଭାରତର ପ୍ରତିରକ୍ଷାକୁ ନେଇ ମଧ୍ୟ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଭିତରେ ଅନେକ ଚୁକ୍ତି ସ୍ବାକ୍ଷର ହେବ । ଏହାଛଡ଼ା ମହାକାଶ, ବାଣିଜ୍ୟିକ ନିବେଶ ସମେତ ଅନେକ ପ୍ରକାରର ପ୍ରମୁଖ କ୍ଷେତ୍ର ସମ୍ବନ୍ଧୀୟ ସହଯୋଗିତାର ଅଗ୍ରଗତି ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଇମ୍ମାନୁଏଲ୍ ମାକ୍ରୋନ୍ଙ୍କ ସହିତ ଆଲୋଚନା କରିବେ।
ସୂଚନା ଯେ, ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫ୍ରାନ୍ସ୍ ସର୍ବୋଚ୍ଚ ବେସାମରିକ ତଥା ସାମରିକ ସମ୍ମାନ ‘ଗ୍ରାଣ୍ଡ୍ କ୍ରସ୍ ଅଫ୍ ଦି ଲିଜନ୍ ଅଫ୍ ଅନର୍’ରେ ବିଭୂଷିତ କରାଯାଇଛି। ଗୁରୁବାର ରାତିରେ ‘ଏଲିଜି ପ୍ରାସାଦ’ରେ ଘରୋଇ ଭାବେ ଆୟୋଜନ କରିଥିବା ନୈଶ୍ୟ ଭୋଜିରେ ଫ୍ରାନ୍ସ୍ର ରାଷ୍ଟ୍ରପତି ଇମ୍ମାନୁଏଲ୍ ମାକ୍ରୋନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଏହି ସମ୍ମାନ ନିମନ୍ତେ ଭାରତବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ମାକ୍ରୋନ୍ଙ୍କୁ କୃତଜ୍ଞତା ଜଣାଇଥିଲେ। ବୋଲି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି।
ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଟୁଇଟ୍ କରି ଲେଖିଛନ୍ତି: ଆଜି ସନ୍ଧ୍ୟାରେ ‘ଏଲିଜି ପ୍ରାସାଦ’ରେ ମୋତେ ଆପ୍ୟାୟିତ କରିଥିବାରୁ ରାଷ୍ଟ୍ରପତି ଇମ୍ମାନୁଏଲ୍ ମାକ୍ରୋନ୍ ଓ ଶ୍ରୀମତୀ ମାକ୍ରୋନ୍ଙ୍କୁ ଧନ୍ୟବାଦ ଜଣାଉଛି।
ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗ୍ଚି ଏହି ସମ୍ମାନକୁ ଭାରତ-ଫ୍ରାନ୍ସ୍ ମୈତ୍ରୀର ନିବିଡ଼ ଆତ୍ମଚ୍ଛ୍ବାସ ବୋଲି ଅଭିହିତ କରିଛନ୍ତି। ଏହି ସମ୍ମାନ ପାଇବାରେ ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ।