୨୪ରେ ଆମେରିକା ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ
![](https://thetruths.in/wp-content/uploads/2021/09/Pm-Narendra-Modi-meets-with-US-President-Joe-Biden-on-sep-24th.jpg)
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ନିମନ୍ତ୍ରଣ କ୍ରମେ ଭାରତ କ୍ଵାଡ ସମ୍ମିଳନୀରେ ଯୋଗ ଦେବାକୁ ଯାଉଛି। ଭାରତୀୟ ବିଦେଶ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲା ସୋମବାର ଏହି ସୂଚନା ଦେଇଛନ୍ତି। ସ୍କ୍ଵାଡ ସମୂହରେ ସାମିଲ୍ ସମସ୍ତ ଦେଶ ପରସ୍ପର ସଂପର୍କ ଏବଂ ଆନୁସଙ୍ଗିକ ଭିତ୍ତିଭୂମି, ଜଳବାୟୁ ପରିବର୍ତ୍ତନ, ଶିକ୍ଷା ଏବଂ କରୋନା ଭାଇରସ୍ ମୁକାବିଲା ପ୍ରସଙ୍ଗରେ ଖୁବ୍ ସକ୍ରିୟ ରହିଥିବା ଶୃଙ୍ଗଲା କହିଛନ୍ତି। ଉଲ୍ଲେଖନୀୟ କ୍ଵାଡ ସମୂହରେ ଆମେରିକା, ଭାରତ, ଅଷ୍ଟ୍ରେଲିଆ ଓ ଜାପାନ ସାମିଲ୍। ହେଲେ କ୍ଵାଡକୁ ନେଇ ଚୀନର ରକ୍ତଚାପ ବଢିବାରେ ଲାଗିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ସପ୍ତାହରେ ନିଜର ଆମେରିକା ଯାତ୍ରା ସମୟରେ କ୍ଵାଡ ଗ୍ରୁପର ସମ୍ମିଳନୀରେ ଯୋଗ ଦେବେ। ଏଥିସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ସମୂହର ଅନ୍ୟ ନେତାଙ୍କ ସହ ଦ୍ଵିପାକ୍ଷିକ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୨୪ରେ ଓ୍ଵାଶିଂଟନରେ କ୍ଵାଡ୍ ବୈଠକରେ ସାମିଲ ହେବେ। ଏହା ପରେ ସେପ୍ଟେମ୍ବର ୨୫ରେ ନ୍ୟୁୟର୍କରେ ମିଳିତ ଜାତିସଂଘର ୭୬ତମ ସାଧାରଣ ସଭାରେ ଯୋଗ ଦେଇ ସମ୍ବୋଧିତ କରିବେ। କ୍ଵାଡର ଏହି ବୈଠକକୁ ନେଇ ଚୀନ ଚିହିଙ୍କି ଉଠିଛି। କାରଣ କ୍ଵାଡ ସଂଗଠନ ଭାରତ ମହାସାଗର ଓ ଦକ୍ଷିଣ ଚୀନ ସାଗରରେ ଚୀନର ବିସ୍ତାରବାଦୀ ନୀତିକୁ ବିରୋଧ କରୁଛନ୍ତି। ଭାରତ ମହାସାଗରରେ ମୁକ୍ତ, ଅବାଧ ଏବଂ ସୁରକ୍ଷା ସହ ବାଣିଜ୍ୟ କାରବାର ଉପରେ କ୍ଵାଡ ଜୋର ଦେଉଛି। ଯାହାକୁ ସହି ପାରୁନି ଡ୍ରାଗନ। କ୍ଵାଡ ଦକ୍ଷିଣ ଚୀନ ସାଗରର ଆଧିପତ୍ୟ ନୀତିକୁ ମଧ୍ୟ ବିରୋଧ କରୁଛନ୍ତି। କେମିତି ଚୀନକୁ ମାତ୍ ଦିଆଯିବ ଏହାକୁ ନେଇ କ୍ଵାଡ ଦେଶ ଏକାଠି ହୋଇଛନ୍ତି।