୧୩ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ଖୋଜୁଛି ଏନଆଇଏ, ସହଯୋଗ କରୁଛି ଓଡ଼ିଶା ପୋଲିସ
![](https://thetruths.in/wp-content/uploads/2022/02/NIA-Raid-1024x576.jpg)
ଭୁବନେଶ୍ବର : ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ପକ୍ଷରୁ ଏବେ ଆହୁରି ୧୩ ଜଣ ଦୁର୍ଦାନ୍ତ ମାଓବାଦୀଙ୍କୁ ଖୋଜା ଚାଲିଛି। ଏଥିପାଇଁ ଏନ୍ଆଇଏର ଦୁଇଟି ଟିମ୍ କୋରାପୁଟ ଓ ମାଲାକାନଗିରି ଜିଲାରେ ଡେରା ପକାଇଛି। ଏହି ମାଓବାଦୀମାନଙ୍କୁ ଖୋଜାଖୋଜି କରିବା ଓ ତଦନ୍ତରେ ସହଯୋଗ କରୁଛନ୍ତି ଓଡ଼ିଶା ପୁଲିସର ବଛା ବଛା କେତେକ ଗୁଇନ୍ଦା ଅଫିସର। ଅନ୍ୟପଟେ ଗତ ମାସ ୨୪ ତାରିଖରେ ମାଲକାନଗିରିରୁ ଗିରଫ ହୋଇଥିବା ରଞ୍ଜୁଖିଲ ଓରଫ ଚାଣ୍ଟିକୁ ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ବର ଝାରପଡ଼ା ସ୍ବତନ୍ତ୍ର ଜେଲକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଣାଯାଇଛି। ଏନଆଇଏ ପକ୍ଷରୁ ଭୁବନେଶ୍ବର କୋର୍ଟରେ ୧୫ ଜଣ ଦୁର୍ଦାନ୍ତ ମାଓବାଦୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ଏନଆଇଏ। ଏନଆଇଏ ଏହି ଘଟଣାରେ ଗତ ବର୍ଷ ମାଓନେତା ଦୁବାସୀ ଶଙ୍କରକୁ ଗିରଫ କରିଥିଲା। ସେ ମଧ୍ୟ ଏବେ ଝାରପଡ଼ା ଜେଲରେ।
ଓଡ଼ିଶା ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୧୫ ଜଣ ଦୁର୍ଦାନ୍ତ ମାଓବାଦୀ ୨୦୧୨ ମସିହା ଫେବ୍ରୁଆରି ମାସ ୧୦ ତାରିଖରେ ମାଲାକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ନିକଟରେ ବିଏସଏଫ୍ ଟ୍ରୁପ୍ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସଂପୃକ୍ତ ଅଛନ୍ତି। ଏଥିରେ ବିଏସ୍ଏଫର କମାଣ୍ଡାଣ୍ଟ ଜେଆର ଖସନ, ସେକେଣ୍ଡ ଇନ୍ କମାଣ୍ଡାଣ୍ଟ୍ ରାଜେଶ ସରନ, ଇନ୍ସପେକ୍ଟର ଅଶୋକ ଯାଦବ, ଆସିଷ୍ଟାଣ୍ଟ୍ ସବ- ଇନ୍ସପେକ୍ଟର ଜିତେନ୍ଦ୍ର କୁମାରଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର ତଦନ୍ତ ଭାର ଏନଆଇଏକୁ ଦିଆଯାଇଥିଲା।
ଗତ ମାସରେ ଏନଆଇଏ ପକ୍ଷରୁ ୪ ଜଣ ଦୁର୍ଦାନ୍ତ ମାଓବାଦୀ ଗଜରାଲା ରବି ଓରଫ୍ ଉଦୟ, ଜାମୁଲୁରୀ ଶ୍ରୀନୁ, ଜଗା ରାଓ ଓରଫ ଟେକ ଶଙ୍କର, ରଞ୍ଜୁଖିଲ ଓରଫ ଚାଣ୍ଟିର ଫଟୋ ପୋଷ୍ଟର ସହ ପୁରସ୍କାର ରାଶି ଟଙ୍କା କୋରାପୁଟ ବସଷ୍ଟାଣ୍ଡରେ ମରାଯାଇଥିଲା। ପୋଷ୍ଟର ମରାଯିବାର ୩ ଦିନ ପରେ ଏନଆଇଏ ରଞ୍ଜୁଖିଲ ଓରଫ ଚାଣ୍ଟିକୁ ମାଲାକାନଗିରିରୁ ଗିରଫ କରିଥିଲା। ଏନେଇ ମାମଲା ରୁଜୁ ହେବା ପରେ ୨୦୧୫ ମସିହାରେ ପ୍ରଥମେ ଭୁବନେଶ୍ବର ଏନଆଇଏ କୋର୍ଟରେ ପ୍ରାଥମିକ ଅଭିଯୋଗପତ୍ର ବା ଚାର୍ଜସିଟ୍ ଦାଖଲ କରାଯାଇଥିଲା। ଚଳିତ ବର୍ଷ ପ୍ରଥମ ସପ୍ତାହରେ ଯେଉଁ ଅତିରିକ୍ତ ଚାର୍ଜସିଟ ଦାଖଲ କରାଯାଇଛି, ସେଥିରେ ୧୫ ଜଣଙ୍କ ନାଁ ରହିଛି। ସେଥିରେ ଦେବ ମାଡ଼ି, ମୁକା ସୋଧି ଭଳି ଦୁର୍ଦାନ୍ତ ମାଓବାଦୀ ପ୍ରମୁଖ ଅଛନ୍ତି। ଏନଆଇଏ ଏହି ଘଟଣାର ତଦନ୍ତ ଜାରି ରଖିଛି ବୋଲି ଚାର୍ଜସିଟ୍ରେ ଉଲ୍ଲେଖ କରିଛି।