ସର୍ବଦଳୀୟ ବୈଠକ ଡାକିବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି ଲେଖିଲେ ନିରଞ୍ଜନ
ଭୁବନେଶ୍ୱର : କରୋନା ମହାମାରୀ ପରିସ୍ଥିତିକୁ ସଫଳ ମୁକାବିଲା କରିବା ଦିଗରେ ଏକ ସର୍ବଦଳୀୟ ବୈଠକ ଅବିଳମ୍ବେ ଡାକିବାକୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି । ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଳେଖ କରିଛନ୍ତି ଯେ ବିଗତ ୧୫ମାସ ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସର୍ବଦଳୀୟ ବୈଠକ ଡାକିବା ପାଇଁ ଚିଠି ଲେଖିଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ କରୋନା ମହାମାରୀର ପ୍ରଥମ ଲହର ସରିଲା ଦ୍ୱିତୀୟ ଲହରର ପରିସ୍ଥିତି ଅଣଆୟତ ଏବଂ ସଂକଟଜନକ ସ୍ଥିତିରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏ ବାବଦରେ କୌଣସି ଇଛା ପ୍ରକଟ କଲେ ନାହିଁ । ତେଣୁ ଦ୍ୱିତୀୟ ଥର ପାଇଁ ରାଜ୍ୟର ଏଭଳି ସଂକଟମୟ ସ୍ଥିତିକୁ ଏବଂ ରାଜ୍ୟର ଜନସାଧାରଣଙ୍କୁ ରକ୍ଷାକରିବା ଉଦ୍ଦେଶ୍ୟରେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ସମୟ ନଷ୍ଟନକରି ସମାଜର ପ୍ରତିଷ୍ଠିତ ସାମାଜିକ କର୍ମୀ, ବିଶେଷଜ୍ଞ ଏବଂ ବିଭିନ୍ନ ରାଜନୈତିକ ଦଳର ଅଭିଜ୍ଞ ସଂପନ୍ନ ନେତୃବୃନ୍ଦ ମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ ଡାକନ୍ତୁ । ସମସ୍ତଙ୍କ ସହିିତ ପୁଂଖାନୁପୁଂଖ ଆଲୋଚନା କରି ମହାମାରୀକୁ କିଭଳି ଭାବରେ ପ୍ରତିହିତ କରାଯାଇ ପାରିବ ସେଥିପାଇଁ ଏକ ସ୍ୱତନ୍ତ୍ର ସମୟ ଉପଯୋଗୀ ଏବଂ ବୈଜ୍ଞାନିକ ନୀତିନୀୟମ ଅନୁସାରେ ଏକ ଖସଡ଼ା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ।
କୋଭିଡ ମହାମାରୀ ରାଜ୍ୟରେ ଗ୍ରାମାଂଚଳ ଠାରୁ ଆରମ୍ଭ କରି ଅପହଂଚ ଅଂଚଳରେ ପଂହଚି ସାରିଛି । ପ୍ରତିଦିନ କେହିନାକେହି ତାର ପରିବାରବର୍ଗ ଆତ୍ମୀୟସ୍ୱଜନକୁ ହରାଉଛନ୍ତି । ଏହି ସମୟରେ ରାଜନୈତିକ ବାଦାନୁବାଦକୁ ପଛରେ ପକାଇ ମାନବ ଜୀବନର ମୂଲ୍ୟବୋଧକୁ ରକ୍ଷାକରି ଆମ ସମସ୍ତଙ୍କୁ ଏକ କାମ କରିବାର ସମୟ । ମୁଁ ଏହି ସମୟରେ ଆପଣଙ୍କ ସହିତ ମୋର ପାରୁ ପର୍ଯ୍ୟନ୍ତ କାର୍ଯ୍ୟ କରିବି । ଏ ରାଜ୍ୟ ଏବଂ ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ ମୁଁ ମୋର ଦଳ ତଥା ଆମ ଦ୍ୱାରା ଯାହାକିଛି ଆର୍ଥିକ ସହାୟତା କରିବାପାଇଁ ପସ୍ତୁତ ଅଛୁ । ଏହି ସମୟ ପ୍ରଂଶସା ସାଉଁଟିବା ବା ନିନ୍ଦା ବା ଅପବାଦ କରିବାର ସମୟ ନୁହେଁ । କିଭଳି ଆମେ ଆମ ଲୋକମାନଙ୍କୁ ଅଧିକ ଟୀକାକରଣ କରିପାରିବୁ ଏବଂ ଜନସାଧାରଣଙ୍କୁ ମୃତ୍ୟୁମୁଖରୁ ରକ୍ଷାକରିପାରିବୁ ତାହାହିଁ ଏ ସମୟର ବଡ଼ ଆହ୍ୱାନ ।ଅତିଶୀଘ୍ର ଚିଠିର ଉତର ପାଇବେ ବୋଲି ପିସିସି ସଭାପତି ଆଶ ପ୍ରକଟ କରିଛନ୍ତି ।