ଏଣିକି ରୋଗୀମାନଙ୍କୁ ଔଷଧ ଦେଇପାରିବେ ଫାର୍ମାସିଷ୍ଟ
![](https://thetruths.in/wp-content/uploads/2021/09/Medicine-1024x576.jpg)
ଭୁବନେଶ୍ୱର : ଏଣିକି ରାଜ୍ୟର ବିଭିନ୍ନ ଡାକ୍ତରକାନାରେ ନିଯୁକ୍ତି ଫାର୍ମାସିଷ୍ଟମାନେ ରୋଗୀମାନଙ୍କୁ ଔଷଧ ଦେଇପାରିବେ । ଡାକ୍ତରଙ୍କ ଅନୁପସ୍ଥିତିରେ ସେମାନେ ରୋଗୀମାନଙ୍କୁ ଔଷଧ ଦେଇପାରିବେ । ତେବେ ଗୁରୁତର ରୋଗୀ ନୁହେଁ କେବଳ ସାମାନ୍ୟ ରୋଗ ପାଇଁ ଔଷଧ ଦେବେ । ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଫାର୍ମାସିଷ୍ଟଙ୍କୁ ଏପରି ରୋଗ ନିମନ୍ତେ ଔଷଧ ଦେବାକୁ ଅନୁମତି ମିଳିଛି ଯାହାଦ୍ୱାରା ରୋଗୀଙ୍କ ଜୀବନ ପ୍ରତି ବିପଦ ରହିବ ନାହିଁ ।
ତେବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ଏହି ନିର୍ଦ୍ଦେଶନାମାରେ କେଉଁ ରୋଗ ପାଇଁ ଫାର୍ମାସିଷ୍ଟମାନେ କେଉଁ ଔଷଧ ଦେବେ ତାହାର ଏହି ତାଲିକା ବି ପ୍ରକାଶ ପାଇଛି । ରୋଗର ନାଁ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । କେବଳ ଜ୍ୱର, ମାଲେରିଆ ଠାରୁ ଆରମ୍ଭ କରି ଚର୍ମରୋଗ, ଝାଡାବାନ୍ତି ଓ କୃମି ସମସ୍ୟା ଥିଲେ ତଥା କେହି ସାମାନ୍ୟ ଆହତ ହୋଇଥିଲେ ଫାର୍ମାସିଷ୍ଟମାନେ ଔଷଧ ଦେଇପାରିବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି । ସେପଟେ ସ୍ୱାସ୍ଥ୍ୟ ସମସ୍ୟା ରାଜ୍ୟରେ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ବିଭିନ୍ନ ଅଞ୍ଚଳରେ ସ୍ୱାସ୍ଥ୍ୟକେନ୍ଦ୍ର ଥିଲେ ମଧ୍ୟ ଡାକ୍ତର ପଦବୀ ଖାଲି ରହୁଛି । ଫଳରେ ଅତି ସାମାନ୍ୟ ରୋଗ ପାଇଁ ବି ରୋଗୀମାନେ ଚିକିତ୍ସା ସେବାରୁ ବଞ୍ଚିତ ହେଉଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ସରକାର ନୂଆ ନିର୍ଦ୍ଦେଶାନାମା ଜାରି କରିଛନ୍ତି ।