ଟାଟା ସନ୍ସର ଚେୟାରମ୍ୟାନ୍ ହେଲେ ଏନ୍ ଚନ୍ଦ୍ରଶେଖରନ, ବଢ଼ିଲା ୫ବର୍ଷ କାର୍ଯ୍ୟକାଳ
![](https://thetruths.in/wp-content/uploads/2022/02/Chairman-N-Chandrasekharan-1024x576.jpg)
ନୂଆଦିଲ୍ଲୀ: ବୋର୍ଡ ଅଫ୍ ଟାଟା ସନ୍ସ ଲିମିଟେଡ୍ ଚେୟାରମ୍ୟାନ୍ ଏନ ଚନ୍ଦ୍ରଶେଖରନଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିବାକୁ ଅନୁମୋଦନ ଦେଇଛି । ଶୁକ୍ରବାର ଅନୁଷ୍ଠିତ ନିର୍ଦ୍ଦେଶକ ବୋର୍ଡର ବୈଠକରେ ଟାଟା ଗ୍ରୁପ୍ର କାର୍ଯ୍ୟଦକ୍ଷତାକୁ ଗତ ପାଞ୍ଚ ବର୍ଷ ମଧ୍ୟରେ ସମୀକ୍ଷା କରାଯାଇଥିଲା ଏବଂ ତା’ପରେ ନଟରାଜ ଚନ୍ଦ୍ରଶେଖରନଙ୍କ କାର୍ଯ୍ୟକାଳକୁ ପାଞ୍ଚ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ରତନ ଟାଟାଙ୍କ ନେତୃତ୍ୱରେ ଟାଟା ଟ୍ରଷ୍ଟଗୁଡିକ ଟାଟା ସନ୍ସରେ ୬୬ ପ୍ରତିଶତ ଅଂଶଧନ ଧାରଣ କରିଛନ୍ତି । ସରକାରୀ ବିବୃତ୍ତିରେ କୁହାଯାଇଛିଯେ ଟାଟା ସନ୍ସ ଲିମିଟେଡ୍, ହୋଲଡିଂ କମ୍ପାନୀ ତଥା ୧୧୦ବିଲିୟନ ଡଲାରର ଟାଟା ଗ୍ରୁପ୍ର ପ୍ରମୋଟର ଭାବରେ ନଟରାଜ ଚନ୍ଦ୍ରଶେଖରନଙ୍କୁ କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ୍ ଭାବରେ ଆସନ୍ତା ପାଞ୍ଚ ବର୍ଷ ପାଇଁ ନିଯୁକ୍ତ କରାଯାଇଛି । ରତନ ଟାଟା ଏନ ଚନ୍ଦ୍ରଶେଖରନଙ୍କ ନେତୃତ୍ୱରେ ଟାଟା ଗ୍ରୁପ୍ର ପ୍ରଦର୍ଶନ ଏବଂ ଅଗ୍ରଗତି ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ୨୦୨୦-୨୧ ମସିହାରେ ଟାଟା ଗ୍ରୁପ୍ କମ୍ପାନୀ ଗୁଡିକର ଆୟ ୧୦୩ ବିଲିୟନ ଡ଼ଲାର୍ ଥିଲା । ଏହି କମ୍ପାନୀଗୁଡିକରେ ଆଠ ଲକ୍ଷରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି ।