ଆଜିଠାରୁ ଓଡ଼ିଶାରେ ଆରମ୍ଭ ହେବ ନୂତନ ପଞ୍ଜିକା ପ୍ରଚଳନ
![](https://thetruths.in/wp-content/uploads/2023/04/New-Panji.jpg)
ଭୁବନେଶ୍ୱର : ଆଜି ପବିତ୍ର ମହାବିଷୁବ ବା ପଣା ସଂକ୍ରାନ୍ତି । ଏହାକୁ ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ । ସେହିପରି ପଣାସଂକ୍ରାନ୍ତିକୁ ହନୁମାନ ଜୟନ୍ତୀ ଭାବରେ ମଧ୍ୟ ପାଳନ କରାଯାଏ । ହନୁମାନଙ୍କ ଉପାସନା ସହ ଭକ୍ତମାନେ ହନୁମାନ ଚାଳିଶା ପାଠକରନ୍ତି। ସେଥିପାଇଁ ବିଭିନ୍ନ ହନୁମାନ ମନ୍ଦିରରେ ଭକ୍ତଙ୍କ ଗହଳି ଲାଗିଛି ।
ଏଥିପାଇଁ ଶ୍ରୀମନ୍ଦିରରେ ପାଳନ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି । ଆଜି ଶ୍ରୀମନ୍ଦିରରେ ସକାଳଧୂପ ନୀତି ସରିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀ ହନୁମାନଙ୍କୁ ରତ୍ନସିଂହାସନକୁ ଅଣାଯାଇ ପୂଜପଣ୍ଡା ସେବାୟତଙ୍କ ଦ୍ୱାରା ଆଜ୍ଞାମାଳ ପ୍ରଦାନ କରାଯିବ । ପରେ ବିମାନରେ ଶ୍ରୀ ହନୁମାନ ଶ୍ରୀମନ୍ଦିରର ପୂର୍ଵ ଦ୍ୱାରରେ ଥିବା ହନୁମାନଙ୍କ ନିକଟକୁ ନିଆଯାଇ ପୂଜାର୍ଚ୍ଚନା କରାଯିବା ପରେ ଜଗନ୍ନାଥ ବଲ୍ଲଭ ମଠ ଓ ଦରିଆ ମହାବୀରଙ୍କ ନିକଟକୁ ନିଆଯିବ । ଆଜିଠାରୁ ମଧ୍ୟ ନୂତନ ପଞ୍ଜିକା ପ୍ରଚଳନ ଆରମ୍ଭ ହୋଇଥାଏ । ସେହିପରି ପୁରୀରେ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀର ବିଶେଷ ମହତ୍ୱ ରହିଛି। ସହରରେ ପାରମ୍ପରିକ ଯାଗା ଆଖଡ଼ାରେ ହନୁମାନ ଇଷ୍ଟଦେବ ରୂପେ ପୂଜା ପାଉଥିବାରୁ ଏଠାରେ ହନୁମାନ ଜୟନ୍ତୀକୁ ବେଶ୍ ଆଗ୍ରହ ଉତ୍ସାହର ସହ ପାଳନ କରାଯାଉଛି। ଆଜିର ଦିନରେ ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ପଣା ଓ ଛତୁଆ ଭୋଗର ପରମ୍ପରା ରହିଛି। ଯାଗା ଆଖଡ଼ା ଗୁଡ଼ିକରେ କ୍ଷୀର, ଖୁଆ, ରାବିଡ଼ି ଓ ସର ମିଶ୍ରିତ ପଣା ସହ ଛତୁଆକୁ ଭୋଗ କରାଯାଇ ସମସ୍ତଙ୍କୁ ବଣ୍ଟନ କରାଯାଏ।
ସେହିପରି ପଣା ସଂକ୍ରାନ୍ତି ଅବସରରେ ଆଜିଠାରୁ ନୂତନ ପଞ୍ଜିକା ଓଡ଼ିଶାରେ ଲାଗୁ ହେଉଥିବାରୁ ଏହାକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଉଛି। ଦୋଳ ପୂର୍ଣ୍ଣିମାରେ ନୂତନ ପଞ୍ଜିକା ମହାପ୍ରଭୁଙ୍କ ଠାରେ ପୂଜା ପାଇଁ ଲାଗି ହୋଇଥିଲା। ତେଣୁ ନୂତନ ପଞ୍ଜିକା ଅନୁଯାୟୀ ଆଜିଠାରୁ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ସମେତ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ନେଇ ଧାର୍ଯ୍ୟ ହୋଇ ଥିବା ଦିବସ ଅନୁଯାୟୀ ସବୁ ସାମାଜିକ କାର୍ଯ୍ୟ ହୋଇଥାଏ।