ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ
![](https://thetruths.in/wp-content/uploads/2022/07/PM-Narendra-Modi-6.jpg)
ଚାପଗ୍ରସ୍ତ ନ ହୋଇ ଭଲ ଖେଳ ପ୍ରଦର୍ଶନ କରିବାକୁ ଚେଷ୍ଟା କର
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ୨ଠ୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା ଭାରତୀୟ କ୍ରୀଡ଼ାବିତ୍ ଦଳର ସଦସ୍ୟମାନଙ୍କ ସହିତ ଭାବ ବିନିମୟ କରିଛନ୍ତି । ଏହି ଅବସରରେ ଉଭୟ କ୍ରୀଡ଼ାବିତ ଏବଂ ସେମାନଙ୍କର ପ୍ରଶିକ୍ଷକମାନଙ୍କ ସହିତ କେନ୍ଦ୍ର କ୍ରୀଡ଼ା, ଯୁବସେବା ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଏବଂ କ୍ରୀଡ଼ାବିତ ସଚିବ ଉପସ୍ଥିତ ଥିଲେ ।
ଆଜି ପ୍ରସଙ୍ଗକ୍ରମେ ଆନ୍ତର୍ଜାତିକ ଚେସ୍ ଦିବସ ମଧ୍ୟ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଚଳିତ ଜୁଲାଇ ମାସ ୨୮ ତାରିଖରେ ୨୮ତମ ଚେସ ଅଲିମ୍ପିଆଡ ତାମିଲନାଡୁରେ ଆୟୋଜିତ ହେଉଛି । ପ୍ରଧାନମନ୍ତ୍ରୀ ଏହି ଅବସରରେ ଭାରତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ପୂର୍ବତନ କ୍ରୀଡ଼ାବିତମାନଙ୍କ ଭଳି ସେମାନେ ମଧ୍ୟ ଭାରତକୁ ଗୌରବାନ୍ୱିତ କରିବେ ବୋଲି ସେ ଆଶାବାଦୀ । ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ୬୫ରୁ ଅଧିକ କ୍ରୀଡ଼ାବିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଉଥିବା ଜାଣି ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହ ସେମାନଙ୍କ ଉତ୍ତମ ପ୍ରଦର୍ଶନ କାମନା କରିଥିଲେ । କୌଣସି ଚାପର ସମ୍ମୁଖୀନ ନ ହୋଇ, ସମସ୍ତ ଶକ୍ତି ଓ ସାମର୍ଥ୍ୟ ଲଗାଇ ମନଯୋଗ ସହିତ ଖେଳିବାକୁ ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ଜଣେ କ୍ରୀଡ଼ାବିତ ଅବିନାଶ ସାବଲେଙ୍କ ସହିତ କଥା ହୋଇଥିଲେ । ଭାରତୀୟ ସେନାରେ କାମ କରୁଥିବା ଏହି ଖେଳାଳି ଜଣକ ସିଆଚେନରେ ନିଯୁକ୍ତ । ତାଙ୍କ ଜୀବନର ଅଭିଜ୍ଞତା ବିଷୟରେ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ । ଅବିନାଶ କହିଥିଲେ ଯେ ସେ ଭାରତୀୟ ସେନାରେ ଚାରିବର୍ଷ କାମ କରିବା ଭିତରେ ଅନେକ କଥା ଶିଖିଛନ୍ତି । ଏହି ଅଭିଜ୍ଞତା ତାଙ୍କୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଭଲ କରିବାକୁ ସାହାଯ୍ୟ କରିବ । ସିଆଚେନରେ କାମ କରୁଥିବା ବେଳେ ସେ ଷ୍ଟିପଲଚେଜ କ୍ରୀଡ଼ାକୁ କାହିଁକି ବାଛିଲେ ବୋଲି ପ୍ରଧାନମନ୍ତ୍ରୀ ସାବଲେଙ୍କୁ ପଚାରିଥିଲେ । ଏହାର ଉତ୍ତରରେ ସେ କହିଥିଲେ ଯେ ଷ୍ଟିପଲଚେଜ ପ୍ରତିବନ୍ଧକ ଏଡ଼ାଇ ଆଗକୁ ବଢ଼ିବାର ଏକ ଖେଳ । ସେନାରେ ଏଥିପାଇଁ ତାଲିମ ପ୍ରଦାନ କରାଯାଇଥାଏ । ଖୁବଶୀଘ୍ର ଓଜନ କମାଇବାର ରହସ୍ୟ ପ୍ରଧାନମନ୍ତ୍ରୀ ତାଙ୍କ ଠାରୁ ଜାଣିବାକୁ ଚାହିଁବାରୁ ସେ କହିଥିଲେ ଯେ ଖେଳକୁଦରେ ସାମିଲ ହେବାକୁ ସେନା ତାଙ୍କୁ ପ୍ରୋତ୍ସାହିତ କରିଥିଲା । ନିଜର ତାଲିମ ପାଇଁ ସେ ଅଧିକ ସମୟ ପାଇଥିଲେ । ଏହି ପ୍ରକ୍ରିୟାରେ ସେ ଅଧିକ ବ୍ୟାୟାମ ଓ ପରିଶ୍ରମ କରି ନିଜର ଓଜନ ଶୀଘ୍ର କମାଇବାରେ ସଫଳ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ଯେ ସାମ୍ପ୍ରତିକ ସମୟ ଭାରତୀୟ କ୍ରୀଡ଼ା ଇତିହାସର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟ । ଏବେ କ୍ରୀଡ଼ାବିତମାନଙ୍କର ଉତ୍ସାହ ଓ ମନୋବଳ ଅତି ଉଚ୍ଚ ରହିଛି । ସେମାନଙ୍କ ତାଲିମ ବ୍ୟବସ୍ଥା ମଧ୍ୟ ପୂର୍ବ ଠାରୁ ଅଧିକ ଭଲ ହୋଇଛି । ଦେଶର କ୍ରୀଡ଼ା ପରିବେଶ ଅସାଧାରଣ ରହିଛି । ଆପଣମାନେ ସମସ୍ତେ ନୂଆ ଶିଖର ଆରୋହଣ କରୁଛନ୍ତି, ନୂଆ କୀର୍ତ୍ତିମାନ ସୃଷ୍ଟି କରୁଛନ୍ତି । ସେ ଆହୁରି କହିଛନ୍ତି ଯେ ଯେଉଁମାନେ ପ୍ରଥମ ଥର ବୃହତ୍ତ ଆନ୍ତର୍ଜାତିକ କ୍ରୀଡ଼ା କ୍ଷେତ୍ରକୁ ପ୍ରବେଶ କରୁଛନ୍ତି ସେମାନଙ୍କ ପାଇଁ କ୍ରୀଡ଼ାଙ୍ଗନ କେବଳ ବଦଳିଛି, ସେମାନଙ୍କ ଉତ୍ସାହ ଓ ସଫଳତା ପାଇଁ ଥିବା ଦୃଢ଼ ଆଶା ବଦଳି ନାହିଁ । ଆମର ଲକ୍ଷ୍ୟ ହେଲା ଭାରତର ତ୍ରିରଙ୍ଗା ପତାକାକୁ ଉଡୁଥିବାର ଦେଖିବା ଏବଂ ଜାତୀୟ ସଂଗୀତ ପରିବେଷଣ ହେଉଥିବା ଶୁଣିବା । ତେଣୁ ଚାପଗ୍ରସ୍ତ ନ ହୋଇ ଭଲ ଖେଳ ପ୍ରଦର୍ଶନ କରିବାକୁ ଚେଷ୍ଟା କରନ୍ତୁ ।
ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଭାରତ ତାହାର ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ଆମ କ୍ରୀଡ଼ାବିତମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବାକୁ ଯାଉଛନ୍ତି, ସେମାନେ ସେଠାରେ ତାଙ୍କର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବେ । ସେମାନେ ସଫଳ ହେଲେ ଏହା ଦେଶ ପାଇଁ ଏକ ଉପହାର ହେବ । ଆମର ପ୍ରତିପକ୍ଷ କିଏ ତାହା ବଡ଼କଥା ନୁହେଁ । ଆମେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବାକୁ ଚେଷ୍ଟିତ ହେଲେ ବିଜୟ ମିଳିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସବୁ କ୍ରୀଡ଼ାବିତ ଉତ୍ତମ ତାଲିମ ପାଇଛନ୍ତି ଏବଂ ସେମାନଙ୍କ ପାଇଁ ବିଶ୍ୱର ଶ୍ରେଷ୍ଠତମ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି । ଅତଏବ ଆମ କ୍ରୀଡ଼ାବିତମାନେ ତାଲିମକୁ ସ୍ମରଣ କରି ନିଜର ଦୃଢ଼ ଇଚ୍ଛାଶକ୍ତି ଉପରେ ଅଧିକ ନିର୍ଭର କରିବା ଆବଶ୍ୟକ । ଆମ କ୍ରୀଡ଼ାବିତମାନେ ଏଯାବତ୍ ଯାହା କିଛି ହାସଲ କରିଛନ୍ତି ତାହା ନିଶ୍ଚୟ ପ୍ରେରଣାଦାୟକ । ଏହା ସତ୍ତ୍ୱେ ସେମାନେ ଏବେ ନୂଆ କୀର୍ତ୍ତିମାନ ସୃଷ୍ଟି ଉପରେ ଧ୍ୟାନ ଦେଇ ଦେଶ ଓ ଦେଶବାସୀଙ୍କ ପାଇଁ ଶ୍ରେଷ୍ଠ କ୍ରୀଡ଼ା ପ୍ରଦର୍ଶନ କରିବା ଉଚିତ ।
କ୍ରୀଡ଼ାବିତମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ ସେମାନଙ୍କୁ ଅନୁପ୍ରାଣିତ ଓ ଉତ୍ସାହିତ କରିବାର ଏକ ନିରନ୍ତର ପ୍ରୟାସର ଅଂଶବିଶେଷ । ବଡ଼ବଡ଼ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା କ୍ରୀଡ଼ାବିତମାନଙ୍କୁ ସେ ଏଭଳି ପ୍ରୋତ୍ସାହିତ କରି ଆସୁଛନ୍ତି । ୨ଠ୨ଠ ଟୋକିଓ ଅଲିମ୍ପିକ୍ସରେ ଭାଗନେବାକୁ ଯାଇଥିବା କ୍ରୀଡ଼ାବିତ ଓ ସେହି ବର୍ଷ ସେଠାରେ ଆୟୋଜିତ ପାରା ଅଲିମ୍ପିକ୍ସର ଜାତୀୟ ଦଳର ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀ ଗସ୍ତ ପୂର୍ବରୁ ଏଭଳି ଉତ୍ସାହିତ କରିଥିଲେ । ଏପରିକି ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ସମୟରେ ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ଭଲମନ୍ଦ ପ୍ରତି ବିଶେଷ ନଜର ରଖନ୍ତି । ଅନେକଥର ସେ ମଧ୍ୟ ଖେଳାଳିମାନଙ୍କୁ ଟେଲିଫୋନ କରି ସେମାନଙ୍କ ସଫଳତା ଓ ଉଲ୍ଲେଖନୀୟ ଉଦ୍ୟମ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇ ଆହୁରି ଭଲ କରିବାକୁ ଉତ୍ସାହିତ କରିଥାନ୍ତି । ବିଦେଶରେ ଅନୁଷ୍ଠିତ ଖେଳକୁଦ ପ୍ରତିଯୋଗିତାରୁ ଫେରିବା ପରେ ମଧ୍ୟ ଭାରତୀୟ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ଭେଟି ସେମାନଙ୍କ ସହିତ କଥା ହୁଅନ୍ତି । ୨ଠ୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା (ସିଡବ୍ଲୁଜି ବା କମନୱେଲଥ ଗେମ୍ସ) ଚଳିତ ମାସ (ଜୁଲାଇ) ୨୮ ତାରିଖରୁ ଇଂଲଣ୍ଡର ବର୍ମିଂହାମ ଠାରେ ଆରମ୍ଭ ହେଉଛି । ଏହା ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଭାରତର ମୋଟ ୨୧୫ ଜଣ କ୍ରୀଡ଼ାବିତ ଏହି ପ୍ରତିଯୋଗିତାର ୧୯ଟି ବିଭାଗର ୧୪୧ ଇଭେଣ୍ଟରେ ଭାଗ ନେବେ ।