ନୀଳଗିରି ମେଡ଼ିକାଲରେ ସ୍ୱିକ୍ୟୁରିଟି ଗାର୍ଡ଼ କରୁଛନ୍ତି ରୋଗୀ ଚିକିତ୍ସା, ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ
![](https://thetruths.in/wp-content/uploads/2022/11/Nilagiri-Medical-Center-security-guards-are-treating-patient.jpg)
ନୀଳଗିରି : ନୀଳଗିରି ଉପଖଣ୍ଡ ହସ୍ପିଟାଲକୁ ନେଇ ବିବାଦ ଥମୁନି । ହସ୍ପିଟାଲ ପରିସରରେ ଅସ୍ଥାୟୀ ସୁରକ୍ଷା କର୍ମୀଙ୍କୁ ନିଜ କାର୍ଯ୍ୟ କରିବା ପରିବର୍ତ୍ତେ ତାଙ୍କୁ ଚିକିତ୍ସା କାମରେ ନିୟୋଜିତ କରାଯାଇଥିବା ଭିଡ଼ିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।
ସୂଚନା ଯେ, ନୀଳଗିରି ମେଡିକାଲରେ ଯେଉଁ କାମ ଜଣେ ଡାକ୍ତର କିମ୍ବା ମେଡିକାଲ ତାଲିମ ପ୍ରାପ୍ତ କର୍ମଚାରୀ କରିବା କଥା ସେହି କାମକୁ କାର୍ଯ୍ୟରତ ଅସ୍ଥାୟୀ ସ୍ୱୀକ୍ୟୁରିଟି ଗାର୍ଡ଼ ଦ୍ୱାରା ବ୍ଲଡ ପ୍ରେସର ଚେକ୍ କରୁଥିବାର ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହେଉଛି । ଯଦ୍ୱାରାକି ରୋଗୀଙ୍କ ଜୀବନ ପ୍ରତି ବିପଦ ଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର୍ ଧରିଛି । ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲିକୁ ନେଇ ଉଠିଛି ପ୍ରଶ୍ନ । କିଛି ଦିନ ପୂର୍ବରୁ ମେଡିକାଲ ପରିସରରେ ଜଣେ କାର୍ଯ୍ୟରତ ସ୍ୱୀକ୍ୟୁରିଟି ଗାର୍ଡ଼ଙ୍କ ଦ୍ୱାରା ରଙ୍ଗମରା କାମର ଭିଡ଼ିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଥିଲା । ହସ୍ପିଟାଲ ପରିସରରେ ସିକ୍ୟୁରିଟି ଗାର୍ଡ଼ଙ୍କୁ ନିଜ କାର୍ଯ୍ୟ କରିବା ପରିବର୍ତ୍ତେ ଚିକିତ୍ସା ଓ ଶ୍ରମିକ ଭାବେ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଉଛି କିଏ ? ତାକୁ ନେଇ ପ୍ରଶ୍ନ ଉଠିଛି । ଏଭଳି ଘଟଣାକୁ ନେଇ ଜିଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି । ଏ ସମ୍ପର୍କରେ ମେଡ଼ିକାଲ ଏସ୍ଡ଼ିଏମ୍ଓ ଡା. ସରୋଜିନୀ ପ୍ରଧାନ ଘଟଣା ସମ୍ପର୍କରେ ତଦନ୍ତ ପୂର୍ବକ ପଦକ୍ଷେପ ଗ୍ରହଣ କରାଯିବ ଏବଂ ଭବିଷ୍ୟତରେ ଏହାର ପୁନଃରାବୃତ୍ତି ନ ହେବ ବୋଲି ପ୍ରକାଶ କରିଛନ୍ତି ।