ଭାଲୁ ଆକ୍ରମଣରେ ଜଣେ ଗୁରୁତର, ଜଣେ ଆହତ
![](https://thetruths.in/wp-content/uploads/2021/10/Bear-Attack.jpg)
ନୀଳଗିରି : ବାଲେଶ୍ଵର ଜିଲା ନୀଳଗିରି ବ୍ଲକ୍ ଅଧୀନ କରଞ୍ଜିଆ ଗ୍ରାମକୁ ପଶିଲା ଭାଲୁ । ଭାଲୁଟି ଅତର୍କିତ ଆକ୍ରମଣ କରି ଜଣେ ଯୁବକଙ୍କୁ କଲା ଗୁରୁତର । ଅନ୍ୟ ଜଣେ ଯୁବକ ଉପସ୍ଥିତି ବୁଦ୍ଧି ଖଟାଇ ନଦୀକୁ ଡେଇଁ ପଡିବାରୁ ସାମାନ୍ୟ ଆହତ ହୋଇ ଜୀବନ ବଞ୍ଚି ଯାଇଛି ।
ସୂଚନା ଯେ, ଗୁରୁବାର ସକାଳୁ ଏକ ଭାଲୁ ଜଙ୍ଗଲକୁ ଫେରି ନପାରି କରଞ୍ଜିଆ ଗାଁକୁ ପଶି ଯାଇଥିଲା । ସେହି ଗ୍ରାମର କାର୍ତ୍ତିକ ବାରିକ ଘରୁ କବାଟ ଖୋଲି ବାହାରକୁ ବାହାରିବା ବେଳେ ଭାଲୁଟି ତାଙ୍କୁ ମାଡି ବସିଥିଲା । ଫଳରେ ଭାଲୁଟି ତାଙ୍କ ମୁଣ୍ଡ, ମୁହଁ, ଗୋଡ଼, ଛାତିକୁ ଚିରି ପକାଇଥିଲା । ପରିବାର ଲୋକେ ଡାକ ପକାଇବାରୁ ତାଙ୍କୁ ଛାଡି ଭାଲୁ ଆଗକୁ ପଳାଇ ଯାଇଥିବା ବେଳେ ସୋନ ନଦୀକୂଳରେ ଛିଡା ହୋଇଥିବା ଜଗନ୍ନାଥ ଦଣ୍ଡପାଟଙ୍କୁ ଆକ୍ରମଣ କରିଥିଲା । ସେ ଉପସ୍ଥିତି ବୁଦ୍ଧି ଖଟାଇ ସୋନ ନଦୀକୁ ଡେଇଁ ପଡିବାରୁ ତାଙ୍କ ଜୀବନ ବଞ୍ଚି ଯାଇଥିଲା । ସେ ସାମାନ୍ୟ ଆହତ ହୋଇଛନ୍ତି । ଦୁଇ ଜଣଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାର୍ତ୍ତିକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି ।