ଶାରୀ ଓ ବଦମାସ୍ କାଉ
ସନ୍ଧ୍ୟା ହେଇ ଆସୁଥାଏ । ସବୁ ପକ୍ଷୀ ନିଜ ନିଜ ବସାକୁ ଫେରୁଥାନ୍ତି । ଏତିକିବେଳେ ବହୁତ ଜୋର୍ରେ ପବନ ବହିଲା । ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ବାଦଲ । ଶାରୀଟିଏ ତରତର ହୋଇ ବସାକୁ ଫେରିବାକୁ ଚେଷ୍ଟା କରୁଥାଏ । ହେଲେ ପବନ ସାଙ୍ଗକୁ ବର୍ଷା ବି ଆରମ୍ଭ ହୋଇଗଲା । ବର୍ଷାରେ କୁଆପଥର ମାଡ ହେବାର ଦେଖି ସେ ଗୋଟିଏ ଗଛ ଡାଳରେ ବସିପଡିଲା । ସେହି ଗଛରେ ରହୁଥିଲେ କିଛି ବଦ୍ମାସ କାଉ । ସେମାନେ ସବୁବେଳେ ଗଛ ଡାଳରେ ଜାଗା ପାଇଁ କଳି ଝଗଡା କରୁଥିଲେ । କା କା ରଡି କରି ଝଗଡା କରିବା ସେମାନଙ୍କ ନିତ୍ୟକର୍ମ ହେଇଯାଇଥିଲା । ଶାରୀକୁ ତାଙ୍କ ଗଛ ଡାଳରେ ବସିଥିବା ଦେଖି ସେଇ ବଦମାସ କାଉମାନଙ୍କ ମଧ୍ୟରୁ ଜଣେ ଖୁବ୍ ଜୋର୍ରେ ରାଗିଗଲା ।
ରାଗିଯାଇ ଶାରୀକୁ କହିଲା, ‘ତୁ ଏଠି କ’ଣ ପାଇଁ ବସିଛୁ ।’
ଶାରୀ ତାକୁ କହିଲା, ‘ମୁଁ ଘରକୁ ଫେରୁଥିଲି । ଏତିକିବେଳେ ଝଡତୋଫାନ ବହୁତ ଜୋର୍ରେ ହେଲା । କୁଆପଥର ମାଡରେ ମୁଁ ଆଗକୁ ଯାଇପାରିଲି ନାହିଁ । ଏପଟେ ରାତି ହେଇଗଲାଣି । କେମିତି ଘରକୁ ଫେରିବି । ଅନ୍ଧାରରେ ମୋ ବସା ମୋତେ ଦେଖା ଯିବନାହିଁ । ସକାଳ ହେଲେ ମୁଁ ମୋ ବସାକୁ ଚାଲିଯିବି । ସେଥିପାଇଁ ଆଜି ରାତି ପାଇଁ ଏଇ ଗଛ ଡାଳରେ ଆଶ୍ରୟ ନେବାକୁ ଚାହୁଁଛି ।’
ଶାରୀର କଥା ଶୁଣି ଗଛ ଡାଳରେ ବସିଥିବା କାଉମାନେ ଆହୁରି ରାଗିଗଲେ । ସେମାନେ କହିଲେ ‘ଗଛ ଡାଳରେ କିଏ କୋଉଦିନ ବସିବ ତାହାକୁ ନେଇ ଆମେ ସବୁବେଳେ ଗଣ୍ଡଗୋଳ କରୁଛୁ । ଆଉ ତୋତେ ଆମେ କିପରି ଜାଗା ଦେବୁ । ତୁ ଏଠାରୁ ଚାଲିଯା ।’
ତଥାପି ଶାରୀ ସେମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କଲା । ‘ମୁଁ ତୁମ ଭଉଣୀ ଭଳିଆ । ଏତେ ରାତିରେ ମୁଁ କୁଆଡେ ଯିବି । ମୋତେ ଏଠି ରହିବା ପାଇଁ ଟିକେ ଜାଗା ଦିଅ ’ ବୋଲି କହି ଶାରୀ ବହୁତ ନେହୁରା ହେଲା ।
କିନ୍ତୁ ବଦ୍ମାସ କାଉମାନେ ତାକୁ କହିଲେ ‘ତୋ ଭଳିଆ ଭଉଣୀ ଆମର ଦରକାର ନାହିଁ । ତୁ ଏଠାରୁ ଶୀଘ୍ର ଚାଲିଯା । ନହେଲେ ଆମେ ତୋତେ ମାରିଦେବୁ ।’ ମନଦୁଃଖରେ ଶାରୀଟି ଉଡିଗଲା । ପାଖରେ ଥିବା ଅନ୍ୟ ଗୋଟିଏ ଆମ୍ବ ଗଛରେ ବସିପଡିଲା । ଦେଖିଲା ସେଇ ଆମ୍ବଗଛର ଗୋଟିଏ ଡାଳ ଭାଙ୍ଗିଯାଇଛି । ଯେଉଁସ୍ଥାନରୁ ଡାଳଟି ଭାଙ୍ଗିଛି ସେଠାରେ ଡାଳର କିଛି ଅଂଶ ପଚିଯାଇଥିବାରୁ ସେଠାରେ ବଡ ଗାତଟିଏ ହୋଇଛି । ଛୋଟ ଶାରୀଟି ଯାଇ ତା ଭିତରେ ଆଶ୍ରୟ ନେଲା । ରାତି ଅଧିକ ହେବା ସହିତ କୁହାପଥର ମାଡ ଓ ବର୍ଷା ବଢିବାରେ ଲାଗିଲା । ବଡ ବଡ କୁଆପଥର ବନ୍ଧୁକ ଗୁଳି ଠାରୁ କମ୍ ନଥିଲା । କାଉମାନେ କୁଆପଥର ମାଡରେ ଏପଟସେପଟ ହୋଇ ଉଡିବାକୁ ଲାଗିଲେ । ଅଧାରୁ ଅଧିକ କାଉ କୁଆପଥର ମାଡରେ କ୍ଷତବିକ୍ଷତ ହୋଇ ମରିଗଲେ ।
ତାପରଦିନ ସକାଳ ହେଲା । ଆକାଶ ସଫା ହୋଇଗଲା । ଶାରୀଟି ଗଛ କୋରଡରୁ ବାହାରି ଡେଣା ମେଲାଇଲା । ଚାରିଆଡେ ଗଛଲତା ଭାଙ୍ଗି ପଡିଥାଏ । ଗୋଟିଏ ଗୁରୁତର ଆହତ ହୋଇଥିବା କାଉ ଶାରୀକୁ ଦେଖି ପଚାରିଲା ‘ଶାରୀ ତୁମେ କାଲି ରାତିରେ କେଉଁଠାରେ ଥିଲ? ତୁମର କ’ଣ କିଛି କ୍ଷତି ହୋଇନାହିଁ ।’ ଶାରୀ କହିଲା, ‘ମୁଁ ପାଖରେ ଥିବା ଆମ୍ବ ଗଛରେ ରହିଥିଲି । ବର୍ଷା ଅଧିକ ହେବାରୁ ମୁଁ ଠାକୁରଙ୍କୁ ଡାକୁଥିଲି । ଦୁଃଖ ସମୟରେ ଭଗବାନ ହିଁ ସାହାଯ୍ୟ କରନ୍ତି । ଯିଏ ଭଗବାନଙ୍କ ଉପରେ ବିଶ୍ୱାସ ରଖେ ଓ ଅନ୍ୟମାନଙ୍କୁ ସାହାଯ୍ୟ କରେ ତାକୁ ଭଗବାନ ନିଶ୍ଚୟ ସାହାଯ୍ୟ କରନ୍ତି ।’ ଏତିକି କହି ଶାରୀଟି ନିଜ ବସାକୁ ଉଡିଗଲା । ଏଥିରୁ ଆମକୁ ଶିକ୍ଷା ମିଳୁଛି ଯେ, ଦୁଃଖ ସମୟରେ ଅନ୍ୟକୁ ସାହାଯ୍ୟ କରିବା ଉଚିତ୍ । ଅନ୍ୟକୁ ସାହାଯ୍ୟ କଲେ ଆମକୁ ବି ଭଗବାନ ସାହାଯ୍ୟ କରିବେ ।