ଏନଆଇଏ ପକ୍ଷରୁ କଶ୍ମୀର ଘାଟିରେ ଚଢ଼ଉ, ହେପାଜତକୁ ଗଲେ ୫
![](https://thetruths.in/wp-content/uploads/2021/07/NIA.jpg)
ଶ୍ରୀନଗର : ଟେରର୍ ଫଣ୍ଡିଂ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) କଶ୍ମୀର ଘାଟିର ଅନନ୍ତନାଗ, ବାରାମୁଲା, ଅବନ୍ତିପୁର, ଶ୍ରୀନଗରର କେତେକ ସ୍ଥାନରେ ଚଢ଼ଉ କରିଛି । ଅଦ୍ୟାବଧି ୫ ଜଣଙ୍କୁ ହେପାଜତକୁ ନେଇଛି । ସେମାନଙ୍କ ମଧ୍ୟରୁ ଅନନ୍ତନାଗରୁ ୪ ଜଣ ଓ ଶ୍ରୀନଗରରୁ ଜଣେ ରହିଛନ୍ତି । ଶନିବାର ଦିନ କାଶ୍ମିର ଘାଟିରେ ମୋଷ୍ଟୱାଟେଂଡ ଆତଙ୍କବାଦୀ ସଲାହୁଦ୍ଦିନର ଦୁଇ ପୁଅଙ୍କ ସମେତ ୧୧ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯିବା ପରେ ଏନଆଇଏ ପକ୍ଷରୁ ଏହି ଚଢ଼ଉ ଆଜି ଆରମ୍ଭ ହୋଇଛି । ଦେଶ ବିରୋଧି ଗତିବିଧିରେ ସାମିଲ୍ ରହିବା ତଥା ଆତଙ୍କୀ ସଂଗଠନ ଗୁଡିକୁ ସହାୟତା ଯୋଗାଇବା ଅଭିଯୋଗରେ ଏମାନଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବରଖାସ୍ତ ହୋଇଥିବା ଏହି ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ଜମ୍ମୁ -କଶ୍ମୀରର ଦୁଇ ଜଣ କନଷ୍ଟେବଳ ରହିଛନ୍ତି ।
ବରଖାସ୍ତ ହୋଇଥିବା ୧୧ ଜଣ କର୍ମଚାରୀଙ୍କ ମଧ୍ୟରେ ଅନନ୍ତନାଗର ୪ ଜଣ, ବଡ଼ଗାମ୍ ର ୩ ଜଣ ଏବଂ ବାରାମୁଲା, ଶ୍ରୀନଗର, ପୁଲବାମା ଓ କୁପବାଡ଼ାରୁ ଜଣେ ଲେଖାଏଁ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଶିକ୍ଷା ବିଭାଗରେ ୪ ଜଣ, ଜମ୍ମୁ- କାଶ୍ମୀର ପୋଲିସରେ ୨ ଜଣ ଏବଂ କୃଷି, କୌଶଳ ବିକାଶ, ବିଦ୍ୟୁତ, ଏସକେଆଇଏମଏସ ଏବଂ ସ୍ୱାସ୍ଥ୍ୟ ବିଭାଗରେ ଜଣେ ଲେଖାଏଁ କାର୍ଯ୍ୟରତ ଥିଲେ ।