ସୁରଟରେ ୩୪ଠଠ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
![](https://thetruths.in/wp-content/uploads/2022/09/PM-Narendra-Modi-7.jpg)
ସୁରଟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଗୁରୁବାର) ସୁରଟରେ ୩୪ଠଠ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଅନେକ ପ୍ରକଳ୍ପ ଦେଶ ଉଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ସଡ଼କ ଭିତିଭୂମି କାର୍ଯ୍ୟର ପ୍ରଥମ ପର୍ଯ୍ୟାୟ ଓ ହୀରା ଗବେଷଣା ବାଣିଜ୍ୟିକ (ଡ୍ରିମ) ନଗରୀର ମୁଖ୍ୟ ପ୍ରବେଶ ଦ୍ୱାର ମଧ୍ୟ ଉଦଘାଟନ କରିଛନ୍ତି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଜୈବ ବିବିଧତା ଉଦ୍ୟାନର ମଧ୍ୟ ଶିଳାନ୍ୟାସ କରିଛନ୍ତି । ଡକ୍ଟର ହେଡ ଗେୱାର ସେତୁର ଭୀମରାଡ଼ – ବାମରୋଲୀ ସେତୁ ମଧ୍ୟରେ ପ୍ରାୟ ୮୭ ହେକ୍ଟର ପରିମିତ ସ୍ଥାନରେ ଏହା ଅବସ୍ଥିତ । ସୁରଟର ବିଜ୍ଞାନ କେନ୍ଦ୍ର ଠାରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ସଂଗ୍ରହାଳୟର ଉଦଘାଟନ କରିଛନ୍ତି ।
ସୁରଟର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ଉପରେ ଆଲେକପାତ କରି ପ୍ରଧାନମନ୍ତ୍ରୀ ଏହି ନଗରୀ ଶ୍ରମକୁ ସମ୍ମାନ ଦେଇଥାଏ ବୋଲି କହିଥିଲେ । “ଭାରତବର୍ଷରେ ଏମିତି କୌଣସି ସ୍ଥାନ ନାହିଁ ଯେଉଁଠାରୁ, ସୁରଟକୁ ଲୋକେ ଆସି ରହିଛନ୍ତି । ଏହା ଏକ “ମିନି ହିନ୍ଦୁସ୍ତାନ” ବୋଲି ଶ୍ରୀ ମୋଦୀ କହିଥିଲେ । ଶତାବ୍ଦୀର ଆରମ୍ଭ ଯୁଗ କଥା ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଥ୍ରୀ ‘ପି’ ଯଥା- ପବ୍ଲିକ, ପ୍ରାଇଭେଟ, ପାର୍ଟନରସିପ କଥା ବିଶ୍ୱରେ ଚର୍ଚ୍ଚା ହେଉଥାଏ ସେତେବେଳେ ସୁରଟ ହେଉଛି ଫୋର ‘ପି’ର ଉଦାହରଣ । “ଫୋର ‘ପି’ ହେଲା- ପିପୁଲ, ପବ୍ଲିକ, ପ୍ରାଇଭେଟ ଓ ପାର୍ଟନରସିପ । ଏହି ମଡେଲ ସୁରଟକୁ ସ୍ୱତନ୍ତ୍ର ଭାବେ ଗଢ଼ି ତୋଳିଥାଏ” ବୋଲି ଶ୍ରୀ ମୋଦୀ କହିଥିଲେ । ଡବଲ ଇଞ୍ଜିନ ସରକାରଙ୍କ ସକାରାତ୍ମକ ପ୍ରଭାବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗରିବ ଓ ମଧ୍ୟବିତ୍ତ ଲୋକମାନଙ୍କ ପାଇଁ ସୁରଟରେ ଆବାସ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଆଶାତୀତ ଭାବେ ବୃଦ୍ଧି ପାଇଛି । ଏ ପର୍ଯ୍ୟନ୍ତ ଦେଶରେ ୪ଠ ନିୟୁତରୁ ଅଧିକ ଗରିବ ରୋଗୀ ଆୟୁଷ୍ମାନ ଭାରତ ଜରିଆରେ ମାଗଣା ଉପଚାର ସୁବିଧା ପାଉଛନ୍ତି । “ସେଥିରୁ ୩୨ ଲକ୍ଷରୁ ଅଧିକ ରୋଗୀ ଗୁଜରାଟର ହୋଇଥିବା ବେଳେ ସୁରଟରୁ ୧.୨୫ ଲକ୍ଷ ରୋଗୀ ଅଛନ୍ତି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ସୁରଟର ବୟନ ଓ ହୀରା ବ୍ୟବସାୟ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶବ୍ୟାପୀ ଏହା ଅନେକ ଲୋକଙ୍କୁ ଜୀବନ ଜୀବିକାରେ ସହାୟକ ହୋଇଥାଏ । ଯେତେବେଳେ ଡ୍ରିମ ସିଟି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ସୁରଟ ବିଶ୍ୱର ସବୁଠାରୁ ସୁବିଧାଜନକ ଓ ନିରାପଦ ହୀରା ବ୍ୟାପାର କେନ୍ଦ୍ର ଭାବେ ପରିଣତ ହେବ ବୋଲି ସେ କହିଥିଲେ । ନଗରୀର ଭିତ୍ତିଭୂମି ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥବଲେ ଯେ ନଗରୀରୁ ବିମାନବନ୍ଦର ପର୍ଯ୍ୟନ୍ତ ହୋଇଥିବା ସଡ଼କ ସଂଯୋଗ ସୁରଟର ସଂସ୍କୃତି, ସମୃଦ୍ଧି ଓ ଆଧୁନିକତାକୁ ସୂଚିତ କରୁଛି । ଦିଲ୍ଲୀର ପୂର୍ବତନ ସରକାର ନଗରୀର ବିମାନବନ୍ଦର ବିକାଶ ପାଇଁ ଧ୍ୟାନ ଦେଉ ନ ଥିଲେ ବୋଲି ସେ କହିଥିଲେ । “ଆଜି ଦେଖନ୍ତୁ, ଦିନକୁ ଏଠାରୁ କେତେ ବିମାନ ଯାତାୟତ କରୁଛି । ପ୍ରତିଦିନ କେତେ ଲୋକ ଏଠାରେ ଓହ୍ଲାଉଛନ୍ତି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସୁରଟ ମେଟ୍ରୋ ପାଇଁ ଅନୁମୋଦନ ସମୟରେ ମଧ୍ୟ ଏକାଭଳି ପରିସ୍ଥିତି କିପରି ଉପୁଜିଥିଲା ପ୍ରଧାନମନ୍ତ୍ରୀ ତା’ର ଅବତାରଣା କରିଥିଲେ । ଲଜିଷ୍ଟିକ୍ସର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସୁରଟବାସୀ ଏହାର ବ୍ୟାବସାୟିକ ଗୁରୁତ୍ୱ ଉପରେ ଅବଗତ ଅଛନ୍ତି । ଜାତୀୟ ଲଜିଷ୍ଟିକ୍ସ ନୀତି ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବହୁମୁଖୀ ସଂଯୋଗ ଉପରେ କାର୍ଯ୍ୟ ଚାଲିଛି । ହାଜିରା-ଗୋଗା ରୋପାକ୍ସ ନୌ ସେବା ଦ୍ୱାରା ଉଭୟ ସମୟ ଓ ଅର୍ଥ ବଂଚାଯାଇ ପାରୁଛି । ଏହାଦ୍ୱାରା ୪ଠଠ କିଲୋମିଟ ରାସ୍ତା ଦୂରତ୍ୱ ହ୍ରାସ ପାଇବା ସହ ରୋପାକ୍ସ ଫଳରେ ସମୟ ୧ଠ-୧୨ ଘଣ୍ଟାରୁ ୩-୪ ଘଣ୍ଟାକୁ ହ୍ରାସ ପାଇଛି ।
ଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ଗତ ଦୁଇ ଦଶନ୍ଧିରେ ସୁରଟରେ ହୋଇଥିବା ବିକାଶ ଉପରେ ଧ୍ୟାନ କେନ୍ଦ୍ରୀତ କରିଥିଲେ । ଆଗାମୀ ବର୍ଷରେ ଉନ୍ନୟନର ଗତି ଆହୁରି ତୀବ୍ର ହେବ । “ଆଜି ଏହି ବିକାଶ ଡବଲ ଇଞ୍ଜିନ ସରକାର ଉପରେ ଜନସାଧାରଣଙ୍କ ଆସ୍ଥା ଉପରେ ପର୍ଯ୍ୟବସିତ, ଆସ୍ଥା ବଢ଼ିଲେ, ଉଦ୍ୟମ ବଢ଼େ ଓ ସବକା ପ୍ରୟାସ ଜରିଆରେ ବିକାଶର ଗତି ମଧ୍ୟ ବଢ଼େ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଗୁଜରାଟ ମୁଖ୍ୟମନ୍ତ୍ରୀଭୂପେନ୍ଦ୍ର ପଟେଲ, ସଂସଦ ସଦସ୍ୟ ଏମ.ସି.ଆର. ପାଟିଲ ଓ ଶ୍ରୀ ପ୍ରଭୁଭାଇ ବାସବମ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶନା ବିକ୍ରମ ଯାରଦୋସ ଓ ଗୁଜରାଟର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ହର୍ଷ ସଂଘରୀ ଏହି ଅବସରରେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ସୁରଟରେ ୩୪ଠଠ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏଗୁଡ଼ିକ ମଧ୍ୟରେ ଜଳ ଯୋଗାଣ, ନର୍ଦମା ପ୍ରକଳ୍ପ, ଡ୍ରିମ ସିଟି, ଜୈବ ବିବିଧତା ଉଦ୍ୟାନ ଓ ସାଧାରଣ ଭିତ୍ତିଭୂମି, ଐତିହ୍ୟର ପୁନରୁଦ୍ଧାର, ବିଦୁତ ଯାନ ଭିତ୍ତିଭୂମି ଓ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅନ୍ତର୍ଭୁକ୍ତ ।
ପ୍ରଧାନମନ୍ତ୍ରୀ ସଡ଼କ ଭିତ୍ତିଭୂମି କାର୍ଯ୍ୟର ପ୍ରଥମ ପର୍ଯ୍ୟାୟ ଓ ହୀରା ଗବେଷଣା ଓ ବାଣିଜ୍ୟ (ଡ୍ରିମ ସିଟି)ର ମୁଖ୍ୟ ପ୍ରବେଶ ଦ୍ୱାର ଉଦଘାଟନ କରିଛନ୍ତି । ସୁରଟରେ ହୀରା ବ୍ୟବସାୟର ଦ୍ରୁତ ପ୍ରଗତି ଦୃଷ୍ଟିରୁ ସ୍ଥାନାଭାବ ଓ ଅନ୍ୟାନ୍ୟ ବାଣିଜ୍ୟିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡ୍ରିମ ସିଟି ପ୍ରକଳ୍ପ ଆରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟର ମଧ୍ୟ ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୈବ ବିବିଧତା ଉଦ୍ୟାନର ମଧ୍ୟ ଶିଳାନ୍ୟାସ କରିଛନ୍ତି । ଡକ୍ଟର ହେଡ ଗେୱାର ସେତୁରୁ ଭୀମରାଡ଼ – ବାମମେରୀ ସେତୁ ମଧ୍ୟରେ ପ୍ରାୟ ୮୭ ହେକ୍ଟର ପରିମିତ ଅଞ୍ଚଳରେ ଏହା ନିର୍ମିତ ହେଉଛି । ପ୍ରଧାନମନ୍ତ୍ରୀ ପିଲାମାନଙ୍କ ପାଇଁ ସୁରଟ ବିଜ୍ଞାନ କେନ୍ଦ୍ରରେ ମୋଦୀ ସଂଗ୍ରହାଳୟ ମଧ୍ୟ ଉଦଘାଟନ କରିଛନ୍ତି । ଏହି ସଂଗ୍ରହାଳୟ ଅନେକ ଜ୍ଞାତବ୍ୟ ବିଷୟ ସୂଚନା ଦେବ । ଏହି ଶିଳାନ୍ୟାସ ଓ ଉନ୍ନୟନ ପ୍ରକଳ୍ପ ଉଦଘାଟନୀ କାର୍ଯ୍ୟ ପ୍ରଧାନମନ୍ତ୍ରୀଙ୍କ ବିଶ୍ୱସ୍ତରୀୟ ଭିତ୍ତିଭୂମି ସୃଷ୍ଟି ଦୂରଦୃଷ୍ଟିର ପରିଚାୟକ । ଏହା ସହରାଞ୍ଚଳ ବିକାଶ ସହ ବହୁମୁଖୀ ସଂଯୋଗ ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରିବ । ଜନସାଧାରଣଙ୍କ ଜୀବନରେ ସୁଖ ସ୍ୱାଚ୍ଛନ୍ଦ୍ୟ ଆଣିବା ନେଇ ସରକାରଙ୍କ ଉଦ୍ୟମ ଏଥିରେ ପ୍ରତିଫଳିତ ହୋଇଛି ।