ଦେଶରେ ପ୍ରତିବର୍ଷ ବଢୁଛି ଇ-ଚାଲାଣ ସଂଖ୍ୟା, କିନ୍ତୁ କମୁନି ଦୁର୍ଘଟଣା
![](https://thetruths.in/wp-content/uploads/2023/04/E-Chalan.jpeg)
ନୂଆଦିଲ୍ଲୀ: ରାସ୍ତାରେ ଟ୍ରାଫିକ୍ ନିୟମ ପାଳନ ପାଇଁ ଗାଡ଼ି ଚାଳକଙ୍କ ଉପରେ ଅଧିକ କଠୋର ଉପାୟର ବିଫଳତା ହେଉ କିମ୍ୱା ଭୁଲ ପଦ୍ଧତିରେ ଲୋକଙ୍କୁ ଦଣ୍ଡିତ କରିବାର ପରିଣାମ, କିନ୍ତୁ ଡାଟା ନୀତି-ନିର୍ମାତାଙ୍କୁ ପୁଣି ଥରେ ବିଚାର କରିବାକୁ ବାଧ୍ୟ କରୁଛି । ଇ-ଚାଲାଣ ସଂଖ୍ୟା ବଢିଥିଲେ ବି ବଡ଼ ସଂଖ୍ୟାରେ ଲୋକେ ଏହି ଆର୍ଥିକ ଦଣ୍ଡକୁ ପୈଠ କରିପାରୁ ନାହାନ୍ତି ।
ସରକାରୀ ଡାଟାକୁ ନେଇ ଗାଜରଣ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ କେବଳ ଗତ ବର୍ଷ ୭,୫୬୩ କୋଟି ଟଙ୍କାରୁ ଅଧିକ ଅର୍ଥ ରାଶିର ୪.୭୨ କୋଟି ଇ-ଚାଲାଣ କରାଯାଇଛି । କିନ୍ତୁ ମାତ୍ର ୨,୮୭୪ କୋଟି ଟଙ୍କା ଆଦାୟ ହୋଇଛି ଅର୍ଥାତ୍ ମୋଟ ଜରିମାନାର କେବଳ ୩୮ ପ୍ରତିଶତ ।
ରାଜ୍ୟସଭାରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ଦ୍ୱାରା ଦିଆଯାଇଥିବା ଡାଟା ଅନୁସାରେ ୨୦୨୧ରେ ମଧ୍ୟ ପ୍ରାୟ ସମାନ ସ୍ଥିତି ରହିଥିଲା । ଇ-ଚାଲାଣର ରାଶି ତୁଳନାରେ କେବଳ ୪୦ ପ୍ରତିଶତ ଜରିମାନା ଆଦାୟ କରାଯାଇଥିଲା । ୨୦୧୯ରେ ମୋଟର ବାହାନ ଆଇନରେ ସଂଶୋଧନ ପରେ ଟ୍ରାଫିକ୍ ନିୟମ ପାଳନକୁ ଅଧିକ କଡ଼ାକଡ଼ି କରାଯାଇଥିଲା । ଏହାପରେ ଲୋକେ ଅଧିକ ସତର୍କ ହୋଇ ନିୟମ ପାଳନ କରିବେ ବୋଲି କୁହାଯାଇଥିଲା ।
ଏହାପରେ ଚାଲାଣର ଅର୍ଥରାଶି ଅନେକ ଗୁଣା ବଢିଛି ସତ, କିନ୍ତୁ ଲୋକଙ୍କ ଚାଲାଣ ଭରିବା କମିଛି । ଏହାର ଗୋଟିଏ ବଡ଼ କାରଣ ହେଉଛି ଚାଲାଣ ମାମଲା କୋର୍ଟରେ ପହଞ୍ଚିବା, କାରଣ ଲୋକେ ଇ-ଚାଲାଣକୁ ଚ୍ୟାଲେଞ୍ଜ କରୁଛନ୍ତି ।
କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ ଅନୁସାରେ ଚାଲାଣର ୯୦ ଦିନ ଭିତରେ ଜରିମାନା ଆଦାୟ ହେବା ଦରକାର । ଯଦି ଏହି ସମୟରେ ପୈଠ ଆଦୟ ନୁହେଁ ତେବେ ଏକ ଅତିରିକ୍ତ ନୋଟିସ ପଠାଯାଇ ପାରିବ । ଯଦି ଚାଲାଣର ଅବଧି ୯୦ ଦିନରୁ ଅଧିକ ହୁଏ ତେବେ କୋର୍ଟ ମାମଲାକୁ ଛାଡ଼ି ଲାଇଲେନ୍ସ ଏବଂ ଗାଡିର ରେଜିଷ୍ଟ୍ରେସନର ସହ ଜଡିତ ଆବେଦନର ସମାଧାନ କରାଯାଏ ନାହିଁ ।